ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାରେ ବିଳମ୍ବିତ ରାତିରେ ହୋଇଥିଲା ପ୍ରବଳ ବର୍ଷା ଓ ପବନ। ଗଛ ପଡ଼ିଯିବାରୁ ଭିନ୍ନ ଭିନ୍ନ ସ୍ଥାନରେ ଦୁଇ ମୃତ, ତିନି ଆହତ। ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଗତକାଲି ବିଳମ୍ବିତ ରାତିରେ ବାରିପଦା ଏବଂ ଆଖପାଖ ଅଞ୍ଚଳରେ ପ୍ରବଳ ପବନ ତୋଫାନ ସାଙ୍ଗକୁ ବର୍ଷା ହୋଇଥିଲା। ରାତି ଦଶଟା ବେଳକୁ ହଠାତ୍ ପବନ ଜୋରରେ ବହିବାକୁ ଲାଗିଥିବା ବେଳେ ବର୍ଷା ଏବଂ ବିଜୁଳି ମଧ୍ୟ ହୋଇଥିଲା। ଗତକାଲି ରାତିରେ ବାରିପଦା ଦେଇ ଯାଇଥିବା ୧୮ ନଂ ଜାତୀୟ ରାଜପଥର କୁଳିଅଣା ରାସ୍ତାର ଅସନଯୋଡା ପାଖରେ ଏକ ଗଛ ପଡ଼ିଯିବାରୁ ଏହି ଗଛରେ ଧକ୍କା ହୋଇ ଜଣେ ମୋଟର ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା ଏବଂ ଅନ୍ୟ ଦୁଇ ମଟର ସାଇକେଲ ଆରୋହୀ ଆହତ ହୋଇଥିଲେ।ମୃତ ବ୍ୟକ୍ତି ଜଣକ ବାମଦାଶ ହାଁସଦା। ସେ ବାରିପଦାରେ ସିକ୍ୟୁରିଟି ଗାର୍ଡ ଭାବେ କାର୍ଯ୍ୟ କରନ୍ତି। ସେ ନିଜ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ସେହିପରି ବାରିପଦା ଖୁଣ୍ଟା ରାସ୍ତାର କଲେଜ ଛକ ନିକଟରେ ମଧ୍ୟ ଜଣେ ବାଇକ ଆରୋହୀ ଗଛରେ ଧକ୍କା ହେବାରୁ ତାଙ୍କର ମୃତ୍ୟୁ ହୋଇଛି। ମୃତକ ଜଣକ ନଗେନ ମୁର୍ମୁ ତାଙ୍କ ଘର ଖୁଣ୍ଟା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତିରେ ଏମାନଙ୍କୁ ପିଆରଏମ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛନ୍ତି।










