ନୂଆଦିଲ୍ଲୀ: ଆଫ୍ରିକୀୟ ଦେଶ ଇଥିଓପିଆର ଏକ ଦୁର୍ଗମ ଅଞ୍ଚଳରେ ରବିବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଏକ ଟ୍ରକ ପୋଲରୁ ତଳକୁ ନଦୀକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ୭୧ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଘଟଣାସ୍ଥଳରେ ୬୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ୭ଜଣ ପ୍ରାଣ ହରାଇଛନ୍ତି। ରାଷ୍ଟ୍ରାୟତ୍ତ ଇଥିଓପିଆର ବ୍ରଡ୍କାଷ୍ଟିଂ କର୍ପୋରେସନ (ଇବିସି) ଅନୁଯାୟୀ ଦକ୍ଷିଣ ଇଥିଓପିଆର ସିଦାମା ରାଜ୍ୟର ବୋନା ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଛି। ପ୍ରାୟ ୯୦ରୁ ଅଧିକ ଲୋକ ଉକ୍ତ ଟ୍ରକ୍ରେ ବସି ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡିଛି।
ଖବର ପାଇ ପୁଲିସ୍ ଏବଂ ଅଗ୍ନିଶମ ବାହିନୀ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ କରିଥିଲେ। ଅନ୍ୟପକ୍ଷେ ଆହତମାନଙ୍କୁ ତୁରନ୍ତ ସହାୟତା ନ ମିଳିବାରୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇଛି। ଗୁରୁତର ଆହତ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୋନା ସ୍ଥିତ ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଅତୀତରେ ମଧ୍ୟ ଏହି ଅଞ୍ଚଳରେ ଅନେକ ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଗ୍ରାମବାସୀ କହିଛନ୍ତି। ୨୦୧୮ ମସିହାରେ ଇଥିଓପିଆରେ ଏକ ବଡ ଦୁର୍ଘଟଣା ଘଟିଥିଲା। ଏକ ସ୍କୁଲ ବସ୍ ଭାରସାମ୍ୟ ହରାଇ ଏକ ଖାଲରେ ଖସିପଡିଥିଲା। ଯେଉଁଥିରେ ୩୮ ଛାତ୍ରଛାତ୍ରୀ ପ୍ରାଣ ହରାଇଥିଲେ। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପୋଲ ଓ ଏହାର ଆଖପାଖ ରାସ୍ତାର ଅବସ୍ଥା ଖରାପ ରହିଛି। ଏହି ସ୍ଥାନକୁ ସୁରକ୍ଷିତ କରିବା ପାଇଁ ସେମାନେ ପୂର୍ବରୁ ପ୍ରଶାସନକୁ କହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିଲା।