ପ୍ରୟାଗରାଜ: ଉତ୍ତରପ୍ରଦେଶର ପ୍ରୟାଗରାଗ ଜିଲ୍ଲାରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ଏଠାରେ ପରିବାରର ବଡ଼ପୁଅ ସମ୍ପତ୍ତି ତଥା ଜମିବାଡି ବିବାଦ କାରଣରୁ ନିଜ ବୁଢ଼ା ବାପା, ଉଭଣୀ ଏବଂ ଭାଣିଜୀଙ୍କୁ ଅତ୍ୟନ୍ତ ବିଭତ୍ସ ଭାବେ ହତ୍ୟା କରିଛି। କେବଳ ହତ୍ୟା କରିଛି ତାହା ନୁହେଁ, ଘଟଣା ସମ୍ପର୍କରେ ଯେପରି କେହି କିଛି ଜାଣିନପାରିବେ ସେନେଇ ମୃତଦେହଗୁଡ଼ିକୁ ଘର ପଛପଟେ ଥିବା କୂଅରେ ଫିଙ୍ଗି ମଧ୍ୟ ଦେଇଥିବା ଜଣାପଡିଛି।
ମୌଆଇମା ଥାନା ସୀମା ଅନ୍ତର୍ଗତ ଲୋକାପୁର ବିସାନି ଗ୍ରାମରେ ସମ୍ପତ୍ତି ବିବାଦକୁ ନେଇ ସୋମବାର ସନ୍ଧ୍ୟାରେ ମୁକେଶ ପଟେଲ ନାମକ ଜଣେ ବ୍ୟକ୍ତି ପ୍ରଥମେ ନିଜ ବୃଦ୍ଧ ବାପାଙ୍କୁ ହତ୍ୟା କରିଥିଲେ। ତେବେ ବାପାଙ୍କୁ ହତ୍ୟା କରିବା ସମୟରେ ଭଉଣୀ ଏବଂ ଭାଣିଜୀ ଏସବୁ ଦେଖିଦେଇଥିଲେ। ସୁତରାଂ ସେମାନଙ୍କୁ ମଧ୍ୟ ରାସ୍ତାରୁ ହଟାଇବା ଉଦ୍ଦେଶ୍ୟରେ ଉକ୍ତ ବ୍ୟକ୍ତିଜଣକ ନିଜ ଭଉଣୀ ଏବଂ ଭାଣିଜୀଙ୍କୁ ମଧ୍ୟ ମାରି ଦେଇଥିଲା। ତେବେ ଏସମ୍ପର୍କରେ ସୂଚନା ମିଳିବା ମାତ୍ରେ ପୁଲିସ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପୂର୍ବକ ଅଭିଯୁକ୍ତକୁ ଗିରଫ କରିବା ସହ କୂଅରୁ ମୃତଦେହଗୁଡ଼ିକ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅନ୍ୟପକ୍ଷେ ଅଭିଯୁକ୍ତ ପୁଲିସ ସମ୍ପର୍କରେ ସବୁ ସତ ମାନିଯାଇଥିବା ପୁଲିସ୍ କହିଛି।
ପୁଲିସ୍ ଅନୁସାରେ ଲୋକାପୁର ବିସାନି ଗ୍ରାମର ମୁକୁନ୍ଦ ପଟେଲ ନାମକ ଜଣେ ବ୍ୟକ୍ତିଙ୍କ ଅଭିଯୋଗ ପରେ ହିଁ ଏହି ଘଟଣା ସାମ୍ନାକୁ ଆସିଛି। ବାସ୍ତବରେ ମୁକୁନ୍ଦ ପଟେଲ ହେଉଛନ୍ତି ଏହି ପରିବାରର ଅନ୍ୟତମ ସଦସ୍ୟ ତଥା ମୃତ ବୃଦ୍ଧ ବ୍ୟକ୍ତିଙ୍କ ସାନପୁଅ। ତେବେ ମୁକୁନ୍ଦ ହତ୍ୟା ସମ୍ପର୍କରେ କିଛି ଜାଣିନଥିବା ବେଳେ ମୌଆଇମା ପୁଲିସ୍ ଷ୍ଟେସନ୍ରେ ନିଜ ବାପା ରାମ ସିଂହ ପଟେଲ୍ (୫୫), ଭଉଣୀ ସାଧନା (୩୦) ଏବଂ ଭାଣିଜୀ ଆସ୍ଥା (୧୪)ଙ୍କ ନିଖୋଜ ସମ୍ପର୍କରେ ଏଫଆଇଆର୍ ରୁଜୁ କରାଇଥିଲେ। ଏହି ସମୟରେ ମୁକୁନ୍ଦ ତାଙ୍କ ବଡ଼ ଭାଇ ମୁକେଶ ପଟେଲଙ୍କ ବିରୁଦ୍ଧରେ ମଧ୍ୟ ସନ୍ଦେହ ପ୍ରକାଶ କରିଥିଲେ ଯେ ସେ ସମ୍ପତ୍ତି ଲୋଭରେ ତାଙ୍କ ପରିବାର ସଦସ୍ୟଙ୍କୁ କ୍ଷତି ପହଞ୍ଚାଇପାରିବେ। ଏହାକୁ ଭିତ୍ତିକରି ଯେତେବେଳେ ପୁଲିସ୍ ମୁକେଶ ପଟେଲ୍ଙ୍କୁ ଗିରଫ କଲା ଏବଂ ସତ ସ୍ୱୀକାର କରିବାକୁ ବଳ ପ୍ରୟୋଗ କଲା ସେତେବଳେ ମୁକେଶ ସବୁକିଛି ସତ ମାନିଯାଇଛନ୍ତି। ମୁକେଶ ପୁଲିସକୁ ଦେଇଥିବା ସୂଚନାନୁସାରେ ତାଙ୍କର ତାଙ୍କ ବାପାଙ୍କ ସହିତ ସମ୍ପତ୍ତି ବିବାଦ ଥିଲା କାରଣ ସେ ତାଙ୍କ ସାନ ପୁଅ ମୁକୁନ୍ଦ ପଟେଲଙ୍କ ନାମରେ ୪ବିଘା ସମ୍ପତ୍ତିକୁ ପଞ୍ଜୀକୃତ କରିଦେଇଥିଲେ। ଏପରିକି ସେ ତାଙ୍କ ବାପାଙ୍କୁ ମାତ୍ର ୧୦ ବିସୱା ଜମି ମାଗିଥିଲେ କିନ୍ତୁ ବାପା ତାଙ୍କୁ ମନା କରିଦେଇଥିଲେ। ଏଥିରେ କ୍ରୋଧିତ ହୋଇ ସେ ଜାନୁଆରୀ ୨ରେ ବାପାଙ୍କ ଘରେ ପହଞ୍ଚି ବାପାର ଗଳା କାଟି ହତ୍ୟା କରିଥିଲେ। ସେ ନିଜ ଭଉଣୀ ଏବଂ ଭାଣିଜୀକୁ ମାରିବାକୁ ଚାହୁଁନଥିଲେ। କିନ୍ତୁ ସେମାନେ ସବୁକିଛି ଦେଖିଦେଇଥିଲେ ଏବଂ ପୁଲିସ୍ରେ କହିଦେବେ ବୋଲି ଭାବି ସେମାନଙ୍କୁ ମଧ୍ୟ ସେ ହତ୍ୟା କରିଥିଲା। କୂଅରୁ ୩ ମୃତଦେହ ସହ ହତ୍ୟାରେ ବ୍ୟବହୃତ କୁରାଢ଼ି ମଧ୍ୟ ଉଦ୍ଧାର କରାଯାଇଥିବା ପୁଲିସ୍ କହିଛି।









