20.1 C
Bhubaneswar
Sunday, December 21, 2025
Homeଓଡିଶାସରକାରୀ ଜମିରେ ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ; ପ୍ରଶାସନ ଜାରି କଲା...

ସରକାରୀ ଜମିରେ ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ; ପ୍ରଶାସନ ଜାରି କଲା ବିଏନ୍‌ଏସ୍ ୧୬୩ ଧାରା

କେନ୍ଦ୍ରାପଡ଼ା: ସରକାରୀ ଜମିରେ ଧାନ କଟାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ପ୍ରଶାସନ ଜାରି କଲା ବିଏନ୍‌ଏସ୍ ୧୬୩ ଧାରା । ଜଙ୍ଗଲ କିସମ ଜମିରେ ଧାନ କଟାକୁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ୍ ପେଟଛେଲା ଗାଁରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ୨ଦିନ ହେବ ମୁହାଁମୁହଁ ପରିସ୍ଥିତି ଉପୁଜିଛି । ସ୍ଥିତିରେ ସୁଧାର ଆଣିବା ପାଇଁ ପୁଲିସକୁ ନାକେଦମ ହେବାକୁ ପଡ଼ିଛି। ପ୍ରକାଶ, ଗାଁର କିଛି ବଙ୍ଗଭାଷୀ ଭାଗ ଚାଷୀ ବାପା ଜେଜେବାପା ଅମଳରୁ ସେଠାରେ ଚାଷ କରି ପରିବାର ପ୍ରତି ପୋଷଣ କରୁଥିଲେ। ଏବେ ସେହି ଜମିକୁ କିଛି ବ୍ୟକ୍ତି କିଣିଛନ୍ତି ବୋଲି ପ୍ରଶାସନ ତରଫରୁ ନୋଟିସ ଲଗାଯାଇଛି । ତେବେ ଭାଗ ଚାଷୀ ମାନେ ଉକ୍ତ ଜମିରୁ ଧାନ କାଟୁଥିବା ସମୟରେ ଘଟଣା ସ୍ଥଳରେ ପୁଲିସ ପହଞ୍ଚି ସେମାନଙ୍କୁ ବାରଣ କରିଥିଲା। ଏହାକୁ ନମାନିବାରୁ ପୁଲିସ ଉପସ୍ଥିତିରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସେଠାରେ ବିଏନ୍‌ଏସ୍ ୧୬୩ ଧାରା ଜାରି କରାଯାଇଛି । ମହାକାଳପଡ଼ା ତହସିଲ ଅଧୀନ ପେଟଛେଲା ରାଜସ୍ୱ ସର୍କଲ ଅନ୍ତର୍ଗତ ସଦର ପେଟଛେଲା ମୌଜାର ୨୦୯ଖାତାର ୨୪ଏକର ଜମିକୁ ନେଇ ମାଲିକାନା ଓ ଭାଗ ଚାଷୀଙ୍କ ମଧ୍ୟରେ କିଛିଦିନ ହେବ ବିବାଦ ତେଜିବାରୁ ପ୍ରଶାସନ ହସ୍ତକ୍ଷେପ କରିଛି । ସମ୍ପୃକ୍ତ ଜମି ଗ୍ରାମ୍ୟ ଜଙ୍ଗଲ କିସମ ରହିଥିବା ବେଳେ ଶଶାଙ୍କ ଶେଖର ନନ୍ଦଙ୍କ ନାମରେ ଜବରଦଖଲ କାରୀଭାବେ ରେକର୍ଡରେ ଉଲ୍ଲେଖ ରହିଛି ।

ଏନେଇ ଜବର ଦଖଲକାରୀ ନିଜ ନାମରେ ରେକର୍ଡ ପାଇଁ ନ୍ୟାୟାଳୟରେ ନ୍ୟାୟଭିକ୍ଷା କରିଥିବାର ନନ୍ଦ ପରିବାର ପକ୍ଷରୁ କ୍ଷମତା ପତ୍ର ପ୍ରାପ୍ତ ବ୍ୟକ୍ତି ଶିଶିର ରାଉତ କହିଛନ୍ତି। ପୂର୍ବରୁ ଭାଗ ଚାଷ କରିଆସୁଥିବା ଗ୍ରାମସ୍ତ ୧୯ପରିବାରର ଲୋକେ ଚଳିତ ଥର ଖରିଫ ଚାଷରେ ଧାନ ପାଚିବା ପରେ ମାଲିକାନାକୁ ଏଡାଇ ଧାନ ଅମଳ ପାଇଁ ପ୍ରୟାସ କରିବାରୁ ଶୁକ୍ରବାର ସମସ୍ୟା ଉପୁଜୁଛି। ଗଣ୍ଡଗୋଳ ହେବାରୁ ପୁଲିସ ଫୋର୍ସ ମୁତୟନ ରହିଥିବା ବେଳେ ଶନିବାର ଧାନ ଜବତ ସମୟରେ ଉତ୍ତେଜନା ଦେଖାଦେବାରୁ ଅତିରିକ୍ତ,ଏସ୍‌ଡିଏସ୍ ଡିପିଓ ମହାକାଳପଡ଼ା, ଜମ୍ବୁ ଓ ମାର୍ଶାଘାଇ ଥାନା ଅଧିକାରୀଙ୍କ ଉପସ୍ଥିତିରେ ବିଏନଏସର ୧୬୩ଧାରା ଜାରିରହିଛି। ଏଥି ସହିତ ଧାନ ଥିବା ଜମି, ଧାନ ଗଦା ଓ କଟା ଧାନ ଜମିରେ ନାଲି ପତାକା ମଧ୍ୟ ଲଗାଯାଇଛି। ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ ରବିବାର ସ୍ଥାନୀୟ ତହସିଲଦାର, ଅତିରିକ୍ତ ତହସିଲଦାର ମାର୍ଶାଘାଇ, ମହାକାଳପଡ଼ା ଓ ଜମ୍ବୁ ପୁଲିସ ପ୍ରଶାସନ ଉପସ୍ଥିତିରେ ଗଦା ହୋଇଥିବା ଓ କଟାଯାଇ ଥିବା କଚଡ଼ା ପଡ଼ିଥିବା ଓ ଜମିରେ କଟାହୋଇ ନଥିବା ଧାନ ଜବତ କରି ଥ୍ରେସର ମେସିନରେ ଧାନ ଅମଳ କରିଛନ୍ତି। ପେଟଛେଲା ରାଜସ୍ୱ ଅଧିକାରିଣୀ ତହସିଲ୍‌ଦାର୍‌ଙ୍କ ଉପସ୍ଥିତିରେ ଅମଳ ହେଉଥିବା ଧାନକୁ ଗଣତିରେ ଗାଡ଼ିରେ ଲୋଡିଂ କରି ତହସିଲ୍ ପଠଇଛନ୍ତି। ଅମଳ ହୋଇଥିବା ସମୁଦାୟ ୧୮୨ବସ୍ତା ଧାନ ପୁଲିସ ସହାୟତାରେ ପେଟଛେଲା ମୌଜାରୁ ତହସିଲ କାର୍ଯ୍ୟାଳୟକୁ ପଠାଯାଇଛି। ତେବେ ମହଜୁଦ ଧାନକୁ ସର୍ବସମ୍ମୁଖରେ ନିଲାମ ହେବ ବୋଲି ପ୍ରଶାସନ ତରଫରୁ ଜଣାପଡିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking