ଯାଜପୁର: ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ଫେବୃଆରୀ ୩ରେ ଯାଜପୁର ମା’ ବିରଜା ମନ୍ଦିର ଦର୍ଶନ ଏବଂ ନାଭିଗୟାରେ ପିଣ୍ଡଦାନ ପାଇଁ ଆସୁଛନ୍ତି। ରାଷ୍ଟ୍ରପତି ଏବଂ ଭିଭିଆଇପିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସୁନିଶ୍ଚିତ କରାଯାଇଛି। ଏହି କ୍ରମରେ ଫେବୃଆରୀ ୩ ତାରିଖ ଦିନ ଯାଜପୁରର ବିଭିନ୍ନ ମାର୍ଗରେ ଯାନବାହାନ ଚଳାଚଳ ଉପରେ ନିଷେଧାଦେଶ ଜାରି କରାଯାଇଛି। ବିଞ୍ଝାରପୁରରୁ ଯେଉଁ ଯାନବାହନଗୁଡିକ କଟକ ଯିବେ, ସେହି ଗାଡ଼ି ସବୁ ରସିକ ଛକରୁ ଅଳକୁଣ୍ଡ, ପ୍ରୀତିପୁର ଭାୟା ରାମବାଗ ଛକରେ ବାହାରି ରିଙ୍ଗ ରୋଡ ଓ ମାଂସାପୋଲ ରାସ୍ତା ଦେଇ କୁଆଖିଆ ଓ ସଠିପୁର ଯିବେ। ଦୁଇ ଚକିଆ, ତିନି ଚକିଆ ଯାନ ମଙ୍ଗଳା ମନ୍ଦିର ଜାଉଁଳି ବନ୍ଧ ଠାରୁ ପ୍ରହରାଜପୁର ଦେଇ ସୁନ୍ଦରାଇମୁହଁରେ ନଦୀବନ୍ଧ ରାସ୍ତାକୁ ପହଞ୍ଚିବେ। ସେହିପରି କଟକରୁ ଆସୁଥିବା ଯାନବାହାନ ରିଙ୍ଗ ରୋଡ ଦେଇ ରାମବାଗ ଛକରୁ ପ୍ରୀତିପୁର ଅଳକୁଣ୍ଡ ଦେଇ ବିଞ୍ଝାରପୁର ଯିବେ। ଦୁଇ ଚକିଆ, ତିନି ଚକିଆ ଯାନ ସୁନ୍ଦରାଇମୁହଁ ମଙ୍ଗଳା ମନ୍ଦିରଠାରୁ ପ୍ରହରାଜପୁର ଦେଇ ମଙ୍ଗଳା ମନ୍ଦିରରେ ପହଞ୍ଚିବେ। ସଠିପୁରରୁ ଆସୁଥିବା ଯେଉଁ ଯାନବାହାନ ବିଞ୍ଝାରପୁର ଯିବେ, ସେମାନେ ଡକ୍ ଛକ କିଲ୍ଲା ଛକ ରିଙ୍ଗ ରୋଡ ଦେଇ ରାମବାଗ ଛକରୁ ପ୍ରୀତିପୁର ଅଳକୁଣ୍ଡ ଦେଇ ବିଞ୍ଝାରପୁର ଯିବେ। ଗରିଆପୁର ଛକରୁ କୌଣସି ଯାନବାହାନ ଯୋଡ଼ିକୂଅ ପଟକୁ ଛଡାଯିବ ନାହିଁ। ମହାବୀର ଛକରୁ ଟିଭିଏସ୍ ଛକ ଦେଇ କୌଣସି ଯାନବାହାନ ଯୋଡ଼ିକୂଅ ପଟକୁ ଛଡାଯିବ ନାହିଁ। ମହିଳା କଲେଜ ଛକରୁ କୌଣସି ଯାନବାହାନ କୁସୁମା ପଟକୁ ଛଡାଯିବ ନାହିଁ। ମଙ୍ଗଳା ମନ୍ଦିର ଛକରେ ସମସ୍ତ ଗାଡ଼ିକୁ ଅଟକାଇ ଦିଆଯିବ। ବିରଜା ହାଇସ୍କୁଲ ଛକରୁ କୌଣସି ଯାନବାହାନ ମନ୍ଦିର ପଟକୁ ଛଡାଯିବ ନାହିଁ। ସେହିଭଳି ଯୋଡ଼ିକୁଅ ଛକରୁ ବିରଜା ମନ୍ଦିର ପର୍ଯ୍ୟନ୍ତ ଯେତେ ସବୁ ଗଳି ରାସ୍ତା ଅଛି, ସେସବୁ ଗଳିରୁ କୌଣସି ଯାନବାହାନ ମୁଖ୍ୟ ରାସ୍ତାକୁ ବାହାରିବେ ନାହିଁ। ସେମାନେ ସାହିର ଅନ୍ୟ ରାସ୍ତା ବ୍ୟବହାର କରିବେ। ବୈଦ୍ୟରାଜପୁର ପୋଲ ଛକରୁ କୌଣସି ଯାନବାହାନ ଅଠରନଳା ଛକକୁ ଛଡାଯିବ ନାହିଁ। ଜନସାଧାରଣଙ୍କ ଅବଗତି ନିମନ୍ତେ ପୋଲିସ ପ୍ରଶାସନ ପକ୍ଷରୁ ଏହି ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥା ସମ୍ପର୍କରେ ସୂଚନା ଦିଆଯାଇଛି।










