ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବେ ଆମେରିକାବାସୀଙ୍କ ପାଇଁ ହିଁ ସବୁଠୁ ବଡ଼ ମୁଣ୍ଡବିନ୍ଧା ସାଜିଛନ୍ତି । ରିପୋର୍ଟ ଅନୁସାରେ ନିଜ ବିଭ୍ରାନ୍ତିକରଣ ନିଷ୍ପତ୍ତି ଯୋଗୁ ଅନ୍ୟ ଦେଶଙ୍କ ସହ ସମ୍ପର୍କ ଖରାପ କରିବାକୁ ମଧ୍ୟ ପଛାଉନଥିବା ଟ୍ରମ୍ପ୍ ଏବେ ନିଜ ଦେଶବାସୀଙ୍କ ପାଇଁ ଏକ ବଡ଼ ଆକ୍ସନ ନେବାକୁ ଯାଉଛନ୍ତି । ଟ୍ରମ୍ପ୍ କିଛି ଆମେରିକୀୟ ନାଗରିକଙ୍କୁ ଦେଶରୁ ବହିଷ୍କାର କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି, ‘ଯେଉଁମାନେ ଅପରାଧିକ ଅଭିଯୋଗରେ ଅଭିଯୁକ୍ତ କିମ୍ବା ଯେଉଁମାନେ ‘ବେସବଲ ବ୍ୟାଟ୍ରେ କାହାକୁ ଆଘାତ କରିବା’ ଭଳି ଗମ୍ଭୀର ଅପରାଧ କରିଛନ୍ତି, ସେମାନଙ୍କୁ ଆମେରିକାରୁ ବାହାର କରାଯିବା ଉଚିତ୍, ତେଣିକି ସେମାନେ ଆମେରିକାର ନିଜ ନାଗରିକ ହୋଇଥାଆନ୍ତୁ ପଛକେ । ଏଭଳି ଅପରାଧୀଙ୍କ ପାଇଁ ଆମେରିକାରେ କୌଣସି ସ୍ଥାନ ନାହିଁ ।’
ଫ୍ଲୋରିଡ଼ାର ଏକ ପ୍ରବାସୀ ଅଟକ କେନ୍ଦ୍ର ପରିଦର୍ଶନ ସମୟରେ ଟ୍ରମ୍ପ କହିଛନ୍ତି, ଏହି ଲୋକମାନେ ଆମ ଦେଶରେ ନୂଆ ନୁହନ୍ତି । ସେମାନେ ଏଠାରୁ ଆସିଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ଏଠାରେ ଜନ୍ମଗ୍ରହଣ କରିଛନ୍ତି । ଏହି ଅବସରରେ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି, ସେ ଗମ୍ଭୀର ଅପରାଧ କରୁଥିବା ନାଗରିକମାନଙ୍କୁ ଦେଶରୁ ବାହାର କରିବାକୁ ଚାହୁଁଛନ୍ତି । ସେ ଏହାକୁ ତାଙ୍କ ସରକାରଙ୍କ ପରବର୍ତ୍ତୀ ଲକ୍ଷ୍ୟ ଭାବରେ ବର୍ଣ୍ଣନା କରିଛନ୍ତି । ତଥାପି ଆମେରିକାର ଆଇନ ଅନୁଯାୟୀ, ଜନ୍ମଗତ ନାଗରିକତା ଥିବା ବ୍ୟକ୍ତିଙ୍କୁ ଦେଶରୁ ବାହାର କରାଯାଇପାରିବ ନାହିଁ । ଟ୍ରମ୍ପଙ୍କ ଏହି ବୟାନକୁ ମାନବାଧିକାର ସଂଗଠନ ଏବଂ ଅନେକ ଆଇନ ବିଶେଷଜ୍ଞ ସମାଲୋଚନା କରିଛନ୍ତି ।