ଦିଗପହଣ୍ଡି: ଦିଗପହଣ୍ଡିରେ ଭୟଙ୍କର ସଡକ ଦୁର୍ଘଟଣା। ଟ୍ରକ୍କୁ ପିଟିଲା ଟାଭେଲର୍ସ। ଏହି ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଛନ୍ତି ଯାତ୍ରୀ। ଗଞ୍ଜାମ–ଗଜପତି ସୀମାନ୍ତ ପାଟପୁର ଥାନା ତପ୍ତପାଣି ଘାଟି ପାଳୁଖୋଳା ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସର, ରାସ୍ତାକଡରେ ଏକ ଟ୍ରକ୍ ଠିଆ ହୋଇଥିବାବେଳେ ଏକ ଟ୍ରାଭେଲର୍ସ ଧକ୍କା ଦେଇଛି। ଫଳରେ ୨୦ରୁ ଅଧିକ ଯାତ୍ରୀ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି। ୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି ୨୫ ଜଣ ଯାତ୍ରୀ ଭୁବନେଶ୍ବରରୁ ଭାୟା ଦିଗପହଣ୍ଡି ଦେଇ ତପ୍ତପାଣି ଏବଂ ଗଜପତି ଜିଲା ଜିରାଙ୍ଗ ଗାଁ ସ୍ଥିତ ବୌଦ୍ଧବିହାରକୁ ବୁଲି ଯିବା ପାଇଁ ଏକ ଟ୍ରାଭେଲର୍ସ ଗାଡ଼ିରେ ବାହାରିଥିଲେ।
ହେଲେ ପ୍ରବଳ କୁହୁଡି ଯୋଗୁ ରାସ୍ତା ଦେଖାଯାଇ ନଥିଲା। ଡ୍ରାଇଭରଙ୍କ ଅସାବଧାନତା କାରଣରୁ ରାସ୍ତାକଡରେ ଠିଆ ହୋଇଥିବା ଏକ ଟ୍ରକକୁ ଗାଡ଼ିଟି ପିଟି ଦେଇଥିଲା। ଫଳରେ ଟ୍ରାଭେଲର୍ସ ଗାଡ଼ିର ଡ୍ରାଇଭର ଏବଂ ଅନ୍ୟ ୨ ଜଣ ଯାତ୍ରୀ ଆହାତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଖବରପାଇ ପୋଡ଼ାମାରି ଫାଣ୍ଡି ପୁଲିସ୍ ଟିମ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଏବଂ ଟ୍ରାଭେଲର୍ସ ଗାଡ଼ିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।








