ନୂଆଦିଲ୍ଲୀ: ରୁଷ୍ ଏବଂ ଭାରତ ମଧ୍ୟରେ ବଢ଼ୁଥିବା ବାଣିଜ୍ୟିକ ସମ୍ପର୍କକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ମାତ୍ରାଧିକ କ୍ଷୁବ୍ଧ ହୋଇପଡିଛନ୍ତି । ଏପରିକି ସେ ପରୋକ୍ଷରେ ଭାରତ ଉପରେ ୫୦୦% ଶୁଳ୍କ ଲଗାଇବାକୁ ମଧ୍ୟ ଧମକ ଦେଇଛନ୍ତି । ଟ୍ରମ୍ପ୍ କହିଛନ୍ତି, ରୁଷ୍ ସହିତ ଭାରତର ବାଣିଜ୍ୟିକ ସମ୍ବନ୍ଧ ଭଲଥିବାରୁ ଆମେରିକା ଏହି ପଦକ୍ଷେପ ନେଇପାରେ । ଏହା ସମ୍ପୂର୍ଣ୍ଣ ରୂପେ ତାଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ମଧ୍ୟ ସେ କହିବାକୁ ପଛାଇନାହାନ୍ତି । ଗୋଟିଏ ପଟେ ଭାରତ-ଆମେରିକା ମଧ୍ୟରେ ଟ୍ରେଡ୍ ଡିଲ୍ ଚୂଡାନ୍ତ କରାଯିବା ନେଇ ପ୍ରକ୍ରିୟା ଜାରି ରହିଛି । ଏପରିକି ପୁଣିଥରେ ଭାରତୀୟ ପ୍ରତିନିଧି ଦଳ ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ମଧ୍ୟ ଚୂଡାନ୍ତ ହୋଇସାରିଛି । କୃଷି ସମ୍ବନ୍ଧିତ କେତେକ ଉତ୍ପାଦ ଉପରେ ଦ୍ୱିପାକ୍ଷିକ ଆଲୋଚନା ହେବାକୁ ବାକି ରହିଛି ବୋଲି କୁହାଯାଉଛି । ଏପରିକି ବର୍ତ୍ତମାନ ସମୟ ସୁଦ୍ଧା ଉଭୟ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ସକାରାତ୍ମକ ରହିଥିବା ନେଇ ମଧ୍ୟ ଉଭୟ ଦେଶ ପକ୍ଷରୁ ଦାବି କରାଯାଇଆସୁଛି । ଏସବୁ ମଧ୍ୟରେ ଟ୍ରମ୍ପ୍ଙ୍କ ଏପ୍ରକାର ଚେତାବନୀ ପୂର୍ଣ୍ଣ ଧମକ ଭାରତ-ଆମେରିକା ଟ୍ରେଡ୍ ଡିଲ୍କୁ ଆହୁରି ଅଧିକ ବିଳମ୍ବିତ କରିପାରେ ବୋଲି ଆଶଙ୍କା କରାଯାଉଛି ।
ଡୋନାଲ୍ଡ ଟ୍ରମ୍ପ୍, ବର୍ତ୍ତମାନ ସୁଦ୍ଧା ୧୪ଟି ଦେଶ ଉପରେ ଅତିରିକ୍ତ ଶୁଳ୍କ (ଟାରିଫ୍) ଲାଗୁ କରିବା ନେଇ ଚିଠି କରିସାରିଛନ୍ତି । କିନ୍ତୁ ଭାରତ ଏହି ୧୪ ଦେଶ ମଧ୍ୟରେ ନାହିଁ । ଭାରତ ସହ ଟ୍ରେଡ୍ ଡିଲ୍ ଜାରି ରହିଥିବାରୁ ଆମେରିକା ଭାରତ ଉପରେ ବର୍ଦ୍ଧିତ ଟାରିଫ୍ ନୀତି ଲାଗୁ କରିନାହିଁ ବୋଲି ଟ୍ରମ୍ପ୍ ସ୍ପଷ୍ଟ କରିଛନ୍ତି । ଏବେ କିନ୍ତୁ ଯେତେବେଳେ ଭାରତ, ରୁଷ୍ ସହ ବାଣିଜ୍ୟିକ ସମ୍ପର୍କକୁ ଅଧିକ ମଜବୁତ୍ କରିବା ଦିଗରେ ଅଗ୍ରଗତି କରୁଛି ସେତେବେଳେ ଟ୍ରମ୍ପ୍ ଏପରି ଧମକ ଦେଇଛନ୍ତି । ପ୍ରକାଶ, ପୂର୍ବରୁ ଟ୍ରମ୍ପ ଚେତାବନୀ ଦେଇ କହିଥିଲେ ଯେ, ରୁଷ୍ ସହିତ ବାଣିଜ୍ୟିକ ସମ୍ପର୍କ ରଖୁଥିବା ଦେଶଗୁଡ଼ିକ ଉପରେ ସେ ବଡ଼ ଶୁଳ୍କ ଲାଗୁ କରିବେ ।
ଏପରି କି ସେ ‘ଦ ସାଙ୍କସନିଂ ରୁଷ୍ ଆକ୍ଟ-୨୦୨୫କୁ ମଧ୍ୟ ସମର୍ଥନ କରିଥିଲେ, ଯେଉଁ ଆଇନ୍ରେ ରୁଷ ଠାରୁ ତୈଳଜାତ ଉତ୍ପାଦ କ୍ରୟ କରୁଥିବା ଭାରତ ଏବଂ ଚୀନ୍ ଉପରେ ୫୦୦% ଶୁଳ୍କ ଲାଗୁ କରିବାର ପ୍ରାବଧାନ ରହିଛି । ୨୦୨୫ ମସିହାର ରୁଷୀୟ ପ୍ରତିବନ୍ଧକ ଆଇନ ଭାବରେ ଜଣାଶୁଣା ଏହି ବିଲ୍, ଭାରତ ଏବଂ ଚୀନ୍ ଭଳି ଦେଶମାନଙ୍କ ଉପରେ ୫୦୦ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଚାହୁଁଛି ଯେଉଁମାନେ ରୁଷୀୟ ଶକ୍ତି ଉତ୍ପାଦ କିଣିବା ଜାରି ରଖିଛନ୍ତି । ତେବେ ଏହି ପ୍ରାବଧାନ ସମ୍ପର୍କରେ ଟ୍ରମ୍ପଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ଏହା ସମ୍ପୂର୍ଣ୍ଣ ତାଙ୍କ ଉପରେ ନିର୍ଭରଶୀଳ ବୋଲି ଟ୍ରମ୍ପ କହିଛନ୍ତି । ଟ୍ରମ୍ପ୍ଙ୍କ ଏପ୍ରକାର ଧମକ ଭାରତ ଏବଂ ଚୀନ୍ ପାଇଁ ହୋଇଥିଲେ ମଧ୍ୟ ଏହା ସିଧାସଳଖ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ଉପରେ ଚାପ ସୃଷ୍ଟି କରିବାର ଆମେରିକାର ରଣନୀତିର ଅଂଶବିଶେଷ ।










