32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବିଦେଶୀ ସହାୟତା ଉପରେ ଲଗାଇଲେ ରୋକ୍‌ : ଟ୍ରମ୍ପ

ବିଦେଶୀ ସହାୟତା ଉପରେ ଲଗାଇଲେ ରୋକ୍‌ : ଟ୍ରମ୍ପ

ୱାଶିଂଟନ୍‌: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍‌ସ ଚାମ୍ବର କଂଗ୍ରେସର ମିଳିତ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଜାନୁଆରୀ ୨୦ରେ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ଅଭିଭାଷଣ। ଏହି ଅବସରରେ ଟ୍ରମ୍ପ୍ ୨ ଏପ୍ରିଲରୁ ଭାରତ ଉପରେ ଟିଟ୍ ଫର ଟାଟ୍ ଶୁଳ୍କ ଲାଗୁ କରିବାକୁ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଭାରତ ଆମେରିକା ଠାରୁ ୧୦୦%ରୁ ଅଧିକ ଶୁଳ୍କ ଆଦାୟ କରେ, ଏବେ ଆମେରିକା ମଧ୍ୟ ଆସନ୍ତା ମାସରୁ ସମାନ ନୀତି ଆପଣାଇବାକୁ ଯାଉଛି। ଟ୍ରମ୍ପ୍ ଚୀନ୍‌, କାନାଡା, ମେକ୍ସିକୋ ଆଦି ଦେଶ ଉପରେ ଲଗାଇଥିବା ଟାରିଫ୍ ସମ୍ପର୍କରେ ମଧ୍ୟ ଏହି ଅବସରରେ ସୂଚନା ଦେଇଛନ୍ତି। ଟ୍ରମ୍ପ୍‌ଙ୍କ କହିବାନୁସାରେ ଯଦି କୌଣସି କମ୍ପାନୀ ଆମେରିକାରେ ଉତ୍ପାଦ ନିର୍ମାଣ କରୁନାହିଁ, ତେବେ ତାକୁ ଶୁଳ୍କ ଦେବାକୁ ପଡିବ। ତେବେ ଟ୍ରମ୍ପ୍‌ଙ୍କ ଏହି ଅଭିଭାଷଣ ଏପରି ଏକ ସମୟରେ ଆସିଛି ଯେତେବେଳେ କି ତାଙ୍କର ଏହି ଟାରିଫ୍ ନୀତି ଯୋଗୁ ଚୀନ୍ ସମେତ ଅନ୍ୟ ଦେଶଗୁଡ଼ିକ କାଉଣ୍ଟର ଜବାବ ପରିପ୍ରେକ୍ଷୀରେ ଆମେରିକା ପାଇଁ ବ୍ୟାପକ ଟାରିଫ୍ ଲାଗୁ କରିଛନ୍ତି।

ଟ୍ରମ୍ପ୍ ଦୀର୍ଘ ୧ ଘଣ୍ଟା ୪୪ ମିନିଟର ଏକ ରେକର୍ଡ ଭାଷଣ ଦେଇଥିଲେ। ନିଜ ଭାଷଣ ଆରମ୍ଭରେ ସେ କହିଥିଲେ ଯେ, ଆମେରିକା ପାଇଁ ସୁବର୍ଣ୍ଣ ଦିନ ଫେରିଆସିଛି। ସେ ଗତ ୪୩ ଦିନରେ ଯାହା କରିଛନ୍ତି ତାହା ଅନେକ ସରକାର ସେମାନଙ୍କର ୪ କିମ୍ବା ୮ ବର୍ଷର କାର୍ଯ୍ୟକାଳରେ ମଧ୍ୟ କରିପାରିନଥିଲେ। ନିଜ ଭାଷଣ ଆଳରେ ଟ୍ରମ୍ପ ପାକିସ୍ତାନକୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ। ଟ୍ରମ୍ପ କହିଛନ୍ତି ଯେ ୨୦୨୧ ମସିହାରେ ଆଫଗାନିସ୍ତାନରେ ଆତଙ୍କବାଦୀଙ୍କ ଦ୍ୱାରା ୧୩ ଜଣ ଆମେରିକୀୟ ସୈନିକଙ୍କ ମୃତ୍ୟୁ ହୋଇଥିଲା। ପାକିସ୍ତାନ ସରକାର ସେହି ଆତଙ୍କବାଦୀଙ୍କୁ ଧରିବାରେ ଆମେରିକାକୁ ସହଯୋଗ କରିଥିଲେ। ସେହିପରି ରୁଷ-ୟୁକ୍ରେନ୍ ଯୁଦ୍ଧ ପ୍ରସଙ୍ଗରେ ମଧ୍ୟ ଟ୍ରମ୍ପ୍ ସୂଚନା ଦେଇଛନ୍ତି। ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ଯୁଦ୍ଧକୁ ଯଥାଶୀଘ୍ର ସମାପ୍ତ କରିବା ପାଇଁ ଆଲୋଚନା ପାଇଁ ଆସିବାକୁ ପ୍ରସ୍ତୁତ। ଆମେ ରୁଷ୍ ସହିତ ଗମ୍ଭୀର ଆଲୋଚନା କରିଛୁ। ଆମେ ମସ୍କୋରୁ ଦୃଢ଼ ସଙ୍କେତ ପାଇଛୁ ଯେ ସେମାନେ ମଧ୍ୟ ଶାନ୍ତି ପାଇଁ ପ୍ରସ୍ତୁତ। ଏତଦ୍‌ବ୍ୟତୀତ ଟ୍ରମ୍ପ୍ କହିଛନ୍ତି, ଗତ ଚାରି ବର୍ଷ ମଧ୍ୟରେ, ୨.୧ କୋଟି ଲୋକ ବେଆଇନ ଭାବରେ ଆମେରିକାରେ ପ୍ରବେଶ କରିଛନ୍ତି। ସମୟ ଆସିଯାଇଛି, ଏହି ବେଆଇନ୍ ଅନୁପ୍ରବେଶକାରୀଙ୍କୁ ଆମେରିକାରୁ ବିଦା କରିବାକୁ ହେବ। ଆମ ସରକାର ଆମେରିକୀୟ ଇତିହାସରେ ସବୁଠାରୁ ବଡ଼ ସୀମା ଏବଂ ପ୍ରବାସୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଟ୍ରମ୍ପ୍ ତାଙ୍କ ସରକାରଙ୍କ ନୂଆ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଆମେ ଗୋଲ୍ଡ କାର୍ଡ ଭିସା ସିଷ୍ଟମ ପ୍ରଚଳନ କରିବାକୁ ଯାଉଛୁ। ଏହା ଏକ ଗ୍ରୀନ କାର୍ଡ ପରି କିନ୍ତୁ ଅଧିକ ଉନ୍ନତ। ଏହା ବହୁ ସଂଖ୍ୟକ ନିଯୁକ୍ତି ସୃଷ୍ଟି କରିବ ଏବଂ କମ୍ପାନୀଗୁଡ଼ିକୁ ଲାଭ ଦେବ। ଆମେ କୌଣସି ପ୍ରକାରେ ପାନାମା କେନାଲର ନିୟନ୍ତ୍ରଣ ହାସଲ କରିବୁ। ଏହା ସହିତ, ଆମେ କୌଣସି ନା କୌଣସି ଉପାୟରେ ଗ୍ରୀନଲ୍ୟାଣ୍ଡକୁ ଆମ ଗହଣରେ ସାମିଲ କରିବୁ। ଆମେ ସେଠାକାର ଲୋକମାନଙ୍କୁ ସୁରକ୍ଷା ଦେବୁ। ଆମେରିକାରେ ବିଶ୍ୱର ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଅଧିକ ‘ତରଳ ସୁନା’ (ତେଲ ଏବଂ ଗ୍ୟାସ) ଅଛି। ଆମେ ଆଲାସ୍କାରେ ଏକ ବିଶାଳ ପ୍ରାକୃତିକ ଗ୍ୟାସ ପାଇପଲାଇନ ନିର୍ମାଣ କରିବାକୁ ଯାଉଛୁ। ଅନେକ ଦେଶ ଏଥିରେ କୋଟି କୋଟି ଟଙ୍କା ନିବେଶ କରିବାକୁ ଚାହୁଁଛନ୍ତି। ଆମେ ବିଜ୍ଞାନରେ ନୂତନ ସୀମା ଆଗକୁ ବଢ଼ାଇବୁ, ମାନବଜାତିକୁ ମହାକାଶକୁ ପ୍ରେରିତ କରିବୁ, ଏବଂ ମଙ୍ଗଳ ଗ୍ରହରେ ଆମେରିକୀୟ ପତାକା ଲଗାଇବୁ। ଆମେ ବିଶ୍ୱର ସବୁଠାରୁ ଉନ୍ନତ ଏବଂ ଶକ୍ତିଶାଳୀ ସଭ୍ୟତା ସୃଷ୍ଟି କରିବୁ।

ଟ୍ରମ୍ପ ଆଉ ଏକ ବଡ଼ ଘୋଷଣା କରି କହିଛନ୍ତି, ଏବେ ଦେଶରେ ଓଭରଟାଇମ ଏବଂ ଟିପ୍ସ ଉପରେ କୌଣସି ପ୍ରକାରର ଟିକସ ଲାଗିବ ନାହିଁ। ସେହିପରି ଟ୍ରମ୍ପ ସମସ୍ତ ବିଦେଶୀ ସହାୟତା ଉପରେ ରୋକ ଲଗାଇବା ଘୋଷଣା କରିଛନ୍ତି, ଯାହା ଆମେରିକାର ନୀତିରେ ଏକ ବଡ଼ ପରିବର୍ତ୍ତନର ଏକ ସଙ୍କେତ। ଏହି ଅବସରରେ ଟ୍ରମ୍ପ୍ ଜୋ ବାଇଡେନ୍‌ଙ୍କୁ ଆମେରିକୀୟ ଇତିହାସର ସବୁଠାରୁ ଖରାପ ରାଷ୍ଟ୍ରପତି ଭାବେ ବିବେଚନା କରିଥିଲେ। ବାଇଡେନ୍‌ଙ୍କ କାର୍ଯ୍ୟକାଳ ମଧ୍ୟରେ, ଆମେରିକାର ଅର୍ଥନୀତି ପ୍ରଭାବିତ ହୋଇଥିବା, ମୁଦ୍ରାସ୍ଫୀତି ହାର ବୃଦ୍ଧଇ ପାଇଥିବା ଭଳି ସମସ୍ୟା ସୃଷ୍ଟି ହୋଇଛି ବୋଲି ଟ୍ରମ୍ପ୍ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking