23.1 C
Bhubaneswar
Monday, March 24, 2025
Homeଓଡିଶାଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ଆଜି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭୁବନେଶ୍ୱର ପ୍ରାଚୀ ସ୍ଥିତ ବାସଭବନକୁ ଯାଇ କର୍ଣ୍ଣାଟକ ରାଜ୍ୟର ରାଜ୍ୟପାଳଙ୍କ ସମେତ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ବିଭିନ୍ନ ରାଜ୍ୟର ବରିଷ୍ଠ ମନ୍ତ୍ରୀଗଣ, ପଦାଧିକାରୀ, ସାମ୍ବାଦିକ ଏବଂ ବ୍ୟକ୍ତିବିଶେଷମାନେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଡା. ପ୍ରଧାନଙ୍କ ସହ ଥିବା ସ୍ମୃତିକୁ ମନେପକାଇଛନ୍ତି ।

ତାଓ୍ୱରଚନ୍ଦ ଗେହଲଟ, ରାଜ୍ୟପାଳ, କର୍ଣ୍ଣାଟକ :
ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ମୁଁ ବହୁତ ପୂର୍ବରୁ ଜାଣିଛି । ଅଟଳଜୀଙ୍କ ସରକାରରେ ସେ ମନ୍ତ୍ରୀ ଥିବା ବେଳେ ତାଙ୍କୁ ଅନେକ ଥର ଭେଟିଛି । ତାଙ୍କର ଜୀବନ ଥିଲା ପ୍ରେରଣାଦାୟୀ । ଜନସଂଘର କାର୍ଯ୍ୟକାଳ ସମୟରେ ବିଶେଷତଃ ଯେତେବେଳେ ଜନସଂଘର ନାମ ନେବା ପାଇଁ ଲୋକମାନେ ସଂକୋଚ ପ୍ରକାଶ କରୁଥିଲେ, ସେହି ସମୟରେ ସେ ଦେଶ ହିତରେ ସଂଘର୍ଷ କରୁଥିଲେ । ତାଙ୍କ ଠାରୁ ମୁଁ ପ୍ରେରଣା ନେଇଛି । ସବୁବେଳେ ଶାନ୍ତିପ୍ରିୟ ଓ ପ୍ରେରଣାଦାୟୀ ବାର୍ତ୍ତା ମାଧ୍ୟମରେ ଆମ୍ଭମାନଙ୍କୁ ସେ ମାର୍ଗଦର୍ଶନ ଦେଉଥିଲେ ।

ନାୟବ ସିଂହ, ମୁଖ୍ୟମନ୍ତ୍ରୀ, ହରିୟାଣା :
ଡା. ଦେବେନ୍ଦ୍ର ପ୍ରଧାନଙ୍କ ଜୀବନ ଖୋଲା ପୁସ୍ତକ ଭଳି ଥିଲା । ଡାକ୍ତର ଓ ଜନପ୍ରତିନିଧି ଭାବେ ଲମ୍ବା ସମୟ ଧରି ସେ ସମାଜସେବା କରିଥିଲେ । ପାର୍ଟିର ପ୍ରମୁଖ ସ୍ତମ୍ଭ ଥିଲେ । ପାର୍ଟିକୁ ଆଗକୁ ବଢାଇବାର ସେ କାମ କରିଛନ୍ତି । ଯେଉଁ ସମୟରେ କାର୍ଯ୍ୟକର୍ତ୍ତାମାନେ ଭୋକରେ ରହି ଦଳ ପାଇଁ କାମ କରୁଥିଲେ, ସେ ସମୟରେ ଡା. ପ୍ରଧାନ ଦଳର ସେବା କରୁଥିଲେ । ଫଳସ୍ୱରୂପ ଆଜି ବିଜେପି ବଟବୃକ୍ଷର ରୂପ ନେଇଛି ।

ବ୍ରିଜେଶ ପାଠକ, ଉପ ମୁଖ୍ୟମନ୍ତ୍ରୀ, ଉତ୍ତର ପ୍ରଦେଶ :
ଡା ଦେବେନ୍ଦ୍ର ପ୍ରଧାନ ସାରା ଜୀବନ ବିଜେପିର ସଂଗଠନକୁ ମଜଭୂତ୍ କରିବା କାମରେ ଲାଗିଥିଲେ । ତାଙ୍କର ଆଚରଣ ଆଜିର ଯୁବକଙ୍କ ପାଇଁ ପ୍ରେରଣାର ସ୍ରୋତ । ଆମେ ସମସ୍ତେ ଦେବେନ୍ଦ୍ର ପ୍ରଧାନଙ୍କ ଆଦର୍ଶ ମାନି ବିଜେପିର ସଂଗଠନକୁ ଆଗକୁ ବଢାଇବା ପାଇଁ ଆମର ଯୋଗଦାନ ନିରନ୍ତର ଜାରି ରଖିବୁ ।

କେ ଭି ସିଂହଦେଓ, ଉପ ମୁଖ୍ୟମନ୍ତ୍ରୀ, ଓଡ଼ିଶା :
ଡା. ଦେବେନ୍ଦ୍ର ପ୍ରଧାନ ଯେତେବେଳେ ୧୯୮୯ରେ ଭାରତୀୟ ଜନତା ପାର୍ଟିର ସଭାପତି ଥିଲେ, ମୁଁ ସେ ସମୟରେ ତାଙ୍କ ନେତୃତ୍ୱରେ ମୋର ରାଜନୀତି ଜୀବନ ଆରମ୍ଭ କରିଥିଲି । ମୁଁ ଲମ୍ବା ସମୟ ତାଙ୍କ ସହ କାମ କରିବାର ସୁଯୋଗ ପାଇଥିଲି । ଡା. ପ୍ରଧାନ ସରଳ ସ୍ୱଭାବର ମଣିଷ ଥିଲେ । ଯେଉଁ ସମୟରେ ବିଜେପିର ରାଜ୍ୟ କାର୍ଯ୍ୟାଳୟ କ୍ୟାପିଟାଲ ହସ୍ପିଟାଲ ସାମ୍ନାରେ ଥିଲା, ସେ ସମୟରୁ ତାଙ୍କ ସହ କାମ କରିବାର ସୁଯୋଗ ପାଇଥିଲି । ଅଟଳଜୀଙ୍କ ସରକାରରେ ମନ୍ତ୍ରୀ ହେବା ପରେ ଜାତୀୟ ରାଜପଥ ବୃଦ୍ଧି କରିବାରେ ଓଡ଼ିଶା ପ୍ରତି ତାଙ୍କର ଅବଦାନ ଥିଲା ବହୁତ । ଡା. ପ୍ରଧାନ କେନ୍ଦ୍ରମନ୍ତ୍ରୀ ହେବା ପୂର୍ବରୁ ଓଡ଼ିଶାରେ ୧୬୦୦ କିମି ଜାତୀୟ ରାଜପଥ ଥିଲା, ସେ କେନ୍ଦ୍ରମନ୍ତ୍ରୀ ହେବା ପରେ ୧୬୦୦ କିମିରୁ ଅଧିକ ରାସ୍ତା ସମ୍ପ୍ରସାରିତ ହୋଇଛି । ଓଡ଼ିଶାବାସୀ ତାଙ୍କର ଅବଦାନକୁ କେବେ ଭୁଲିପାରିବ ନାହିଁ ।

ଗଜେନ୍ଦ୍ର ସିଂହ ଶେଖାଓ୍ୱତ୍, ମନ୍ତ୍ରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରଣାଳୟ, ଭାରତ ସରକାର :
ଡା. ଦେବେନ୍ଦ୍ର ପ୍ରଧାନ ଜୀବନରେ ଗୋଟିଏ ବିଚାରକୁ ଧ୍ୟେୟ କରିଥିଲେ । ତାଙ୍କର ଜୀବନ ଓଡ଼ିଶାର ସେବା ପ୍ରତି ସମର୍ପିତ ଥିଲା । ଓଡ଼ିଶାବାସୀଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସେ ଆଜୀବନ ସାଧନା କରିଥିଲେ । ତାଙ୍କର ସେହି ସଂସ୍କାରରେ ପ୍ରେରିତ ହୋଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଗକୁ ବଢୁଛନ୍ତି । ଡା. ଦେବେନ୍ଦ୍ର ପ୍ରଧାନଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ।

ଏସ.ପି ସିଂହ ବାଘେଲ, ରାଷ୍ଟ୍ର ମନ୍ତ୍ରୀ, ମତ୍ସ୍ୟ, ପଶୁ ପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟ, ଭାରତ ସରକାର :
ଡା. ଦେବେନ୍ଦ୍ର ପ୍ରଧାନ ୧୨ତମ ଏବଂ ୧୩ତମ ଲୋକସଭାର ସଦସ୍ୟ ଥିବା ବେଳେ ମୁଁ ତାଙ୍କ ସହ କାମ କରିବାର ସୌଭାଗ୍ୟ ପାଇଥିଲି । ସେ ଜଣେ ସୁବକ୍ତା, କୁଶଳ ପ୍ରଶାସକ ଏବଂ ସମର୍ଥ କାର୍ଯ୍ୟକର୍ତ୍ତା ଥିଲେ । କେବଳ ଓଡ଼ିଶା ନୁହେଁ, ବରଂ ସାରା ଭାରତବର୍ଷରେ ମନ୍ତ୍ରୀ ସମେତ ବିଭିନ୍ନ ଦାୟିତ୍ୱ ପଦରେ ରହି ଅନେକ ଦାୟିତ୍ୱ ନିର୍ବାହ କରିଛନ୍ତି । ଓଡ଼ିଶା ବିଜେପିର ସଭାପତି ଦାୟିତ୍ୱରେ ଥିବା ବେଳେ ତାଙ୍କ ନେତୃତ୍ୱରେ ଦଳ ମଜଭୂତ୍ ହୋଇଛି । ଓଡ଼ିଶାରେ ବିଜେପି ସରକାର ଗଠନରେ ତାଙ୍କର ଅତୁଳନୀୟ ଯୋଗଦାନ ରହିଛି । ସେ ଯେଉଁ ମଞ୍ଜି ବୁଣିଥିଲେ, ତାହା ଆଜି ପୂର୍ଣ୍ଣ ବହୁମତ ସରକାରରେ ବଟବୃକ୍ଷର ରୂପ ନେଇଛି ।

ଜୟନ୍ତ ସିଂହ ଚୌଧୁରୀ, ରାଷ୍ଟ୍ର ମନ୍ତ୍ରୀ, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ, ଭାରତ ସରକାର
ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନ ଜଣେ ଦକ୍ଷ ନେତୃତ୍ୱ । ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ସହ ସେ ବହୁ ନିକଟରୁ କାମ କରିଛନ୍ତି । ଡା. ଦେବେନ୍ଦ୍ର ପ୍ରଧାନଙ୍କ ମୂଳ ଚରିତ୍ର ଓ ସ୍ୱଭାବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖରେ ରହିଛି ।

କୃଷ୍ଣ ପାଲ ଗୁର୍ଜ୍ଜର, ରାଷ୍ଟ୍ର ମନ୍ତ୍ରୀ, ସହକାରିତା ମନ୍ତ୍ରଣାଳୟ, ଭାରତ ସରକାର :
ସ୍ୱର୍ଗତ ଡା. ଦେବେନ୍ଦ୍ର ପ୍ରଧାନ ଆଜୀବନ ଦେଶ ଓ ସମାଜର ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିଲେ । ଓଡ଼ିଶାର ବିକାଶରେ ତାଙ୍କର ଯୋଗଦାନ ଅବର୍ଣ୍ଣନୀୟ । ସେହି ସଂସ୍କାରରେ ତାଙ୍କର ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ ଦେଶ, ସମାଜ ତଥା ଓଡ଼ିଶାର ବିକାଶ ପାଇଁ ସବୁବେଳେ ଆଗଭର ଅଛନ୍ତି । ଅମର ଆତ୍ମା ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରୁଛି ।
ଗିରିଶ ଚନ୍ଦ୍ର ଯାଦବ, ରାଷ୍ଟ୍ର ମନ୍ତ୍ରୀ, କ୍ରୀଡ଼ା ଏବଂ ଯୁବ ବ୍ୟାପାର ମନ୍ତ୍ରଣାଳୟ, ଉତ୍ତର ପ୍ରଦେଶ :
ଡା ଦେବେନ୍ଦ୍ର ପ୍ରଧାନ ବାଜପେୟୀଙ୍କ ସରକାରରେ ଅନେକ ଐତିହାସିକ କାମ କରିଥିଲେ । ତାଙ୍କ ଜୀବନ ଜନସେବା ପାଇଁ ସମର୍ପିତ ଥିଲା । ଦେଶର ଉନ୍ନତି ପାଇଁ ସେ ସର୍ବଦା କାମ କରିଥିଲେ ।

ବେବି ରାଣି ମୌର୍ଯ୍ୟ, ମନ୍ତ୍ରୀ, ମହିଳା କଲ୍ୟାଣ, ଶିଶୁ ଓ ପୋଷଣ ବିକାଶ ମନ୍ତ୍ରଣାଳୟ, ଉତ୍ତରପ୍ରଦେଶ :
ଡା. ଦେବେନ୍ଦ୍ର ପ୍ରଧାନ ଥିଲେ ଯୋଗ୍ୟ କୁଶଳ ନେତୃତ୍ୱ । ଆମ ପରି ଅନେକ ନେତୃତ୍ୱଙ୍କୁ ଆଗକୁ ନେବାରେ ତାଙ୍କର ଯୋଗଦାନ ଥିଲା ଅତୁଳନୀୟ । ବାଜପେୟୀଙ୍କ ସରକାରରେ ସେ କେନ୍ଦ୍ରମନ୍ତ୍ରୀ ଥିଲେ । କାର୍ଯ୍ୟକର୍ତ୍ତାଙ୍କୁ ଆଗକୁ ବଢାଇବାର କାମ କରୁଥିଲେ । ତାଙ୍କୁ ମୋର ଗଭୀର ଶ୍ରଦ୍ଧାଞ୍ଜଳି ।

ସଞ୍ଜୟ ସିଂହ ଗଙ୍ଗଓ୍ୱାର, ମନ୍ତ୍ରୀ, ଆଖୁ ବିକାଶ ଓ ଚିନି କଳ ମନ୍ତ୍ରଣାଳୟ, ଉତ୍ତରପ୍ରଦେଶ ସରକାର :
ବାବୁଜୀଙ୍କ ସ୍ୱର୍ଗବାସରେ ମୁଁ ବ୍ୟଥିତ । ଆମେ ଆମ ପ୍ରଦେଶରେ ବାବୁଜୀଙ୍କ ବିୟୋଗରେ ଏକ ଶୋକସଭା ଆୟୋଜନ କରିଥିଲୁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ।

ଗୋବନ୍ଦ ନାରାୟଣ ଶୁକ୍ଲା, ସାଧାରଣ ସମ୍ପାଦକ, ଉତ୍ତର ପ୍ରଦେଶ :
ଡା ଦବେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଭାବରେ ସମାଜ ପାଇଁ ଯାହା କାମ କରିଛନ୍ତି, ତାହା ଅପୁରଣୀୟ । ତାଙ୍କର ବିୟୋଗ ଆମ ପାଇଁ ବଡ କ୍ଷତି । ସାରା ଦେଶରେ ନିଜ କାମର ଛାପ ଛାଡିଛନ୍ତି । ତାଙ୍କ ଭଳି ଜନପ୍ରତିନିଧି ମିଳିବା ବିରଳ ।

ଯଶବନ୍ତ ସିଂହ ସାଇନୀ, ରାଷ୍ଟ୍ର ମନ୍ତ୍ରୀ, ସଂସଦୀୟ ବ୍ୟାପାର, ଉତ୍ତର ପ୍ରଦେଶ :
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ ଥିଲେ ଜଣେ ଦକ୍ଷ ନେତୃତ୍ୱ । ତାଙ୍କର କାର୍ଯ୍ୟ କରିବାର ଶୈଳୀ ଥିଲା ସ୍ୱତନ୍ତ୍ର । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ମୋର ସମବେଦନା ।

ଅରବିନ୍ଦ କୁମାର ଶର୍ମା, କ୍ୟାବିନେଟ୍ ମନ୍ତ୍ରୀ, ହରିୟାଣା :
ଡା. ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତି ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ଏବଂ ବିଜେପିର ବିଶେଷ ସମ୍ମାନ ରହିଥିଲା । ଓଡ଼ିଶାକୁ ଆଗକୁ ବଢାଇବା ସହ ଦେଶକୁ ମଜଭୂତ୍ କରିବା ଦିଗରେ ତାଙ୍କର ଚିନ୍ତାଧାରା ଥିଲା ସ୍ୱତନ୍ତ୍ର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ପିତାଙ୍କ ସଂସ୍କାରରେ ଓଡ଼ିଶା ଓ ଦେଶକୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହଙ୍କ କାନ୍ଧରେ କାନ୍ଧ ମିଶାଇ ଆଗକୁ ବଢୁଛନ୍ତି । ତାଙ୍କୁ ସେବେ ଉଚିତ୍ ଶ୍ରଦ୍ଧାଞ୍ଜଳି ହେବ, ଯେତେବେଳେ ସେ ଦେଖାଇଥିବା ମାର୍ଗରେ ଯାଇ ଆମେ ରାଜ୍ୟ ଓ ଦେଶକୁ ମଜଭୂତ୍ କରିବା

ମଞ୍ଜିଦର ସିଂହ ସିର୍ସା, ମନ୍ତ୍ରୀ, ପରିବେଶ, ଜଙ୍ଗଲ ଓ ବନ୍ୟପ୍ରାଣୀ ମନ୍ତ୍ରଣାଳୟ, ଦିଲ୍ଲୀ :
ଡା. ଦେବେନ୍ଦ୍ର ପ୍ରଧାନ ଛୋଟ କାର୍ଯ୍ୟକର୍ତ୍ତାରୁ ପ୍ରଦେଶ ସଭାପତି ଭାବରେ ଯେଉଁ କାମ କରିଛନ୍ତି, ପାର୍ଟିର ବିଚାରଧାରାକୁ ବଢାଇବା ଦିଗରେ ଯେଉଁ କାମ କରିଛନ୍ତି, ସେହି କାରଣରୁ ଆଜି ଓଡ଼ିଶାରେ ବିଜେପି ସରକାର କରିଛି । ତାଙ୍କ ଆଦର୍ଶରେ ପାର୍ଟି ଦେଶ ଓ ସମାଜ ପାଇଁ କାମ କରିବ ।

ତେଜ୍ ପାଲ ସିଂହ ନଗର, ବିଧାୟକ, ଉତ୍ତରପ୍ରଦେଶ :
ମାନନୀୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗ ମୋତେ ବହୁତ ଦୁଃଖ ଦେଇଛି । ଈଶ୍ୱର ତାଙ୍କ ଅମର ଆତ୍ମାର ସଦଗତି କାମନା କରନ୍ତୁ । ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।

ସତିଶ ଉପାଧ୍ୟାୟ, ବିଧାୟକ, ମାଲବୀୟନଗର, ଦିଲ୍ଲୀ :
ଏକ ସଂଗଠନ ଶିଳ୍ପୀ ଭାବେ ଡା. ଦେବେନ୍ଦ୍ର ପ୍ରଧାନଙ୍କ ଓଡ଼ିଶାରେ ବଡ ଯୋଗଦାନ ରହିଛି । ବାଜପେୟୀଙ୍କ ସରକାରରେ ସେ ମନ୍ତ୍ରୀ ଥିଲେ । ସେହି ସମୟରେ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତ୍ତା ଭାବରେ ତାଙ୍କୁ ଭେଟିଥିଲି । ତାଙ୍କ ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ବିଦ୍ୟାର୍ଥୀ ପରିଷଦର କାମ କରିବାର ଅବସର ମିଳିଥିଲା । ଓଡ଼ିଶା ସମେତ ଦେଶର ସଂଗଠନକୁ ମଜଭୂତ୍ କରିବାରେ ଡା. ପ୍ରଧାନଙ୍କ ଜୀବନ ଯାତ୍ରା ଆମ ପାଇଁ ପ୍ରେରଣାର ସ୍ରୋତ ।

ରାମେଶ୍ୱର ଶର୍ମା, ବିଧାୟକ, ଭୋପାଲ, ମଧ୍ୟପ୍ରଦେଶ :
ଡା. ଦେବେନ୍ଦ୍ର ପ୍ରଧାନ ବିଜେପି ପାଇଁ ନିରନ୍ତର ସଂଘର୍ଷ କରିବା ସହ ରାଷ୍ଟ୍ରବାଦୀ ବିଚାରଧାରାକୁ ବଢାଇଥିଲେ । ବାଜପେୟୀ ସରକାରରେ କେନ୍ଦ୍ରମନ୍ତ୍ରୀ ଭାବେ ସେ ଅନେକ ଦାୟିତ୍ୱ ନେଇଥିଲେ । ତାଙ୍କର ସୁପୁତ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ପରିବାର ସମଗ୍ର ଓଡ଼ିଶା ସମେତ ଦେଶ ପାଇଁ କାମ କରୁଛନ୍ତି । ଡା. ପ୍ରଧାନଙ୍କ ଜୀବନଯାତ୍ରା ଆମ ପାଇଁ ପ୍ରେରଣା । ତାଙ୍କ ଭଳି ନେତା ଭାରତର ଭୂମିରେ ଜନ୍ମ ନେବା ବିରଳ ।

କଳିକେଶ ନାରାୟଣ ସିଂହଦେଓ, ବିଧାୟକ, ବଲାଙ୍ଗୀର :
ଡା. ଦେବେନ୍ଦ୍ର ପ୍ରଧାନଙ୍କ ବିୟୋଗରେ ଓଡ଼ିଶାର ବଡ କ୍ଷତି ହୋଇଛି । ଓଡ଼ିଶାର ରାଜନୀତି ସାହିତ୍ୟ ସହ ଜଡିତ ଥିଲେ । କଂଗ୍ରେସ ବିରୋଧୀ ରାଜନୀତିକୁ ସ୍ଥାପିତ କରିବାରେ ଓଡ଼ିଶାରେ ତାଙ୍କର ମୁଖ୍ୟ ଭୂମିକା ଥିଲା । ତାଙ୍କର ସୁପୁତ୍ର ଧର୍ମେନ୍ଦ୍ର ପ୍ରଧାନ ଓ ପରିବାରଙ୍କ ସହ ଭେଟ ହେଲା । ଦେବେନ୍ଦ୍ର ବାବୁ ଯେଉଁ କାମ ଆରମ୍ଭ କରିଥିଲେ, ସେହି କାମକୁ ଧର୍ମେନ୍ଦ୍ର ବାବୁ ଆଗକୁ ବଢାଉଛନ୍ତି ।

ପଣ୍ଡିତ ମୋହନ ଲାଲ ବଡୋଲି, ରାଜ୍ୟ ସଭାପତି, ହରିୟାଣା :
ଡା. ଦେବେନ୍ଦ୍ର ପ୍ରଧାନ ରାଜ୍ୟ ଓ ଦେଶ ପାଇଁ ଅନେକ କାମ କରିଛନ୍ତି । ଓଡ଼ିଶାରେ ବିଜେପି ଯେତେବେଳେ ଦୁର୍ବଳ ଥିଲା, ସେ ସମୟରେ ଡା. ପ୍ରଧାନ କାମ କରି ସଂଗଠନକୁ ମଜଭୂତ୍ କରିଥିଲେ । ସେ ଅନେକ ଆଦିବାସୀ କ୍ଷେତ୍ରର ଲୋକଙ୍କୁ ପାର୍ଟି ସହ ଯୋଡିଥିଲେ । ଆଜି ସେହି କାର୍ଯ୍ୟକର୍ତ୍ତାଙ୍କ ବଳରେ ପାର୍ଟି ମଜଭୂତ୍ ଭାବେ ଉଭା ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking