25.1 C
Bhubaneswar
Saturday, December 6, 2025
Homeଓଡିଶାରାଜ୍ୟସ୍ତରୀୟ ଜୟନ୍ତୀରେ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି

ରାଜ୍ୟସ୍ତରୀୟ ଜୟନ୍ତୀରେ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର:  ପବିତ୍ର ଓଡ଼ିଶା ମାଟି ଅନେକ ବୀର ପୁରୁଷଙ୍କୁ ଜନ୍ମ ଦେଇଛି । ଦେଶ ପ୍ରେମରେ ଜୀବନକୁ ଆଲୋକରେ ଉଦ୍ଭାସିତ କରିଥିବା, ଚିନ୍ତାର ଉଚ୍ଚତମ ଶୃଙ୍ଗକୁ ସ୍ପର୍ଶ କରିଥିବା, ଦୃଢ଼ ସଂକଳ୍ପର ପରିଚୟ ଦେଇଥିବା ସେହିପରି ଜଣେ ପ୍ରଜ୍ଞାଦୀପ୍ତ ବ୍ୟକ୍ତିତ୍ୱ ଥିଲେ ବିପ୍ଳବୀ ଜୟୀ ରାଜଗୁରୁ l ସେ ଥିଲେ ବେଦ, ଶାସ୍ତ୍ର, ନୀତି, ଅସ୍ତ୍ର-ଶସ୍ତ୍ର ଓ ରାଜନୀତିରେ ନିପୁଣ, ଖୋର୍ଦ୍ଧା ଗଡ଼ ରାଜା ମୁକୁନ୍ଦ ଦେବଙ୍କ ରାଜଗୁରୁ। ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଅଧୀନକୁ ଆସି ଯାଇଥିଲା, ସେତେବେଳେ ଏହି ଖୋର୍ଦ୍ଧା ମାଟିରୁ ବିଦ୍ରୋହର ଅଗ୍ନି ସ୍ପୁଲିଙ୍ଗ ନିର୍ଗତ ହୋଇଥିଲା । ସେ ରାଜା ମୁକୁନ୍ଦ ଦେବଙ୍କ ସହ ମିଳି ଓଡ଼ିଆ ମାଟିର ସମ୍ମାନ ପାଇଁ ଅସ୍ତ୍ର ଧରି ଶେଷରେ ସହିଦ ହେଇଥିଲେ।ଜୟୀ ରାଜଗୁରୁଙ୍କ ଜୀବନୀ ଓ ବୀରତ୍ୱର ପଟାନ୍ତର ନାହିଁ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।
ଆଜି ପୂର୍ବାହ୍ନରେ ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ, ଓଡ଼ିଶାର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଅନୁଷ୍ଠିତ ମହାନ ବିପ୍ଳବୀ ଶହୀଦ ଜୟୀ ରାଜଗୁରୁଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରୀ ଗଜପତି ଶ୍ରୀ ଦିବ୍ୟସିଂହ ଦେବ କହିଲେ ଯେ ଜାତି ଉଦେଶ୍ୟରେ ଯେଉଁ ମହାନ ବ୍ୟକ୍ତିମାନେ ତାଙ୍କ ତ୍ୟାଗ, ବଳିଦାନ ସହିତ କୀର୍ତ୍ତି ଓ ସଂସ୍କୃତିକୁ ଉଜ୍ଜୀବିତ କରିଛନ୍ତି ତାଙ୍କ ମହିମା ଗାନ କରିବାର ଆବଶ୍ୟକତା ରହିଛି। ସାରା ଦେଶ ଯେତେବେଳେ ଇଂରେଜମାନଙ୍କ ଦ୍ୱାରା ଶାସିତ ହୋଇ ଅତ୍ୟାଚାରର ଶିକାର ହେଉଥିଲା  ଏ ଜାତିର ବୀର ପାଇକମାନଙ୍କୁ ଏକାଠି କରି ଜୟୀ ରାଜଗୁରୁ ଇଂରେଜମାନଙ୍କ ବିରୋଧରେ ଯେଉଁ ସଂଗ୍ରାମ ଆରମ୍ଭ କରିଥିଲେ ତାହା ସାରା ଇଂରେଜ ଶାସନକୁ ହତବାକ୍‌ କରିଦେଇଥିଲା । ତେଣୁ ଏହି ବୀରତ୍ୱର ଗାଥାକୁ ସମଗ୍ର ଭାରତ ବର୍ଷ ଜାଣିବାର ଆବଶ୍ୟକତା ରହିଛି। ଏଥିପାଇଁ ଗବେଷକମାନେ ଆଗେଇ ଆସିବା ଦରକାର। ବିପ୍ଲବୀଙ୍କ ପାଇଁ ଉପଯୁକ୍ତ ସ୍ଥାନ ଇତିହାସରେ ମିଳିବା ଦରକାର। ଐତିହ୍ୟ ବଞ୍ଚିଲେ ଜାତି ବଂଚିବ, ଜାତି ବଞ୍ଚିଲେ ଆମ କୀର୍ତ୍ତି ଓ ସଂସ୍କୃତି ସୁରକ୍ଷିତ ରହିବ।ଏଥିପାଇଁ ବିଦ୍ୟାଳୟ, ମହାବିଦ୍ୟାଳୟ, ଏବଂ ବିଶ୍ୱ ବିଦ୍ୟାଳୟ ସ୍ତରରେ ଉପଯୁକ୍ତ ଭାବେ ଜୟୀ ରାଜଗୁରୁଙ୍କ ବଳିଦାନ ସ୍ଥାନିତ ହେବା ଆବଶ୍ୟକ ବୋଲି କହିବା ସହିତ ଏଭଳି ମହାପୁରୁଷଙ୍କ କୀର୍ତ୍ତି ସମସ୍ତଙ୍କୁ ଅନୁପ୍ରାଣିତ କରୁ ବୋଲି କହିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ସାହିତ୍ୟିକ ତଥା ସୂଚନା ଓ ଲୋକ ସମ୍ପର୍କ ବିଭାଗର ପ୍ରାକ୍ତନ ନିର୍ଦେଶକ ସରୋଜ କୁମାର ସାମଲ ଯୋଗଦେଇ କହିଲେ ଯେ ଜୟୀ ରାଜଗୁରୁ ଥିଲେ ଜଣେ ଜ୍ଞାନୀ ଓ ପ୍ରଜ୍ଞାଦୀପ୍ତ ପୁରୁଷ। ସମ୍ରାଜ୍ୟବାଦୀ ବ୍ରିଟିଶ ଶାସନ ବିରୁଦ୍ଧରେ ତାଙ୍କର ଦୁର୍ବାର ସଂଗ୍ରାମ ବଳରେ ଇଂରେଜମାନଙ୍କୁ ଏ ମାଟିରୁ ତଡ଼ିବା ପାଇଁ ଯେଉଁ ଜାତୀୟତା ଜନ୍ମଲାଭ କରିଥିଲା ତାହାର ନେତୃତ୍ୱ ନେଇଥିଲେ ବିପ୍ଳବୀ ଜୟୀ ରାଜଗୁରୁ । ଦୂରଦୃଷ୍ଟି ଓ ଯୁଦ୍ଧକୌଶଳ ତାଙ୍କୁ ପ୍ରକୃତ ବିପ୍ଲବୀ ଆଖ୍ୟା ପ୍ରଦାନ କରିଛି ବୋଲି ସେ କହିଥିଲେ ।
ଶିକ୍ଷାବିତ ତଥା ଗବେଷକ ଶ୍ରୀ ଅନିଲ ଧୀର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜୟୀ ରାଜଗୁରୁଙ୍କୁ ଜଣେ ବିଶିଷ୍ଟ ଦେଶଭକ୍ତ, ରାଜଭକ୍ତ ଓ ଜାତିଭକ୍ତ ବୋଲି କହିବା ସହ ଜୟଗୁରୁଙ୍କ ଉପରେ ଅଧିକ ଗବେଷଣା ଆବଶ୍ୟଜ ବୋଲି ମତବ୍ୟକ୍ତ କରିଥିଲେ ।
ଏହି ଅବସରରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ଜୟୀ ରାଜଗୁରୁଙ୍କ ବଳିଦାନ ସମ୍ପର୍କିତ ଏକ ଇଂରାଜୀ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହେଇଥିଲା। ପରେ ପରେ ଗବେଷଣା ଓ ଅନୁସନ୍ଧାନ କ୍ଷେତ୍ରରେ ୫ ଜଣ ବରିଷ୍ଠ ଐତିହାସିକମାନଙ୍କୁ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରା ଯାଇଥିଲା।
ଏହି ଦିବସ ବ୍ୟାପି କାର୍ଯ୍ୟକ୍ରମରେ ଶହୀଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ ପକ୍ଷରୁ ‘ଜୟୀ ରାଜଗୁରୁଙ୍କ ଜୀବନୀ ଓ କାର୍ଯ୍ୟାବଳୀ’ ସଂପର୍କିତ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରାକ୍ତନ କୁଳାଧିପତି ଡ଼ ପ୍ରଫୁଲ୍ଲ କୁମାର ମିଶ୍ର, ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ, ମେଜର ପୁଷ୍ପଲତା ଦତ୍ତ, କୁଜଙ୍ଗ ମହାବିଦ୍ୟାଳୟର ଇତିହାସ ବିଭାଗ ମୁଖ୍ୟ ଡ଼ ସସ୍ମିତା ସାହୁ, ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଇତିହାସ ବିଭାଗ ଅଧ୍ୟାପକ ଶ୍ରୀ ପରମଜୀତ ସିଂହ, ଗୋପ ମହାବିଦ୍ୟାଳୟର ଇତିହାସ ଅଧ୍ୟାପକ, ଶ୍ରୀ ମହେନ୍ଦ୍ର କୁମାର ପ୍ରଧାନ, ସାଲେପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡଃ ପ୍ରସନ୍ନ କୁମାର ମହାପାତ୍ର, ପାରାଦ୍ୱୀପ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ସୁରେନ୍ଦ୍ର ମୋହନ ମିଶ୍ରଙ୍କ ସମେତ ଓଡ଼ିଶାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଲୋଚନାରେ ଭାଗ ନେଇ ଜୟୀ ରାଜଗୁରୁଙ୍କ ଜୀବନଆଦର୍ଶ ଉପରେ ବକ୍ତବ୍ୟ ରଖିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନେ ଜୟୀ ରାଜଗୁରୁଙ୍କ ଫଟୋଚିତ୍ରରେ  ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପରିଷଦର ସମ୍ପାଦକ ଜଟାଧାରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ସମାରୋହରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁପ କୁମାର ଦାସ ପଟ୍ଟନାୟକ, ନିର୍ଦ୍ଦେଶକ (ବୈଷୟିକ) ଶ୍ରୀ ଗୁରବୀର ସିଂହ, ଜୟଦେବ ଭବନର ଉପ ନିର୍ଦ୍ଦେଶକ ଦିପ୍ତିମୟୀ ମହାପାତ୍ର, ଉପ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପି୍ରୟଦର୍ଶିନୀ, ସୂଚନା ଓ ଲୋକସଂପର୍କ ବିଭାଗର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ସମେତ ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking