ଗୋଆ: ଗୋଆର ଶିରଗାଓରେ ଅନୁଷ୍ଠିତ ଶ୍ରୀ ଲୈରାଇ ଯାତ୍ରାବେଳେ ବଡ଼ ଅଘଟଣ । ଯାତ୍ରାରେ ଦଳାଚକଟା ହୋଇ ୭ ଜଣଙ୍କ ଜୀବନ ଚାଲିଯାଇଛି । ୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଭିଡ଼ ଅଧିକ ଥିବା ବେଳେ ହଠାତ୍ ଲୋକମାନେ ଦୌଡଧାପଡ କରିଥିଲେ । ଫଳରେ ଲୋକମାନେ ପରସ୍ପର ଉପରେ ଚଢିଯାଇଥିଲେ ।
ଗୁରୁତର ଆହତମାନଙ୍କୁ ଗୋଆ ମେଡିକାଲ କଲେଜରେ ଆଡମିଟ୍ କରାଯାଇଛି । ଆଉ କିଛି ଆହତଙ୍କୁ ଉତ୍ତର ଗୋଆ ମାପୁସା ସ୍ଥିତ ଜିଲ୍ଲା ହସ୍ପିଟାଲକୁ ସ୍ଥାନାନ୍ତର କରିଦିଆଯାଇଛି । ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଏବଂ ଜରୁରୀକାଳୀନ ସେବା ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଘଟଣା ସୂଚନା ପାଇ ଗୋଆ ମୁଖ୍ୟମନ୍ତ୍ରୀ ଆହତମାନଙ୍କୁ ଭେଟିବା ପାଇଁ ଡାକ୍ତରଖାନାରେ ପହଞ୍ଚିଛନ୍ତି । ତେବେ ଦଳାଚକଟାରେ ମୃତ୍ୟୁ ସଂଖ୍ୟା ବଢ଼ିବା ନେଇ ଆଶଙ୍କା କରାଯାଉଛି । ତେବେ ଭିଡ଼ ଅଧିକ ହେବା କାରଣରୁ ଉଚିତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଏଭଳି ଅଘଟଣ ଘଟିଛି । ମନ୍ଦିରରେ ଏହି ଯାତ୍ରା ଶୁକ୍ରବାର ଆରମ୍ଭ ହୋଇଥିଲା । ଏଥିରେ ହଜାର ହଜାର ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଯାତ୍ରା ଦେଖିବାକୁ ଭକ୍ତଙ୍କ ସମାଗମ ବଢିବାକୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଛି । ଯାତ୍ରା ବେଳେ ବିଶୃଙ୍ଖଳା ପରିସ୍ଥତି ସୃଷ୍ଟି ହୋଇଥିଲା । ପ୍ରତିବର୍ଷ ଏହି ଯାତ୍ରା ହୁଏ । ଏଥର ଶ୍ରଦ୍ଧାଳୁଙ୍କ ସମାଗମ ଅଧିକ ହେବାରୁ ଏମିତି ଘଟିଛି । ଏଥିପାଇଁ ପ୍ରାୟ ୧୦୦୦ରୁ ଅଧିକ ପୋଲିସକର୍ମୀ ନିୟୋଜିତ ଥିଲେ । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ଡ୍ରୋନ ମଧ୍ୟ ଲଗାଯାଇଥିଲା । କିନ୍ତୁ ଏଭଳି ଅଘଟଣ ଘଟିଗଲା ।