ୱାଶିଂଟନ୍: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଯେକୌଣସି ମୂଲ୍ୟରେ ଗ୍ରୀନଲାଣ୍ଡକୁ ଅକ୍ତିଆର କରିବାକୁ ଚାହୁଁଛନ୍ତି। ସେ ନିଜର ଏହି ଅଭିଳାଷାକୁ ଚରିତାର୍ଥ କରିବା ପାଇଁ ସମୟେ ସମୟେ ସହଯୋଗୀ ଦେଶଗୁଡ଼ିକୁ ମଧ୍ୟ ଧମକ ଦେଉଛନ୍ତି। ଗୋଟିଏ ପଟେ ଗ୍ରୀନ୍ଲାଣ୍ଡକୁ ନେଇ ଟ୍ରମ୍ପ୍ ଏବଂ କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣିଙ୍କ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଥିବା ବେଳେ ଟ୍ରମ୍ପ୍ ଏବେ କାନାଡାକୁ ଭୟଭୀତ କରିବାକୁ ଚେଷ୍ଟା କରିବା ଆରମ୍ଭ କରିଥିବା ସୂଚନା ମିଳିଛି। ଟ୍ରମ୍ପ୍, ଗ୍ରୀନଲାଣ୍ଡକୁ ନିଜ ନିୟନ୍ତ୍ରଣକୁ ନେବା ସହ ସେଠାରେ ‘ଗୋଲ୍ଡେନ୍ ଡୋମ୍’ ବା କ୍ଷେପଣାସ୍ତ୍ର ପ୍ରତିରକ୍ଷା ପ୍ରଣାଳୀ ସ୍ଥାପନ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ କାନାଡା, ୟୁରୋପୀୟ ଦେଶଗୁଡ଼ିକ ସହିତ ମିଶି ଏହାକୁ ବିରୋଧ କରୁଛି। କାନାଡା ପ୍ରଧାନମନ୍ତ୍ରୀ କାର୍ଣ୍ଣି, ଏପ୍ରକାର ଯୋଜନାକୁ ଟ୍ରମ୍ପ୍ଙ୍କ ସ୍ୱେଚ୍ଛାଚାରୀ ନୀତି ବୋଲି କହି ସମାଲୋଚନା କରିଛନ୍ତି। ତେବେ କାର୍ଣ୍ଣଙ୍କ ବୟାନ୍ ସାମ୍ନାକୁ ଆସିବା ପରେ ଟ୍ରମ୍ପ୍ ମଧ୍ୟ ଏହାର ଜବାବ ଦେଇଛନ୍ତି। ରିପୋର୍ଟ ଅନୁସାରେ ଟ୍ରମ୍ପ୍, କାନାଡାକୁ ଚେତାବନୀ ଦେଇଛନ୍ତି ଯେ ଯଦି କାନାଡା ଆମେରିକା ପ୍ରଣାଳୀ ବଦଳରେ ଚୀନ୍ ସହିତ ଏହାର ଆର୍ôଥକ ସମ୍ପର୍କ ବିସ୍ତାର କରେ, ତେବେ ବେଜିଂ ଗୋଟିଏ ବର୍ଷ ମଧ୍ୟରେ ଏହାକୁ ‘ଗିଳି’ ଦେବ। କାନାଡା, ଆମେରିକା ବଦଳରେ ଚୀନ୍ ସହିତ ବନ୍ଧୁତା ବିକଶିତ କରୁଛି, ଯାହା ପ୍ରଥମ ବର୍ଷ ମଧ୍ୟରେ ସେମାନଙ୍କୁ ଧ୍ୱଂସ କରିଦେବ। ଅନ୍ୟପକ୍ଷେ କାନାଡା ଏପରି କରି ଉତ୍ତର ଆମେରିକାର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି, ଯାହାକୁ ଆମେରିକା କଦାପି ବରଦାସ୍ତ କରିବ ନାହିଁ।
ପ୍ରକାଶ, କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ଜାନୁଆରୀ ୧୩ରୁ ୧୭ ତାରିଖ ପର୍ଯ୍ୟନ୍ତ ଚୀନ୍ ଗସ୍ତ କରିଥିଲେ ଏବଂ ସେଠାରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ସ୍ୱାକ୍ଷର କରିଥିଲେ। କାର୍ଣ୍ଣିଙ୍କ ଏପ୍ରକାର ପଦକ୍ଷେପକୁ ନେଇ ଆମେରିକା ବିଶେଷକରି ଟ୍ରମ୍ପ୍ ମାତ୍ରଧିକ ଉତ୍କ୍ଷିପ୍ତ ହୋଇପଡିଛନ୍ତି। ଟ୍ରମ୍ପ୍ଙ୍କ କହିବାନୁସାରେ ଆମେରିକା କାନାଡାକୁ ଆର୍ଥିକ ସହାୟତା ଠାରୁ ଆରମ୍ଭ କରି ସମସ୍ତ ମାଗଣା ସେବା ଯୋଗାଇ ଆସୁଛି। ଏହାସତ୍ତ୍ୱେ କାନାଡା ପ୍ରଧାନମନ୍ତ୍ରୀ ଜଣେ କୃତଘ୍ନ ବ୍ୟକ୍ତିଙ୍କ ଭଳି ଆମେରିକା ସହ ବେଇମାନି କରୁଛନ୍ତି। କାନାଡା ଆମେରିକାକୁ ଧନ୍ୟବାଦ ଦେବା ବଦଳରେ ଏହାକୁ ବିରୋଧ କରିବା ଦୁର୍ଭାଗ୍ୟଜନକ। ଟ୍ରମ୍ପ୍ଙ୍କ କହିବାନୁସାରେ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ଣ୍ଣି ଭଲଭାବେ ବୁଝିବା ଉଚିତ୍ ଯେ, କାନାଡା ଆମେରିକା ଯୋଗୁଁ ଅସ୍ତିତ୍ୱ ରଖିଛି। ଆମେରିକାର ସହଯୋଗ ଓ ସମର୍ଥନ ବିନା କାନାଡାର କୌଣସି ଅସ୍ତିତ୍ୱ ନାହିଁ। ଟ୍ରମ୍ପ୍ଙ୍କ ଏପ୍ରକାର ଟିପ୍ପଣୀର ଜବାବରେ କାର୍ଣ୍ଣି ମଧ୍ୟ କହିଥିଲେ ଯେ, କାନାଡା କାହାର ଦୟାରେ ବଞ୍ଚୁନାର୍ହି। କାନାଡାର ନିଜସ୍ୱ ପରିଚୟ ଅଛି। ତେବେ ଏସବୁ ବାକ୍ଯୁଦ୍ଧ ମଧ୍ୟରେ ଟ୍ରମ୍ପ୍ ଏବଂ କାର୍ଣ୍ଣିଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ôଚଥିବା ବେଳେ ଏବେ ଗ୍ରୀନ୍ଲାଣ୍ଡ ବିବାଦ ଏହାକୁ ଅଧିକ ଉଗ୍ର କରିଦେଇଛି।










