ଗଞ୍ଜାମ: ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ ୧୨ ଟାରେ ଏକ ପଥର ବୋଝେଇ ଟ୍ରାକ୍ଟର ଧକ୍କାରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଛି ।ମୃତକ ଦ୍ବୟ ହେଲେ ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ପାଳଝାଡି ଗାଁର ରଙ୍କ ଗୌଡ଼ଙ୍କ ପୁଅ ତୋଫାନ ଗୌଡ଼(୨୫) ଏବଂ ସ୍ବର୍ଗତ ସନ୍ତୋଷ କୁମାର ପଣ୍ଡାଙ୍କ ଏକମାତ୍ର ପୁଅ ସୁମିତ କୁମାର ପଣ୍ଡା(୨୬) । ଉଭୟେ ଦିଗପହଣ୍ଡିରେ କାମସାରି ବାଇକ ଯୋଗେ ଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଦ୍ରୁତଗତିରେ ଆସି ଟ୍ରାକ୍ଟର ଧକ୍କା ଦେଇଥିଲା । ଉଭୟେ ରାସ୍ତା ଉପରେ ବାଇକ ସହ ଛିଟକି ପଡ଼ିଥିଲେ।ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ସେଠାରେ ଉପସ୍ଥିତ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।ପୋଲିସ ଟିମ୍ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ବ୍ୟବଚ୍ଛେଦ ପରେ ମୃତଦେହ ଦୁଇଟିକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ଶେଷକୃତ୍ୟ କରାଯାଇଛି। ପୋଲିସ ଦୁର୍ଘଟଣାସ୍ଥଳରେ ପହଞ୍ଚି ବାଇକ ଓ ଟ୍ରାକ୍ଟରକୁ ଜବତ କରି ଥାନାକୁ ନେଇଛନ୍ତି । ଟ୍ରାକ୍ଟର ଚାଳକ ଫେରାର ଥିବା ପୋଲିସ କହିଛି ।










