ଭୁବନେଶ୍ୱର: ଆସନ୍ତା ୪ ଏବଂ ୫ ରେ କଂଗ୍ରେସ ଭବନରେ ଆଗାମୀ ନେତା ନେଇ ପ୍ରକ୍ରିୟା ଆରମ୍ଭ ହେବ । ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଏଆଇସିସି ଦ୍ୱାରା ନିଯୁକ୍ତ ଦୁଇ ଜଣିଆ ପର୍ଯ୍ୟବେକ୍ଷକ ଟିମ । ଛତିଶଗଡ଼ର ବିରୋଧୀ ଦଳ ନେତା ଚରଣ ଦାଶ ମହନ୍ତ ଏବଂ ବରିଷ୍ଠ କଂଗ୍ରେସ ନେତ୍ରୀ ମିନାକ୍ଷୀ ନଟରାଜନଙ୍କୁ ଦାଇତ୍ୱ ଦେଇଛି ଦଳ । ଉଭୟ ୪ ତାରିଖରେ ଭୁବନେଶ୍ୱରରେ ପହଞ୍ଚି ରାଜ୍ୟ କଂଗ୍ରେସର ବରିଷ୍ଠ ନେତା , ପୂର୍ବତନ ପଦାଧିକାରୀ, ବ୍ଲକ ଏବଂ ଜିଲ୍ଲା ସଭାପତିଙ୍କ ସହ ବୈଠକ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ । କିଏ ହେବ ଆଗାମୀ ପିସିସି ସଭାପତି ? କାହାକୁ ଦାୟିତ୍ୱ ଦେଲେ ଓଡ଼ିଶାରେ କଂଗ୍ରେସ ସଂଗଠନ ଅଧିକ ସୁଦୃଢ ଏବଂ କ୍ରିୟାଶୀଳ ହେବ ? ସେନେଇ ବିଚାରବିମର୍ଷ କରିବେ ।
ଏଆଇସିସି ଦ୍ୱାରା ନିଯୁକ୍ତ ପର୍ଯ୍ୟବେକ୍ଷକ ବରିଷ୍ଠ ନେତାମାନଙ୍କ ସହ କରିବେ ଆଲୋଚନା । ସମୀକ୍ଷା ପରେ ଏଆଇସିସିକୁ ରିପୋର୍ଟ ଦିଆଯିବ । ଆଉ ସେହି ରିପୋର୍ଟ ଆଧାରରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ନୂଆ ମୁଖିଆ ଘୋଷଣା ହେବେ । ଖାଲି ସେତିକି ନୁହେଁ, ୨୦୨୪ ସାଧାରଣ ନିର୍ବାଚନରେ ଦଳ କାହିଁକି ସଫଳତା ପାଇଲା ନାହିଁ ? ବିଜେଡି ପ୍ରତି ଓଡିଶାବାସୀଙ୍କ କ୍ଷୋଭର ଫାଇଦା କାହିଁକି କଂଗ୍ରେସ ନେଇ ପାରିଲା ନାହିଁ । କାହିଁକି ଭାରତୀୟ ଜନତା ପାର୍ଟି ସପକ୍ଷରେ ଜନମତ ଗଲା । ଏସବୁର ପୋଷ୍ଟମର୍ଟମ କରିବ ରାଜ୍ୟ କଂଗ୍ରେସ । ଦୁଇ ଜଣ ପର୍ଯ୍ୟବେକ୍ଷକ ସମୀକ୍ଷା କରି ଇଓଉଉକୁ ରିପୋର୍ଟ ପ୍ରଦାନ କରିବେ ।