ଇସ୍ଲାମାବାଦ: ପାକିସ୍ତାନ ରାଜନୀତିରେ ଏବେ ଜୋରଦାର ହଲ୍ଚଲ୍ ଚାଲିଛି। ଦେଶରେ ସେନା ପୁଣି ସରକାର ବଦଳାଇ ଗାଦି ଦଖଲ ଲାଗି ଯୋଜନା କରୁଛି । ‘ମୁଶରଫ୍ ମଡେଲ୍’ ଆପଣାଇବାକୁ ବ୍ୟଗ୍ର ସେନା ମୁଖ୍ୟ ତଥା ଫିଲ୍ଡ ମାର୍ଶଲ ଅସିମ ମୁନିର । କୁହାଯାଉଛି ଯେ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦ୍ଦାରୀ ଶୀଘ୍ର ଇସ୍ତଫା ଦେବେ । ତାଙ୍କ ସ୍ଥାନରେ ମୁନିର ନୂଆ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ସେହିଭଳି ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି)ର ନେତା ବିଲାୱଲ ଭୁଟ୍ଟୋ ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହେବେ । ଏଥିସହ ଦେଶରେ ସଂସଦୀୟ ପ୍ରଣାଳୀ ବଦଳିଯିବ । ରାଷ୍ଟ୍ରପତି ପ୍ରଣାଳୀ ଲାଗୁ କରାଯିବ । ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି ।
ସରକାର ପରିବର୍ତ୍ତନ ପ୍ରକ୍ରିୟା ପାକ୍ ସେନାର ସମର୍ଥନରେ ହିଁ ଜାରି ରହିଛି । ମୁନିର ବର୍ତ୍ତମାନ ସେନା ଏବଂ କ୍ଷମତା ଢାଞ୍ଚାରେ ସବୁଠୁ ଶକ୍ତିଶାଳୀ ପଦରେ ଆସୀନ ଅଛନ୍ତି । ତାଙ୍କ ଇସାରାରେ ସେନା ଓ ସରକାର ଚାଲୁଛି । ନିକଟରେ ମୁନିରଙ୍କୁ ହ୍ୱାଇଟ୍ହାଉସ୍ ତରଫରୁ ହୋଇଥିବା ନିମନ୍ତ୍ରଣ ଏହାର ଏକ ନଜିର । ଏହାର ଅର୍ଥ ଆମେରିକା ବି ତାଙ୍କୁ ପାକିସ୍ତାନର ସବୁଠୁ ପ୍ରଭାବଶାଳୀ ନେତା ଭାବୁଛି । ସମ୍ଭବତଃ ପାକ୍ରେ ସେନା ଖୁବଶୀଘ୍ର ଗାଦି ଦଖଲ କରିବା ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କୁ ଜଣା ଥିଲା ବୋଲି କୁହାଯାଉଛି । ମୁନିର ଏବେ ଆଉ ପାଦେ ଆଗକୁ ଯାଇ ସମ୍ପୂର୍ଣ୍ଣ ସରକାରରେ ହକ୍ ଜମାଇବାକୁ ଚାହୁଁଛନ୍ତି । ନିକଟରେ ତାଙ୍କୁ ଫିଲ୍ଡ ମାର୍ଶଲ ପଦକୁ ପଦୋନ୍ନତି ମିଳିଥିଲା ।
ଏହି ପଦ ସହ ମୁନିରଙ୍କୁ ଆଜୀବନ ସୈନ୍ୟ ବିଶେଷାଧିକାର, ଆଇନ ପ୍ରତିରକ୍ଷା ଏବଂ ଅସାମ୍ବିଧାନିକ ହସ୍ତକ୍ଷେପଗୁଡ଼ିକରୁ ସୁରକ୍ଷା ମିଳିବ । ପୂର୍ବରୁ ପରଭେଜ ମୁଶରଫଙ୍କ ସମେତ ୩ ଜଣ ସେନାଧିକାରୀ ଶାସନ କଳ ହାତକୁ ନେଇ ରାଷ୍ଟ୍ରପତି ବନିଥିଲେ । ସେନା ମୁଖ୍ୟ ମୁନିର ଓ ରାଷ୍ଟ୍ରପତି ଜର୍ଦ୍ଦାରୀଙ୍କ ମଧ୍ୟରେ ବଢ଼ୁଥିବା ସମୀକରଣକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମ୍ଏଲ୍ଏନ୍) ବିରୋଧ ଆରମ୍ଭ କରିଦେଇଛି ।










