25.6 C
Bhubaneswar
Thursday, March 27, 2025
Homeଓଡିଶାକୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ

କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନରେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଆଜି ଭୁବନେଶ୍ୱରର ଲୋକସେବା ଭବନରେ ଦୁଇଟି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ପ୍ରଥମଟି “ଓଡ଼ିଶାର ଢେଙ୍କାନାଳସ୍ଥିତ ଗୋବିନ୍ଦପୁରରେ ସମନ୍ୱିତ ପ୍ୟାକ୍ ହାଉସର ପରିଚାଳନା ଏବଂ ରକ୍ଷଣାବେକ୍ଷଣ” ଶୀର୍ଷକ ପ୍ରକଳ୍ପ ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନସ୍ଥ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ଏବଂ ମନୋନୀତ ପରିଚାଳନା ସଂସ୍ଥା, M/S. କୋଲ୍ଡ ଚେନ୍ ସଲ୍ୟୁସନ୍ସ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବାବେଳେ ଦ୍ୱିତୀୟଟି “ଓଡ଼ିଶାରେ କୃଷି ଉତ୍ପାଦନ ପୁଞ୍ଜ (Agriculture Production Cluster or APC) ପ୍ରୋତ୍ସାହନ ମାଧ୍ୟମରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟଙ୍କ ଜୀବିକାକୁ ସୁଦୃଢ଼ କରିବା” ଶୀର୍ଷକ ପ୍ରକଳ୍ପ ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, ମିଶନ ଶକ୍ତି, ଏବଂ ପ୍ରଦାନ (PRADAN) ନାମକ ସ୍ଵେଚ୍ଛାସେବୀ ସଂଗଠନ ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣାପତ୍ର ଲୋକସେବା ଭବନରେ ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ଏବଂ ଶକ୍ତିମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଏବଂ ଶିଶୁ ବିକାଶ, ମିଶନ ଶକ୍ତି ଏବଂ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସମ୍ମାନିତ ଉପସ୍ଥିତିରେ ସ୍ୱାକ୍ଷରିତ ହୋଇଛି ।

ଓଡିଶାର ଆଦିବାସୀ ବହୁଳ ଅଞ୍ଚଳରେ, କୃଷି କ୍ଷେତ୍ରରେ ଅଭିବୃଦ୍ଧି ଆଣିବା ଏବଂ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ କୃଷକମାନଙ୍କର ଆୟକୁ ସ୍ଥାୟୀ ଭାବରେ ଦ୍ୱିଗୁଣିତ କରିବାର ଉଦ୍ଦେଶ୍ୟ ନେଇ କୃଷି ଉତ୍ପାଦନ ପୁଞ୍ଜ (ଏପିସି) କୁ ଆରମ୍ଭ କରାଯାଇଥିଲା। ମିଶନ ଶକ୍ତି ବିଭାଗ ୧୨ ଜୁନ ୨୦୨୦ରେ ଏକ ଅତିରିକ୍ତ ଏମଓୟୁ ସ୍ୱାକ୍ଷର କରି ଏପିସି ପ୍ରକଳ୍ପରେ ସାମିଲ ହୋଇଥିଲା, ଯାହା ଉତ୍ପାଦକ ଗୋଷ୍ଠୀ (ପିଜି) ଏବଂ ଉତ୍ପାଦକ କମ୍ପାନୀ (ପିସି) ଗୁଡିକୁ ସୃଦୃଢ କରୁଅଛି । ବର୍ତ୍ତମାନ, ମିଶନ ଶକ୍ତି ୧୪ଟି ଜିଲ୍ଲାର ୭୩ଟି ଏପିସି ବ୍ଲକରେ ୧,୧୮୧ଟି ପିଜି ଏବଂ ୬୩ଟି ପିସିକୁ ସୃଦୃଢ କରିବା ପାଇଁ ସହଯୋଗ କରୁଅଛି । ନୂତନ ଭାବରେ ସ୍ୱାକ୍ଷରିତ ଏହି ଏମଓୟୁ ୯ଟି ଜିଲ୍ଲା (ବଲାଙ୍ଗୀର, ଢେଙ୍କାନାଳ, ଝାରସୁଗୁଡ଼ା, କନ୍ଧମାଳ, ମୟୂରଭଞ୍ଜ, ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର ଏବଂ କୋରାପୁଟ) ଓ ୨ଟି ନୂତନ ଜିଲ୍ଲା (ଦେଓଗଡ଼ ଏବଂ ନବରଙ୍ଗପୁର) ସମେତ ୧୧ଟି ଜିଲ୍ଲାର ୨୭ଟି ବ୍ଲକରେ ୬୯୫ଟି ପିଜି ଏବଂ ୨୭ଟି ପିସିକୁ ସହଯୋଗ ପ୍ରଦାନ କରି ଏପିସି ମଡେଲକୁ ଆହୁରି ସୁଦୃଢ଼ କରିବ। ମିଶନ ଶକ୍ତି ବିଭାଗ ଦ୍ୱାରା ୬୨.୦୫୮ କୋଟି ଟଙ୍କା ଅନୁମାନିତ ବଜେଟ ସହିତ, ଏହି ସ୍ଥାୟୀ ଜୀବିକା ପଦକ୍ଷେପ ୬୯୫ଟି ପିଜି ଅଧୀନରେ ପ୍ରାୟ ୮୩,୦୦୦ ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ସଦସ୍ୟାଙ୍କୁ ବୈଷୟିକ ତାଲିମ ଏବଂ ସହାୟତା ପ୍ରଦାନ କରିବ।

ଏହି ପଦକ୍ଷେପ ରାଜ୍ୟରେ ଏହି ନୂତନ ବ୍ଲକଗୁଡ଼ିକରେ ଥିବା ମହିଳା ପିଜି ସଦସ୍ୟାମାନଙ୍କ ମଧ୍ୟରେ ସମନ୍ୱିତ, ବଜାର-ସଂଯୋଗୀ ଉତ୍ପାଦନ ପ୍ରସ୍ତୁତ କରିବା ସହ ଅଧିକରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟିକରିବା ପାଇଁ ଲକ୍ଷ୍ୟ ରଖିଛି। ଏହି ପ୍ରକଳ୍ପ କୃଷି ଏବଂ ପଶୁପାଳନ କ୍ଷେତ୍ରରେ ଉନ୍ନତ ଫସଲ ପଦ୍ଧତିର ବ୍ୟବହାର ସହିତ ଅଂଶଗ୍ରହଣକାରୀ ଏସଏଚଜି ସଦସ୍ୟାମାନଙ୍କ ଆୟକୁ ପ୍ରକଳ୍ପ ଅବଧି ମଧ୍ୟରେ ସ୍ଥାୟୀ ଭାବରେ ଦ୍ୱିଗୁଣିତ କରିବାରେ ସାହାଯ୍ୟ କରିବ ।
ଏପିସି ପଦକ୍ଷେପ ଅଧୀନରେ, ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ, କୃଷି ଏବଂ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶାଳୟ, ମତ୍ସ୍ୟ ଏବଂ ପଶୁ ସମ୍ପଦ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ, ଓଡିଶା ଜୀବିକା ମିଶନ (ଓଏଲଏମ), ଓଡିଶା ଉଠା ଜଳସେଚନ ନିଗମ (ଓଏଲଆଇସି), ଓଡିଶା କୃଷି ଶିଳ୍ପ ନିଗମ (ଓଏଆଇସି), ଓଡିଶା କୃଷି ପ୍ରଚାର ଏବଂ ନିବେଶ ନିଗମ ଲିଃ (ଏପିଆଇସିଓଏଲ), ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ ବିଭାଗଗୁଡ଼ିକ ସମେତ ବିଭିନ୍ନ ସରକାରୀ ବିଭାଗଗୁଡ଼ିକର ପ୍ରଚଳିତ ଯୋଜନାଗୁଡ଼ିକ ଏହି ଅଞ୍ଚଳଗୁଡ଼ିକରେ କୃଷକମାନଙ୍କ ପାଇଁ ଜୀବନ ଜୀବିକାର ଭିତ୍ତିଭୂମି ବିକାଶ କରିବାକୁ ଏକତ୍ରିତ କରାଯାଉଛି।

ନୂତନ ସ୍ୱାକ୍ଷରିତ ବୁଝାମଣାପତ୍ର କୃଷି ଉତ୍ପାଦନ ପୁଞ୍ଜ (ଏପିସି) ମଡେଲକୁ ଆହୁରି ମଜବୁତ କରିବ ଏବଂ ୧୧ଟି ଜିଲ୍ଲାର ୨୭ଟି ବ୍ଲକରେ ୬୯୫ ଟି ଉତ୍ପାଦକ ଗୋଷ୍ଠୀ (PG) ଏବଂ ୨୭ ଟି ଉତ୍ପାଦକ କମ୍ପାନୀ (PC)ର ପ୍ରୋତ୍ସାହନକୁ ସମର୍ଥନ କରିବ, ଯାହାର ଆନୁମାନିକ ବଜେଟ ୬୨୦୫.୮ ଲକ୍ଷ ଟଙ୍କା ହେବ। ଏହି ପଦକ୍ଷେପର ଲକ୍ଷ୍ୟ ଏହି ନୂତନ ବ୍ଲକଗୁଡ଼ିକରେ ମହିଳା ପିଜି ସଦସ୍ୟଙ୍କ ମଧ୍ୟରେ ସମନ୍ୱିତ, ବଜାର-ସଂଯୁକ୍ତ ଉତ୍ପାଦନ ସ୍ଥାପନ କରିବା । ଏହି କାର୍ଯ୍ୟକ୍ରମରେ କୃଷି ପ୍ରମୁଖ ସଚିବ ଡକ୍ଟର ଅରବିନ୍ଦ କୁମାର ପାଢୀ, ଉଦ୍ୟାନ କୃଷି ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ, ମିଶନ ଶକ୍ତି ନିର୍ଦ୍ଦେଶକ ଡକ୍ଟର ମୋନିକା ପ୍ରିୟଦର୍ଶିନୀ ଏବଂ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ, ମିଶନ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀ, ପ୍ରତିନିଧିମାନେ ମଧ୍ୟ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking