14.1 C
Bhubaneswar
Monday, December 8, 2025
Homeଓଡିଶାକୃଷି ଓ କୃଷକ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବୀ ଅନୁମୋଦନ

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବୀ ଅନୁମୋଦନ

ଭୁବନେଶ୍ୱର: ଆଜି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ୨୦୨୪-୨୫ ଆର୍ଥିକ ବର୍ଷର ଖର୍ଚ୍ଚ ଦାବୀ ଉପରେ ଉତ୍ତର ଉପସ୍ଥାପନା କରିବାକୁ ମୋତେ ସୁଯୋଗ ମିଳିଥିବାରୁ ମୁଁ କୃତଜ୍ଞତାଜ୍ଞାପନ କରୁଅଛି । ନିକଟ ଅତୀତରେ କୃଷି କ୍ଷେତ୍ରରେ ଚିରନ୍ତନତା ପ୍ରତି ଯଥେଷ୍ଟ ଧ୍ୟାନ ଦିଆଯାଉଛି । ପରିବେଶର ଚିନ୍ତା  କେବଳ ଏକ ଗୁଜବ ନୁହେଁ ବରଂ ଏକ ଆବଶ୍ୟକତା । ବର୍ତ୍ତମାନ ସମୟରେ ମାଟିର ସ୍ୱାସ୍ଥ୍ୟ ରକ୍ଷା, ଖାଦ୍ୟ ନିରାପତ୍ତା ବଜାୟ ରଖିବା ଏବଂ  ଭବିଷ୍ୟତ ପିଢି ପାଇଁ ପ୍ରାକୃତିକ ସମ୍ପଦର ଉତ୍ସକୁ ସଂରକ୍ଷଣଇତ୍ୟାଦି ପାଇଁ ସ୍ଥାୟୀ କୃଷି ପଦ୍ଧତି ଅବଲମ୍ବନ କରିବା ଏକ ସମୟୋପଯୋଗୀ ପଦକ୍ଷେପ । ପୃଥିବୀର ପ୍ରାକୃତିକ ସମ୍ପଦର ସଂରକ୍ଷଣ ଏବଂ ଜୀବନ ଧାରଣର ସୁରକ୍ଷା ନିମନ୍ତେ  ସ୍ଥାୟୀ ପଦକ୍ଷେପର ଆବଶ୍ୟକତା ଅଛି । କିନ୍ତୁ ବିଡମ୍ବନାର ବିଷୟ ଆମେ  ବିଶ୍ଵାସ କରୁ ଯେ ଅନ୍ୟ କେହି ଏହାକୁ ଆମ ପାଇଁ ରକ୍ଷା କରିବେ । କିନ୍ତୁ ଆମକୁ ଆର୍ଥିକ ଦକ୍ଷତା ଅପେକ୍ଷା ଜୀବନ ଦକ୍ଷତା ଉପରେ ବେଶ ଯତ୍ନବାନ ହବାକୁ ପଡିବ ।  କୃଷି ଏକ ଗନ୍ତବ୍ୟ ସ୍ଥଳ ନୁହେଁ ବରଂ ଏକ ଯାତ୍ରା । ଆମ ସମସ୍ତଙ୍କୁ  ପୃଥିବୀ ଏବଂ ମାନବ ସମାଜ ପ୍ରତି ଯତ୍ନବାନ ହେବାକୁ ହେବ । ଏଠାରେ କହିବା ଉଚିତ୍ ମନେ କରିବି ଯେ, କୃଷି କେବଳ ଫସଲ ଉତ୍ପାଦନ ନୁହେଁ, ବରଂ ମୃତ୍ତିକା, ଜଳ, ବାୟୁ ଓ ଏହା ଉପରେ ଜୀବନ ଧାରଣ ପାଇଁ ନିର୍ଭରଶୀଳ ସମସ୍ତ ପଦାର୍ଥ ପ୍ରତି ଯତ୍ନବାନ ହେବା । ଆମ ସମସ୍ତଙ୍କୁ ପରିବର୍ତ୍ତନର ବୀଜ ବପନ ସହ ସେଥିପ୍ରତି ଯଥେଷ୍ଟ ଯତ୍ନବାନ ହେବାକୁ ହେବ । ବାସ୍ତବ ଜୀବନରେ ଧନ ସମ୍ପଦ, ସୁ-ଉପଦେଶ ଏବଂ ସୁଖୀ ଜୀବନ କେବଳ  କୃଷି ଭଳି ଏକ ସର୍ବୋତ୍ତମ ଅବଲମ୍ବନ ମାଧ୍ୟମରେ ସମ୍ଭବ ।

ଆମ ରାଜ୍ୟରେ କୃଷି କ୍ଷେତ୍ରରେ ସର୍ବାଧିକ ମାନବ ସମ୍ବଳର ବିନିଯୋଗ ହେଉଛି ଏବଂ ଏହା ସାମାଜିକ ଓ ଆର୍ଥିକ ପ୍ରଗତିର ମୂଳଦଣ୍ଡ । ଚଳିତ ଆର୍ଥିକ ବର୍ଷରେ କେବଳ କୃଷି କ୍ଷେତ୍ର ନିମନ୍ତେ ସରକାର ସର୍ବକାଳୀନ ଉଚ୍ଚ ବଜେଟ୍ ଆବଣ୍ଟନ କରି ରାଜ୍ୟର କୃଷି  ଓ କୃଷକମାନଙ୍କ ପ୍ରତି ସରକାରଙ୍କ ପ୍ରତିବଦ୍ଧତାକୁ ପ୍ରମାଣିତ କରିଛନ୍ତି । କୃଷି କ୍ଷେତ୍ର ପାଇଁ ଗତ ବର୍ଷର ବଜେଟ୍ ତୁଳନାରେ ଏହି ବର୍ଷ ପ୍ରାୟ ଦୁଇଗୁଣ  ଅର୍ଥ ବ୍ୟୟ ବରାଦ କରାଯାଇଛି । ୨୦୨୩-୨୪ ମସିହା ରେ ୭,୧୩୫.୮୯ କୋଟି ଟଙ୍କା ବ୍ୟୟ ବରାଦ ଥିବା ସ୍ଥଳେ ୨୦୨୪-୨୫ ମସିହା ପାଇଁ   ୧୩,୧୭୮.୮୪ କୋଟି ଟଙ୍କା କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ସମୃଦ୍ଧ କୃଷକ ଯୋଜନା
ସମୃଦ୍ଧ କୃଷକ ଯୋଜନାରେକୃଷକମାନଙ୍କୁ ଗୁଣାତ୍ମକ ବିହନ, ସାର, କୀଟନାଶକ, କୃଷି ଯନ୍ତ୍ରପାତି ଏବଂ ଅନ୍ୟାନ୍ୟ ଇନପୁଟ କ୍ରୟରେ ସହାୟତା ପ୍ରଦାନ କରାଯିବ ।ଏହି ଯୋଜନା ମାଧ୍ୟମରେ ସରକାର ଚାଷୀଙ୍କଠାରୁ କ୍ଵିଣ୍ଟାଲ ପିଛା ୩୧୦୦ ଟଙ୍କା କ୍ରୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି, ଯାହାକି ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ୮୦୦ ଟଙ୍କା ଅଧିକ।ଏହି ଯୋଜନାରେ  ସରକାର ୫୦୦୦ କୋଟି ଟଙ୍କାର ବ୍ୟୟ ବରାଦ କରଛନ୍ତି ।

ପିଏମ କିସାନ ଯୋଜନା
ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ବାସ କରୁଥିବା  କୃଷକମାନେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ପିଏମ-କିସାନ ଯୋଜନା ଅଧୀନରେ ଆର୍ଥିକ ସହାୟତା ପାଇବାକୁ ଯୋଗ୍ୟ ବିବେଚିତ ହେବେ ଏବଂ ଏ ସମ୍ବନ୍ଧରେ ରାଜ୍ୟ ସରକାର ନୀତିଗତ ନିଷ୍ପତ୍ତି ନେଇସାରିଛନ୍ତି । ଏହି ଯୋଜନାରୁ ବାଦ୍ ପଡିଥିବା ଯୋଗ୍ୟ ହିତାଧିକାରୀମାନଙ୍କୁ ସାମିଲ କରିବା ନିମନ୍ତେ ଏକ ସ୍ଵତନ୍ତ୍ର ପଦକ୍ଷେପନୂଆଖାଇ(୦୮.୦୯.୨୦୨୪)ପର୍ବ ଠାରୁ ଆରମ୍ଭ କରାଯିବ।

ସିଏମ କିଷାନ ଯୋଜନା
ଏହି ଯୋଜନାରେ ରାଜ୍ୟର  କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଉଭୟ ଖରିଫ୍ ଓ ରବି ଋତୁ ଆରମ୍ଭରେ ୨,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ l ରାଜ୍ୟର ଭୂମିହୀନ କୃଷକ ପରିବାରମାନଙ୍କୁ ତିନୋଟି କିସ୍ତିରେ ୧୨,୫୦୦ ଟଙ୍କାର ଜୀବିକା ନିର୍ବାହ ସହାୟତା ମଧ୍ୟ ଯୋଗାଇ ଦିଆଯିବ l ଏହି ଯୋଜନାରେ ସରକାର ୧୯୩୫ କୋଟି ଟଙ୍କାର ବ୍ୟୟ ବରାଦ କରିଛନ୍ତି ।

କୃଷି ବିଦ୍ୟା ନିଧି ଯୋଜନା
ରାଜ୍ୟରେ ସିଏମ କିଷାନ ହିତାଧିକାରୀ ପିଲାମାନଙ୍କୁ  ସରକାରୀ ଅନୁଷ୍ଠାନରେ ସ୍ନାତକୋତ୍ତର ଶିକ୍ଷା ପ୍ରାପ୍ତ ପର୍ଯ୍ୟନ୍ତ ବାର୍ଷିକ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଛାତ୍ରବୃତ୍ତି ଯୋଗାଇ ଦେବାର ବ୍ୟବସ୍ଥା କରାଯିବ।

କୃଷି ସମୃଦ୍ଧି କେନ୍ଦ୍ର
ବ୍ଲକ୍ ସ୍ତରରେ  କୃଷକ ମାନଙ୍କୁ ସୂଚନା ଏବଂ ପରାମର୍ଶ ଦେବା ପାଇଁ କୃଷି ସମୃଦ୍ଧି କେନ୍ଦ୍ର ସ୍ଥାପନା କରାଯିବ,ଯାହାକି କୃଷକମାନଙ୍କ ପାଇଁ ଏକକ ବାତାୟନ କେନ୍ଦ୍ର ରୂପେ ସେବା ଯୋଗାଇବ।

 କୃଷି ସମୃଦ୍ଧି ହେଲ୍ପଲାଇନ
ହେଲ୍ପଲାଇନ ନମ୍ବର –୧୫୫୩୩୩ କୁ କୃଷି ସମୃଦ୍ଧି ହେଲ୍ପଲାଇନ ହିସାବରେ ନାମିତ କରି କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧୀୟ ସୂଚନା, ଋଣ ସମ୍ବନ୍ଧୀୟ ସୂଚନା, ଫସଲ ପରିଚାଳନା ଏବଂ ବିଭିନ୍ନ ଫସଲ କିଣାବିକା ସମ୍ବନ୍ଧୀୟ ସୂଚନା, ଇତ୍ୟାଦି ପ୍ରଦାନ କରି କୃଷି ସମୃଦ୍ଧିକୁ ଅଧିକ ସୁଦୃଢ କରାଯିବl ସହ କୃଷକ ମାନଙ୍କର ଉନ୍ନତି ସାଧନ କରାଯିବ  ।ଏହି ହେଲ୍ପଲାଇନରେ ଅଦ୍ୟାବିଧି ୬୯ ଲକ୍ଷରୁ ଉର୍ଦ୍ଧ୍ଵଚାଷୀ ପଞ୍ଜିକୃତ ହୋଇଛନ୍ତି ।

ଶ୍ରୀ ଅନ୍ନ ଅଭିଯାନ
ଶ୍ରୀ ଅନ୍ନ ଅଭିଯାନ ମାଧ୍ୟମରେ କ୍ଷୁଦ୍ରଶସ୍ୟର ଉତ୍ପାଦନ ଏବଂ ବ୍ୟବହାରକୁ  ପ୍ରାଧ୍ୟାନ୍ୟ ଦେଇ ଓଡିଶାକୁ କ୍ଷୁଦ୍ରଶସ୍ୟ ହବ ଭାବରେ ପରିଣତ କରାଯିବ ।ଏହା କେବଳ ଆଦିବାସୀ ବହୁଳ ଅଞ୍ଚଳରେ ନୁହେଁ ବରଂ ରାଜ୍ୟର ସମସ୍ତ ଜିଲ୍ଲାରେ ମଧ୍ୟ କ୍ଷୁଦ୍ରଶସ୍ୟ ଚାଷକୁ ପ୍ରୋତ୍ସାହିତ କରିବ । ଏହି ଅଭିଯାନକୁ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାର ୧୭୭ଟି ବ୍ଲକକୁ ବୃଦ୍ଧି କରାଯାଇଛି ।୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଶ୍ରୀ ଅନ୍ନ ଅଭିଯାନ ଯୋଜନା ନିମନ୍ତେ୬୪୮.୬୧ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ଶୀତଳ ଭଣ୍ଡାର
କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସରକାର, ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ସମବାୟ, ଶକ୍ତି ଏବଂ କୃଷି ଓ କୃଷକ ସଶକ୍ତିକରଣ ବିଭାଗକୁ ନେଇ ଏକ ଯୁଗ୍ମ କମିଟି ଗଠନ କରାଯାଇ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରସ୍ତାବିତ ପଦକ୍ଷେପ ଏବଂ ସବିଶେଷ କାର୍ଯ୍ୟଶୈଳୀ ଉପରେ ଯୋଜନା ପ୍ରସ୍ତୁତ କରାଯିବ । ପ୍ରାରମ୍ଭିକ ଅବସ୍ଥାରେ ରାଜ୍ୟରେ ୫୮ ଗୋଟି ଶୀତଳ ଭଣ୍ଡାର ସବ୍ ଡିଭିଜନ ସ୍ତରରେ ସ୍ଥାପନ କରାଯିବ ଏବଂ ପରବର୍ତ୍ତୀ ସମୟରେ ଏହାର କାର୍ଯ୍ୟକାରିତାକୁ ଅନୁଶୀଳନ କରି ବ୍ଲକ୍ ସ୍ତରରେ  ସ୍ଥାପନ କରାଯିବାର ବ୍ୟବସ୍ଥା କରାଯିବ।

ଓଡିଶା ବଳଭଦ୍ର ଜୈବିକ ଚାଷ ମିଶନ୍
ରାଜ୍ୟରେ ରୋଗ ଓ କୀଟଦ୍ଵାରା ଫସଲ କ୍ଷୟକ୍ଷତିକୁ  ରୋକିବା ନିମନ୍ତେ ଜୈବିକ ଚାଷର ବ୍ୟାପକୀକରଣ ପାଇଁ ପଦକ୍ଷେପ ନିଆଯିବ ।କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡି ବ୍ଲକ ଏବଂ ମାଲକାନଗିରି ଜିଲ୍ଲାର ସ୍ଵାଭିମାନ ଅଞ୍ଚଳରେ ରସାୟନମୁକ୍ତ ପ୍ରାକୃତିକ ଚାଷ ପ୍ରଚଳନ କରାଯିବ। ମୃତ୍ତିକାର ଜୈବିକ ଅଙ୍ଗାର ବୃଦ୍ଧି ନିମନ୍ତେ ରାଜ୍ୟରେ ମୃତ୍ତିକା ସ୍ଵାସ୍ଥ୍ୟ ମିଶନ୍ କାର୍ଯ୍ୟକାରୀ କରାଯିବ ।

ଅବହେଳିତ ଫସଲର ପୁନଃଉତ୍ଥାନ
ରାଜ୍ୟରେ କପା, ଝୋଟ ଓ ବାଦାମ ଫସଲର ଉତ୍ପାଦନ ବୃଦ୍ଧି ନିମନ୍ତେ ଏକ କର୍ପସ୍ ପାଣ୍ଠି ବ୍ୟବସ୍ଥା  କରାଯିବ ।ଏହି ଯୋଜନାରେ ମୁଖ୍ୟ ପଥଦର୍ଶୀ ପଦକ୍ଷେପ ସ୍ୱରୂପ ଅବହେଳିତ ଶସ୍ୟମାନଙ୍କର ସଂଗ୍ରହ ବ୍ୟବହାରିତା, ଦସ୍ତାବିଜ ପ୍ରସ୍ତୁତ, ସଂରକ୍ଷଣ, ଉତ୍ପାଦନ, ସଚେତନତା ସୃଷ୍ଟି ଏବଂ ମୂଲ୍ୟଯୁକ୍ତ କରାଯିବ ।

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (PMFBY)
ଫସଲ ବୀମା ସାଧାରଣତଃପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ହେଉଥିବା ଫସଲ କ୍ଷୟକ୍ଷତିର ଭରଣ କରି  କୃଷକମାନଙ୍କୁ  ଚାଷ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିଥାଏ ।ଚାଷୀମାନଙ୍କ ୨ ହେକ୍ଟର ଜମିର ଫସଲ ବୀମାକରଣ ପର୍ଯ୍ୟନ୍ତ ପ୍ରିମିୟମ ରାଶି ରାଜ୍ୟ ସରକାର ବହନ କରିବେ । ଯୋଜନାରେ ପଞ୍ଜୀକୃତ ହେବା ପାଇଁ ଚାଷୀଙ୍କୁ ଆବେଦନ ପତ୍ର ପିଛା ମାତ୍ର ୧ ଟଙ୍କା ଦେବା ପାଇଁ ପଡିବ ।ଏହି ଯୋଜନାରେ ୩୧.୦୮.୨୦୨୪  ତାରିଖ ସୁଦ୍ଧା ୨୨.୦୨ ଲକ୍ଷ ଚାଷୀମାନଙ୍କର ୧୪.୮୯ ଲକ୍ଷ ହେକ୍ଟର ଚାଷ ଜମି ପଞ୍ଜିକୃତ କରାଯାଇଛି ।

ଡିଜିଟାଲ ଫସଲ ସର୍ବେକ୍ଷଣ
ଚଳିତ ବର୍ଷ ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ ୧୬ ଅଗଷ୍ଟ ରୁ ୧୫ ସେପ୍ଟେମ୍ବର ତାରିଖ ମଧ୍ୟରେ ମନେ।ନୀତ ସର୍ବେକ୍ଷଣକାରୀଙ୍କ ଦ୍ୱାରା ମୋବାଇଲ ଆପ “ଆଗ୍ରିଷ୍ଟାକ”ମାଧ୍ୟମରେ ଡିଜିଟାଲ ଫସଲ ସର୍ବେକ୍ଷଣ କରାଯାଉଛି ।ଏହି ସର୍ବେକ୍ଷଣ ଦ୍ୱାରା ସଠିକ୍ ରୂପେ ଫସଲର କ୍ଷେତ୍ର ଆକଳନ କରାଯିବ ।ଏତଦ୍ଵାରା ସଠିକ୍  ରୂପେ କୃଷକ ମାନଙ୍କୁ ସେମାନେ ଚାଷ କରୁଥିବା ଫସଲ ବାବଦରେ ବୈଜ୍ଞାନିକ ପରାମର୍ଶ ଓ ଆବଶ୍ୟକୀୟ ସୂଚନା ଦିଆଯାଇପାରିବ।
ମୁଁ ବ୍ୟକ୍ତିଗତ ଭାବରେ ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ କୃଷକମାନଙ୍କର ବୃହତ୍ତ ସ୍ଵାର୍ଥ ନିମନ୍ତେ ଏହି ଯୋଜନା ବିଷୟରେ ଆଲୋଚନା କରିଛି ।

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY)
ରାଜ୍ୟରେ କୃଷି ଉଦ୍ୟୋଗୀକରଣ ପ୍ରକ୍ରିୟାକୁ ସରଳୀକରଣ କରିବା ମାଧ୍ୟମରେ ବହୁସଂଖ୍ୟାରେ କୃଷି ଉଦ୍ୟୋଗ ମାନ ସ୍ଥାପନ ଲକ୍ଷ୍ୟରେ ଏକ ଅଗ୍ରଣୀ ରାଜ୍ୟ ଭାବରେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା (MKUY) କାର୍ଯ୍ୟକାରୀ କରାଯାଉଛି । ଚଳିତ ବର୍ଷ ସରକାର ଏହି ଯୋଜନାର ଏକ ପରିବର୍ତ୍ତିତ ମାର୍ଗଦର୍ଶୀକା ପ୍ରବର୍ତ୍ତନ କରିଛନ୍ତି ଯାହାଫଳରେ ଏହା ନୂତନ ଉଦ୍ୟୋଗୀ ମାନଙ୍କ ପାଇଁ ଅଧିକ ସରଳ ଓ ସ୍ଵଚ୍ଛ ହୋଇପାରିଛି ।ଅଗଷ୍ଟ ୨୦୨୪  ସୁଦ୍ଧା ମୋଟ ୧୧,୪୬୮ ଗୋଟି ପ୍ରସ୍ତାବ ଅନଲାଇନରେ ଆବେଦନ ହୋଇଛି ଓ ସେଗୁଡ଼ିକ କାର୍ଯ୍ୟାନ୍ୱୟନ ବିଭିନ୍ନ ଅବସ୍ଥାରେ ଅଛି । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଏବଂ ଅନ୍ୟାନ୍ୟ କୃଷି ଉଦ୍ୟୋଗୀକରଣ କାର୍ଯ୍ୟକ୍ରମରେ ୨୮୮.୫୮ କୋଟି ଟଙ୍କା ପ୍ରୋତ୍ସାହନ ଯୋଗାଇ ଦେଇ ଏବେ ସୁଦ୍ଧା ୨୫୮୭ ଗୋଟି କୃଷି ଉଦ୍ୟୋଗ ସ୍ଥାପନ କରାଯାଇଛି ।

କୃଷି ଯାନ୍ତ୍ରିକୀକରଣ
ଉନ୍ନତ କୃଷି ଯନ୍ତ୍ରପାତିର ଲୋକପ୍ରିୟତା ବୃଦ୍ଧି ପାଇଁ ରାଜ୍ୟ ସରକାର କୃଷି ଯାନ୍ତ୍ରିକୀକରଣକୁ ଅଗ୍ରାଧିକାର ଦେଉଛନ୍ତି ।୨୦୨୪-୨୫ ଆର୍ଥିକ ବର୍ଷରେ ୪ଟି ଆଞ୍ଚଳିକ କୃଷି ଯନ୍ତ୍ରପାତି ମେଳା ବଲାଙ୍ଗୀର, ଜୟପୁର, କେନ୍ଦୁଝର ଓ ବ୍ରହ୍ମପୁରଠାରେ ଆୟୋଜନ  କରାଯିବ । ଏତଦ୍ ବ୍ୟତୀତ ୨୬ ଟି ଜିଲ୍ଲା ସ୍ତରୀୟ ଓ ୨୮ ଟି ଉପଖଣ୍ଡ ସ୍ତରୀୟ ମେଳାର ଆୟୋଜନ ମଧ୍ୟ କରାଯିବ  ।୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୮୪,୪୦୭ ଗୋଟି କୃଷି ଯନ୍ତ୍ରପାତି ଯୋଗାଣ ନିମନ୍ତେ ୩୯୦ କୋଟି ଟଙ୍କା ସହାୟତାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଫସଲ ବିବିଧି କରଣ ଯୋଜନା
ରାଜ୍ୟରେ ଉଚ୍ଚ ଓ ମଧ୍ୟମ-ଉଚ୍ଚ ଜମିରେ ଧାନ ପରିବର୍ତ୍ତେ ଅଣଧାନ ଫସଲ ଯଥା -ଡାଲି, ତୈଳବୀଜ, ପନିପରିବା ଏବଂ ଅନ୍ୟାନ୍ୟ ଅର୍ଥକରୀ ଫସଲ ଚାଷ ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦିଆଯିବା ପାଇଁ ସ୍ଥିର କରାଯାଇଛି । ଏହି ଯୋଜନାରେ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୨୧୬.୦୬ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

ଧାନ ପରବର୍ତ୍ତୀ ପଡିଆ ଜମିର ପରିଚାଳନା
ଓଡ଼ିଶାର “ଧାନ ପରବର୍ତ୍ତୀ ପଡ଼ିଆ ଜମିର ପରିଚାଳନା” ଯୋଜନାରେରବି ଋତୁରେ ଧାନ ଅମଳ ପରବର୍ତ୍ତୀ ପଡ଼ିଆ ଜମିରେ ସଫଳତାର ସହ ସ୍ୱଳ୍ପକାଳୀନ ଡାଲି ଏବଂ ତୈଳବୀଜ ଫସଲ ଚାଷ କରାଯାଇପାରିଛି। ଗତ ବର୍ଷ ରାଜ୍ୟରେ 1 ନିୟୁତ ଏକରଜମିରେ  ଏହି ଯୋଜନା କାର୍ଯ୍ୟକାରୀ କରାଯାଇଥିଲା ।୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନା ୧.୨୫ ମିଲିୟନ ଏକର ଜମିରେ କାର୍ଯ୍ୟକାରୀ କରାଯିବା  ପାଇଁ ୨୫୨.୯୦ କୋଟି ଟଙ୍କାରବ୍ୟୟବରାଦ କରାଯାଇଛି ।

କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା
ରାଜ୍ୟର ୧୬ଟି ଜିଲ୍ଲାର ୧୦୦ଟି ପଛୁଆ ବ୍ଲକରେ କୃଷି ଉତ୍ପାଦନ କ୍ଲଷ୍ଟର ପ୍ରତିଷ୍ଠା କରାଯାଇକୃଷକମାନଙ୍କ ପାଇଁ ଜୀବନ ଜୀବିକା ସୃଷ୍ଟି ସହିତ ଉତ୍ପାଦକ ଗୋଷ୍ଠୀଙ୍କ ଦ୍ଵାରା ଉତ୍ପାଦିତ କୃଷିଜାତ ସାମଗ୍ରୀର ବଜାରବ୍ୟବସ୍ଥା କରାଯାଇପାରିଛି I ଏହି ଯୋଜନା ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ମାନଙ୍କ ଜୀବିକା ଅର୍ଜନ ନିମନ୍ତେ ସୃଷ୍ଟ କୃଷି ଉତ୍ପାଦନ ପୁଞ୍ଜିର ଉତ୍ପାଦକକୁ ବଜାର ସଂଯୋଗୀକରଣ କରାଯିବ ।

କୃଷକ ଉତ୍ପାଦକ ସଂଗଠନ (FPOs)
ଆଗାମୀ ୫ ବର୍ଷରେ  ଅତି କମରେ ୩ ଲକ୍ଷ କୃଷକଙ୍କୁ ନେଇ ୧୦୦୦ ରୁ ଅଧିକ କୃଷକ ଉତ୍ପାଦକ ସଂଗଠନ (FPO) କରିବା ଉଦ୍ଦେଶ୍ୟରେ ଏହି ଯୋଜନା ପ୍ରବର୍ତ୍ତିତ ହୋଇଛି ।  ବର୍ତ୍ତମାନ କୃଷକ ଉତ୍ପାଦକ ସଂଗଠନ ମାଧ୍ୟମରେ ବିଦେଶକୁ ଫଳ ଓ ପନିପରିବା ନିୟମିତ ବ୍ୟବଧାନରେ ରପ୍ତାନି କରାଯାଉଛି ।

କୃଷକ ଓଡିଶା
ସରକାର ରାଜ୍ୟରେ ସମସ୍ତ କୃଷକମାନଙ୍କ ତଥ୍ୟ  ରଖିବା ପାଇଁ “କୃଷକ ଓଡିଶା“ ନାମକ ଏକ ଏକୀକୃତ ବ୍ୟବସ୍ଥା ବିକଶିତ କରିଛନ୍ତି  I ଏହା ସରକାର ଓ ଚାଷୀଙ୍କ ମଧ୍ୟରେ ସମସ୍ତ ପ୍ରକାର ଆଦାନ ପ୍ରଦାନ ପାଇଁ ଏକ ମଞ୍ଚ ଯୋଗାଇବ I  ଏହାଦ୍ଵାରା ଚାଷୀମାନେ ବିଭିନ୍ନ ଯୋଜନାରେ ସେମାନଙ୍କ ଯୋଗ୍ୟତା ମାନଦଣ୍ଡ ଅନୁଯାୟୀ ଲାଭ ପାଇବା ପାଇଁ ଅନଲାଇନରେ ଆବେଦନ କରିପାରିବେ, ତାଛଡା ବିଭିନ୍ନ ଫସଲ/ କୃଷି ସାମଗ୍ରୀ / ବଜାର /ଋଣ ଓ ପରାମର୍ଶ ଇତ୍ୟାଦି ସମ୍ବନ୍ଧୀୟ ତଥ୍ୟ ପାଇପାରିବେ I ୩୧.୦୮.୨୦୨୪ ସୁଦ୍ଧା ରାଜ୍ୟରେ ଏହି ପୋର୍ଟାଲ ମାଧ୍ୟମରେ ୮୨ ଲକ୍ଷରୁ ଉର୍ଦ୍ଧ୍ଵକୃଷକ ପଞ୍ଜିକୃତ ହୋଇଛନ୍ତି।

ଏଲ୍ ଇଡି ୱାଲ(LED Wall)
ବିଭିନ୍ନ ସରକାରୀ ପଦକ୍ଷେପ ଏବଂ ଯୋଜନା ବିଷୟରେ କୃଷକମାନଙ୍କୁ ଏହି LED Wall  ମାଧ୍ୟମରେ ଅବଗତ କରାଯାଇପାରୁଛି ।ଏହି ବିସ୍ତୃତ IEC ଡ୍ରାଇଭଗୁଡ଼ିକ  ଚଳିତ ଖରିଫ ଋତୁରେ ଆରମ୍ଭ ହୋଇଥିଲା ।ସାରା ରାଜ୍ୟରେ ଜିଲ୍ଲା ମୁଖ୍ୟାଳୟ / ସବ୍ ଡିଭିଜନାଲ ସ୍ତରରେ ୫୮ଟି ଆଉଟଡୋର ​​ଏଲ୍ ଇଡି ୱାଲସ୍ଥାପନ କରାଯାଇଛି।ଏହି ଏଲଇଡି କାନ୍ଥଗୁଡ଼ିକ ମାଧ୍ୟମରେ ଏକ କେନ୍ଦ୍ରୀଭୂତ ସିଷ୍ଟମ ମାଧ୍ୟମରେ ସାରା ରାଜ୍ୟରେ ଏକ ସମୟରେ ସମସ୍ତ ବାର୍ତ୍ତାଗୁଡ଼ିକର ଶୀଘ୍ର ପ୍ରସାରଣ କରାଯାଇପାରୁଛି ।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY – 2.0) WDC
ଏହି ଯୋଜନାରେ ୨.୯୩ ଲକ୍ଷ ହେକ୍ଟର ଚାଷ ଜମି ଅଞ୍ଚଳ ଥିବା ୫୩ ଟି ଜଳବିଭାଜିକା ପୁଞ୍ଜ କାର୍ଯ୍ୟକାରିତା ନିମନ୍ତେ ମଞ୍ଜୁର କରାଯାଇଅଛି ।ବିଭିନ୍ନ ଜଳ ଅମଳ ପ୍ରକଳ୍ପ  / ଆଡି ବନ୍ଧ ନିର୍ମାଣ / ମୃତ୍ତିକା ଓ ଜଳର ସଂରକ୍ଷଣ ଆଦି ଏହି ଯୋଜନାର ପ୍ରମୁଖ କାର୍ଯ୍ୟକ୍ରମ । ଏହି ଯୋଜନାରେ ୫୦,୦୦୦ ହେକ୍ଟରକୁ ଜୀବନ ରକ୍ଷାକାରୀ ଜଳସେଚନ ଜଳସେଚନ ଯୋଗାଇ ଦେଇ ଚାଷୀମାନଙ୍କର ଜୀବନଜୀବିକାକୁ ସୁନିଶ୍ଚିତ କରାଯିବ ।୨୦୨୪-୨୫ ବାର୍ଷିକ କାର୍ଯ୍ୟ ଖସଡାରେ  ୧୯୯.୮୨ କୋଟି ଟଙ୍କାର ବ୍ୟୟ ବରାଦ    କରାଯାଇଛି ।

ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା (PMKSY) PDMC
ଅଧିକ ଜମିରେ ଜଳର ସୁବିନିଯୋଗ  ଓ ଜଳସେଚନର ଦକ୍ଷତା ବୃଦ୍ଧି, ଅଣୁ ଜଳସେଚନର ବୈଶିଷ୍ଟ୍ୟ ଅଟେ । ଏହି ଯୋଜନାରେ କୃଷକ ମାନଙ୍କୁ ଉତ୍ସାହିତ କରିବା ପାଇଁ, SC / ST, କ୍ଷୁଦ୍ର / ନାମମାତ୍ର ଏବଂ ସାଧାରଣ ବର୍ଗର କୃଷକମାନଙ୍କୁ  ଯଥାକ୍ରମେ  ୮୦ %, ୭୦ %, ୬୦% ପର୍ଯ୍ୟନ୍ତ ସବସିଡି ଯୋଗାଇ ଦିଆଯାଉଛି ।୨୦୨୪-୨୫ ଆର୍ଥିକ ବର୍ଷରେ ଏହି ଯୋଜନାରେ କାର୍ଯ୍ୟକାରୀ କରିବା ପାଇଁ ୧୨୬.୬୭ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ।

କପା ଉତ୍ପାଦନ
ରାଜ୍ୟରେ କପା ଉତ୍ପାଦନ ବୃଦ୍ଧି ସହ ସ୍ଥାନୀୟ ମଣ୍ଡି ମାଧ୍ୟମରେ ସଂଗ୍ରହ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରି ରାଜ୍ୟରେ କପା ଶିଳ୍ପକୁ ସୁଦୃଢ କରାଯିବ । ଏହି ଯୋଜନା କାର୍ଯ୍ୟକାରୀ ନିମନ୍ତେ ୨୦.୬୬ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।
ଏ ସମସ୍ତ କୃଷକ କଲ୍ୟାଣକାରୀ ଯୋଜନା ରାଜ୍ୟର “ସମୃଦ୍ଧ କୃଷି ନୀତି” ରେ ଅନ୍ତର୍ଭୁକ୍ତ ହେବ।
ମୁଁ ଗୃହର ଅବଗତି ନିମନ୍ତେ ଜଣାଇବା ପାଇଁ ଚାହୁଁଛି କି ତା: ୦୨.୦୯. ୨୦୨୪ ଦିନ କେନ୍ଦ୍ର ସରକାର କୃଷି କ୍ଷେତ୍ରର ସାମଗ୍ରିକ ଉନ୍ନତି ନିମନ୍ତେ ୧୪,୨୩୫.୩୦କୋଟି ଟଙ୍କାର ବଜେଟ ବ୍ୟବସ୍ଥା କରିଛନ୍ତି ,ଯାହାକି କୃଷକ ମାନଙ୍କର ଜୀବିକା ଏବଂ ଆୟର ଉନ୍ନତି ଆଣିବ ।
ଏଥି ମଧ୍ୟରୁ ନିମ୍ନ ଲିଖିତ ୬ଟି ଯୋଜନା କୃଷି ସମ୍ବନ୍ଧୀୟ ହୋଇଥିବା ବେଳେ ଅନ୍ୟ ଗୋଟିଏ ଯୋଜନା ପ୍ରାଣୀ ପାଳନ ସମ୍ବନ୍ଧୀୟ –
୧. ଡିଜିଟାଲ କୃଷି ମିଶନ(Digital Agriculture Mission)
୨. ଖାଦ୍ୟ ଓ ପୋଷଣ ନିରାପତ୍ତା ନିମନ୍ତେ ଫସଲ ବିଜ୍ଞାନ(Crop science for food and nutritional security)
୩. କୃଷି ଶିକ୍ଷା ପରିଚାଳନା ଏବଂ ସାମାଜିକ ବିଜ୍ଞାନର ସୁଦୃଢୀକରଣ(Strengthening Agricultural Education, Management and Social Sciences)
୪.ଉଦ୍ୟାନ କୃଷିର ବିକାଶ(Sustainable development of Horticulture)
୫. କୃଷି ବିଜ୍ଞାନ କେନ୍ଦ୍ର ମାନଙ୍କର ସୁଦୃଢୀକରଣ(Strengthening of Krishi Vigyan Kendra)
୬. ପ୍ରାକୃତିକ ସମ୍ପଦର ପରିଚାଳନା( Natural Resource Management)
ରାଜ୍ୟ ସରକାର ଏହି ସମସ୍ତ ଯୋଜନାର ସଫଳ ରୂପାୟନ ନିମନ୍ତେ ଆବଶ୍ୟକୀୟ ବଜେଟର ବ୍ୟବସ୍ଥା କରିବା ସହ ଏହାକୁ ସଠିକ୍ ରୂପେ ପ୍ରଣୟନ କରିବେ ।
ଏଣୁ ମୁଁ ଗୃହର ମାନ୍ୟବର ସଦସ୍ୟ / ସଦସ୍ୟା ମାନଙ୍କୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ଖର୍ଚ୍ଚ ଦାବୀକୁ ପୂର୍ଣ୍ଣ ସମର୍ଥନ କରି ଏହାକୁ ଅନୁମୋଦନ କରିବା ନିମନ୍ତେ ନିବେଦନ କରୁଅଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking