25.1 C
Bhubaneswar
Thursday, February 5, 2026
Homeଓଡିଶାଶ୍ରାଦ୍ଧଦିବସ ଅବସରରେ ଶହୀଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ଶ୍ରାଦ୍ଧଦିବସ ଅବସରରେ ଶହୀଦ ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଊନବିଂଶ ଶତାବ୍ଦୀର ଶେଷଭାଗରେ ଭାରତର ପୂର୍ବାଞ୍ଚଳ ଘଞ୍ଚ ଜଙ୍ଗଲ ମଧ୍ୟରେ ଯେଉଁ ବିପ୍ଳବର ସ୍ୱର ଝଙ୍କୃତ ହୋଇଥିଲା ତାହା ହିଁ ଥିଲା ବି୍ରଟିଶ ରାଜ ପ୍ରତିଷ୍ଠା ବିରୁଦ୍ଧରେ ପ୍ରତିବାଦର ସ୍ୱର । ଏହି ଆନ୍ଦୋଳନର ମୁଖ୍ୟ ସୂତ୍ରଧର ମହାନ ବିପ୍ଳବୀ ବିର୍ସା ମୁଣ୍ଡା ୧୮୭୫ ମସିହା ନଭେମ୍ବର ୧୫ ତାରିଖ ଦିନ ଜନ୍ମ ଗ୍ରହଣ କରିଥିଲେ । ବି୍ରଟିଶ ଶାସନର ଦାସତ୍ୱରୁ ମୁକ୍ତି ପାଇବା ନିମନ୍ତେ ବିପ୍ଳବୀ ବିର୍ସା ମୁଣ୍ଡାମାନଙ୍କୁ ସଂଗଠିତ କରିବା ନିମନ୍ତେ କାର୍ଯ୍ୟ ଆରମ୍ଭ କଲେ । ସେତେବେଳେ ଜାଗିରିଦାର, ଜମିଦାର ଓ ଠିକାଦାରମାନେ ମୁଣ୍ଡା ତଥା ଆଦିବାସୀମାନଙ୍କ ଉପରେ ଅତ୍ୟାଚାର କରିବା ସହିତ ବିଭିନ୍ନ ଭାବରେ ଶୋଷଣ କରୁଥିଲେ ଏବଂ ଭୟଭୀତ କରି ରଖିଥିଲେ । ଏହିଭଳି ଏକ ସନ୍ଧିକ୍ଷଣରେ ମହାନ ବିପ୍ଳବୀ ତଥା ସ୍ୱାଧୀନଚେତା ବିର୍ସା ମୁଣ୍ଡାଙ୍କର ଆବିର୍ଭାବ ଘଟିଥିଲା । ସେ ମୁଣ୍ଡା ସମ୍ପ୍ରଦାୟର ନେତୃତ୍ୱ ନେବା ସଙ୍ଗେ ସଙ୍ଗେ ବି୍ରଟିଶ ଶାସନର ଅନ୍ୟାୟ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାକୁ ସେମାନଙ୍କୁ ପ୍ରବର୍ତ୍ତାଇ ଥିଲେ । ବିର୍ସା ମୁଣ୍ଡା ମାତ୍ର ୨୫ ବର୍ଷ ବୟସରେ ଶହୀଦ ହୋଇଥିଲେ । ବିର୍ସାଙ୍କ ସହ ହାତ ମିଳାଇ ଦେଶ ପାଇଁ ହଜାର ହଜାର ସଂଖ୍ୟକ ସଂଗ୍ରାମୀ ମୃତୁ୍ୟବରଣ କରିଥିଲେ । ଆଜି ବିର୍ସାଙ୍କୁ ସମ୍ମାନ କରାଯାଉଛି ଏବଂ ସେ ‘ବିର୍ସା ଭଗବାନ’ ଭାବେ ଓଡ଼ିଶା ଏବଂ ବିଭିନ୍ନ ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ପୂଜା ପାଉଛନ୍ତି । ଆମେ ଭାରତୀୟମାନେ ଗର୍ବିତ ଯେ ଆମ ମାତୃଭୂମିରେ ଏପରି ଜଣେ ତେଜସ୍ୱୀ ବୀର ସନ୍ତାନ ଭୂମିଷ୍ଠ ହୋଇଥିଲେ ।

ଗୋତି ତଥା କ୍ରୀତଦାସ ପ୍ରଥା ବିରୁଦ୍ଧରେ ଜଣେ ଯୋଦ୍ଧା ଭାବେ ଅଦମ୍ୟ ସାହସ ଓ ପ୍ରଶଂସନୀୟ ଉତ୍ସାହର ମୂର୍ତ୍ତିମନ୍ତ ପ୍ରତୀକ ଭାବେ ବିର୍ସା ଗଣା ହୁଅନ୍ତି । ଆଜି ସେ ଆଦିବାସୀମାନଙ୍କ ନିମନ୍ତେ ଗୌରବମୟ ପରିଚିତ ଓ ଭବିଷ୍ୟତ ପିଢ଼ିଙ୍କ ନିମନ୍ତ ଆଲୋକବର୍ତ୍ତିକା । ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସହିଦ ବିର୍ସା ମୁଣ୍ଡାଙ୍କ ଶ୍ରାଦ୍ଧଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ବିଧାନସୌଧ ସମ୍ମୁଖରେ ଥିବା ସହିଦଙ୍କ ପ୍ରତିମୂର୍ତ୍ତିରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଧାୟକ ଶ୍ରୀ ବାବୁ ସିଂ, ଶ୍ରୀ ଦୁଷ୍ମନ୍ତ ସ୍ୱାଇଁ, ଶ୍ରୀ ସରୋଜ ପାଢ଼ୀ, ଶ୍ରୀ ଦୁର୍ଗା ଚରଣ ତନ୍ତୀ, ଶ୍ରୀ ରୁପୁ ଭତ୍ରା, ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୟ କୁମାର ସିଂହ, ବିଧାସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ସୁରେନ୍ଦ୍ରନାଥ ପରିଡ଼ା ଓ ଉପନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ପ୍ରମୁଖ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking