ପୁରୀ: ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ନିଶାଖୋରଙ୍କ ଉତ୍ପାତ । ଖୁଲମଖୁଲା ନିଶା ସେବନ କରି ଶ୍ରଦ୍ଧାଳୁଙ୍କୁ କରୁଛନ୍ତି ଦୁର୍ବ୍ୟବହାର । ଯାହାକୁ ନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏଭଳି ଦୃଶ୍ୟ ପୁରୀ ଶ୍ରୀମନ୍ଦିର ନିକଟରେ ଦେଖିବାକୁ ମିଳିଥିଲା । ଜଣେ ଅଣ ସେବାୟତ ନିଶା ସେବନ କରି ଟଳମଳ ଅବସ୍ଥାରେ ଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଏପରିକି ନିଜର ଭାରସାମ୍ୟ ରଖି ନପାରି ତଳେ ମଧ୍ୟ ପଡ଼ି ଯାଉଥିଲେ । ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ଏନେଇ କୌଣସି ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । ସେପଟେ ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଜଣେ ନିଶାଖୋର ଅଣସେବାୟତଙ୍କ ଉତ୍ପାତ ଘଟଣା ନେଇ ପ୍ରତିକ୍ରିୟା ରଖିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା । ସେ କହିଛନ୍ତି, ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କିଭଳି କଡ଼ାକଡ଼ି କରାଯାଇପାରିବ ସେନେଇ ପୁରୀ ଏସ୍ପିଙ୍କ ସହିତ ଏକ ବୈଠକ କରାଯାଇଛି । ଶ୍ରୀମନ୍ଦିର ପରିକ୍ରମା ମାର୍ଗରେ ଯେଭଳି କୌଣସି ଅଘଟଣ କିମ୍ବା ନିଶାଖୋରଙ୍କ ଉତ୍ପାତ ନରୁହେ ସେନେଇ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ଟିମ୍ ବୁଲୁଛନ୍ତି । ଏଥିସହ ଶ୍ରଦ୍ଧାଳୁଙ୍କ ସୁରକ୍ଷାକୁ ନେଇ ମଧ୍ୟ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କରାଯାଉଛି ।










