31.1 C
Bhubaneswar
Friday, February 13, 2026
Homeଓଡିଶାଆଜି ଶ୍ରୀଜୀଉଙ୍କୁ ଲାଗି ହେବ ଅଧରପଣା

ଆଜି ଶ୍ରୀଜୀଉଙ୍କୁ ଲାଗି ହେବ ଅଧରପଣା

ପୁରୀ : ଆଜି ଶ୍ରୀଜୀଉଙ୍କ ପାଖରେ ଲାଗି ହେବ ଅଧରପଣା। ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସୁନାବେଶରେ ସଜେଇ ହେବା ପରେ ଦ୍ୱାଦଶୀ ତିଥିରେ ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ପରମ୍ପରା ଅନୁୟାୟୀ ଆଜି ରଥ ଉପରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅଧରପଣା ନୀତି ହେବ। ସ୍ୱତନ୍ତ୍ର ଭାବରେ ତିଆରି ହୋଇଥିବା ଅଧରହାଣ୍ଡିରେ ପ୍ରସ୍ତୁତ ପଣା ପ୍ରଭୁଙ୍କୁ ସମର୍ପଣ କରାଯିବ। ପ୍ରତି ରଥ ଉପରେ ପିତଳ ହଣ୍ଡାରେ ପାଣିଆ ଆପଟ୍ଟ ମାନେ ସିଂହଦ୍ୱାରରେ ଥିବା ଛାଉଣି ମଠ ସମ୍ମୁଖ କୂଅରୁ ପାଣି ଆଣି ହଣ୍ଡାରେ ଭର୍ତି କରାଯାଏ। ସେଥିରେ କ୍ଷୀର, ସର, ଚିନି, କଦଳୀ, ଛେନା, ଗୋଲମରିଚ ଗୁଣ୍ଡ, ଅଳେଇଚ ଗୁଣ୍ଡ, କର୍ପୁର ଓ ଜାଇଫଳ ମିଶ୍ରଣ କରି ପଣା ପ୍ରସ୍ତୁତ କରାଯାଇଥିଏ । ସେହି ପଣାକୁ ପ୍ରତି ରଥରେ ରଖାଯାଇଥିବା ତିନୋଟି ଲେଖାଏଁ ଅଧର ଚୁମ୍ବି ତୁମ୍ବାକୃତି ମାଟି ପାତ୍ରରେ ରଖାଯାଏ । ପୂଜାପଣ୍ଡା ସେବକ ପଂଚ ଉପଚାରରେ ମନ୍ତ୍ର ଉଚ୍ଚାରଣ କରି ଶ୍ରୀଜୀଉଙ୍କୁ ପଣା ଭୋଗ ଅର୍ପଣ କରନ୍ତି । ଭୋଗ ପରେ ରଥରେ ଥିବା ପାଶ୍ୱର୍ ଦେବାଦେବୀ, ଚଣ୍ଡୀଚାମୁଣ୍ଡା, ଅଶରୀରୀ, ଭୂତ, ପ୍ରେତ, ପିଶାଚ ମାନଙ୍କ ଉଦ୍ଦେଶ୍ୟରେ ରଥ ଉପରେ ପଣା ହାଣ୍ଡି ଭଙ୍ଗାଯାଏ । ରାଘବ ଦାସ ମଠ ଓ ବଡ ଓଡିଆ ମଠ ପକ୍ଷରୁ ଏହି ଅଧର ପଣା ଆସିଥାଏ। ତିନି ରଥରେ ମୋଟ ୯ ହାଣ୍ଡି ଅଧରପଣା ଭୋଗ ଲାଗି ହୋଇଥାଏ। ତେବେ ରଥ ଉପରେ ଆଉ ମାତ୍ର ଦୁଇ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିବାର ବ୍ୟବସ୍ଥା ଥିବାରୁ ସକାଳୁ ସକାଳୁ ରଥ ନିକଟରେ ଭକ୍ତଙ୍କ ଭିଡ ଜମିବାରେ ଲାଗିଛି। ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking