ୱାଶିଂଟନ୍: ଆମେରିକା-ମେକ୍ସିକୋ ସୀମାରେ ସେନା ମୁତୟନ । ଅନୁପ୍ରବେଶ ରୋକିବା ଦିଗର କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେନା ଟ୍ୟାଙ୍କ, ହେଲିକପ୍ଟର ସହ ପାଖାପାଖି ଦେଢ଼ ହଜାର ସୈନିକ ଆମେରିକାର ଦକ୍ଷିଣ ସୀମାରେ ପହଞ୍ଚିଛନ୍ତି । ଏଥିରେ ପ୍ରାୟ ୫ଶହ ମରିନ କର୍ପ୍ସ ଓ ୧ହଜାର ସୈନିକ ସାମିଲ ହୋଇଛନ୍ତି । ସୁରକ୍ଷାକୁ କଡ଼ାକଡ଼ି କରିବା ସହ ଅବାଧ ପ୍ରବେଶକୁ ରୋକିବା ପାଇଁ ଏହି ପଦକ୍ଷେପ ନେଇଛି ଆମେରିକା । ଦୁଇଟି ସି-୧୩୦ ହରକ୍ୟୁଲିସ ଓ ସି-୧୭ ଗ୍ଲୋବମାଷ୍ଟର ସହ ୟୁଏଚ୍-୭୨ ଲକୋଟା ସେନା ହେଲିକପ୍ଟର ମୁତୟନ କରାଯାଇଛି । ହ୍ବାଇଟ ହାଉସ ପକ୍ଷରୁ ଏହାର ଏକ ଭିଡିଓ ବି ସୋସିଆଲ ମିଡିଆ ଏକ୍ସରେ ସେୟାର କରାଯାଇଛି । ଏଥିରେ ଆମେରିକୀୟ ସୈନିକ, ଟ୍ୟାଙ୍କ ଓ ହେଲିକପ୍ଟର ପହଞ୍ଚୁଥିବାର ଦେଖିବାକୁ ମିଳିଛି । ଏହାସହ ଲେଖାଯାଇଛି, ଆମେରିକାର ସୁରକ୍ଷା ପାଇଁ ସିବିପି ବା କଷ୍ଟମ ଆଣ୍ଡ ବର୍ଡର ପ୍ରୋଟେକସନର ସହାୟତା କରିବ ମରିନ କର୍ପ୍ସ । ଏବଂ ପ୍ରତିଶ୍ରୁତି ଦେଇ ପ୍ରତିଶ୍ରୁତି ପୂରଣ କରାଯାଇଥିବା କଥା ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଛି । ୨୨ତାରିଖ ଦିନ ଆମେରିକା ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା ଯେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁତ୍ବପୂର୍ଣ୍ଣ ନିର୍ଦ୍ଦେଶରେ ଦସ୍ତଖତ କରିବାର ୩୬ଘଣ୍ଟା ଭିତରେ ଏହାକୁ କାର୍ଯ୍ୟକାରୀ କରାଯିବ। ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ପ୍ରଥମ ଅଭିଭାଷଣରେ ହିଁ ଆମେରିକା-ମେକ୍ସିକୋ ସୀମାରେ ଜରୁରୀକାଳିନ ସ୍ଥିତି ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଡୋନାଲ୍ଡ ଟ୍ରମ୍ପ । ଆମେରିକା-ମେକ୍ସିକୋ ସୀମାରେ ପୂର୍ବରୁ ଅଢ଼େଇ ହଜାର ସୈନିକ ମୁତୟନ ହୋଇଥିଲେ, ଏବେ ପୁଣି ଦେଢ଼ ହଜାର ସୈନକିଙ୍କୁ ମୁତୟନ କରାଯାଇଛି । କେବଳ ଏତିକି ନୁହେଁ ଅବାଧ ଅନୁପ୍ରବେଶ କରିଥିବା ୫୩୮ଜଣଙ୍କୁ ନିର୍ବାସିତ କରାଯାଇଛି । ଏହାସହ ଆମେରିକାର ସେନ ଡିଏଗୋ, ଏଲ୍ ପାସୋ, ଟେକ୍ସାସ ସୀମା ନିକଟରେ ଅନୁପ୍ରବେଶ କରିଥିବା ପ୍ରାୟ ୫ହଜାର ଲୋକଙ୍କୁ ଏୟାରଲିଫ୍ଟ କରାଯାଇ ନିର୍ବାସିତ କରାଯିବାର ବ୍ୟବସ୍ଥା କରାଯାଇଛି ।