28.1 C
Bhubaneswar
Friday, June 28, 2024
Homeଓଡିଶାଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା

ପୁରୀ: ଶନିବାର ପବିତ୍ର ଦେବସ୍ନାନ ପୂର୍ଣ୍ଣିମା। ଭୋର ୫ଟାରୁ ଆରମ୍ଭ ହୋଇଛି ପହଣ୍ଡି । ମଧ୍ୟାହ୍ନ ୧୨ଟା ୨୦ରେ ଜଳ ବିଜେ ନୀତି କରାଯିବ। ଅପରାହ୍ନ ୩ଟାରେ ଛେରା ପହଁରା ପରେ ୩ଟା ୪୦ରୁ ହାତୀବେଶ ଆରମ୍ଭ ହେବ। ସନ୍ଧ୍ୟା ୭ଟା ୩୦ରୁ ରାତି ୧୦ଟା ୩୦ ଯାଏଁ ସାହାଣ ମେଲା ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି। ରାତି ସାଢ଼େ ୧୦ଟାରେ ସାହାଣମେଲା ଦର୍ଶନ ବନ୍ଦ ପରେ ରାତି ୧୧ଟାରେ ବେଶ ଓଲାଗି ଓ ସାଢ଼େ ୧୧ଟାରେ ବାହୁଡ଼ା ପହଣ୍ଡି ଆରମ୍ଭ ହେବ। ଗୋଟି ପହଣ୍ଡିରେ ଚତୁର୍ଦ୍ଧାବିଗ୍ରହ ଅଣସର ପିଣ୍ଡିକୁ ବିଜେ କରିବେ। ବାହୁଡ଼ା ପହଣ୍ଡି ରାତି ୨ଟା ଭିତରେ ଶେଷ ହେବ। ପରେ ରାତି ସାଢ଼େ ୨ଟାରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ହେବ। ରତ୍ନ ସିଂହାସନରୁ ସ୍ନାନମଣ୍ଡପକୁ ବିରାଜିବେ ଚତୁର୍ଦ୍ଧାବିଗ୍ରହ। ସ୍ନାନମଣ୍ଡପରୁ ଗଜବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ। ବର୍ଷକ ପରେ ପୁଣିଥରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହେବ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ସ୍ନାନବେଦିକୁ ରଙ୍ଗ ସହ ଆଲୋକମାଳାରେ ସୁସଜ୍ଜିତ କରାଯାଇଛି। ସ୍ନାନବେଦି ଉପରେ ଚାନ୍ଦୁଆ ଲଗାଯାଇଛି। ପହଣ୍ଡି ପୂର୍ବରୁ ଗତକାଲି ଦଇତାପତିଙ୍କ ଦ୍ବାରା ବାହୁଟକଣ୍ଟ ନୀତି ଶେଷ ହୋଇଥିଲା। ଆଜି କୋଠ ସୁଆଁସିଆ ରତ୍ନସିଂହାସନରେ ଚାରମାଳ ବାନ୍ଧିବା ପରେ ଦଇତାପତିମାନେ ଶ୍ରୀବିଗ୍ରହଙ୍କ ସେନାପଟା ଲାଗି ନୀତିସଂପନ୍ନ କରିଛନ୍ତି।

ଏଣୁ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଦର୍ଶନ ପାଇଁ ଭକ୍ତମାନେ ସିଂହଦ୍ବାର ଦେଇ ପ୍ରବେଶ କରିବେ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ ଦ୍ବାର ଦେଇ ପ୍ରସ୍ଥାନ କରିବେ। ବଡ଼ଦାଣ୍ଡ ଓ ବିଭିନ୍ନ ଗଳିରୁ ଆସୁଥିବା ଭକ୍ତମାନେ ଦର୍ଶନ ପାଇଁ କେବଳ ମାର୍କେଟ୍ ଛକରୁ ଆରମ୍ଭ ହୋଇଥିବା ବ୍ୟାରିକେଡ୍‌ ଦେଇ ପ୍ରବେଶ କରିବେ। ବ୍ୟାରିକେଡ୍‌ ଭିତରେ ଶ୍ରୀମନ୍ଦିର ଅଭିମୁଖେ ଶ୍ରୀକୃଷ୍ଣ ସିନେମା ହଲ୍‌ ପର୍ଯ୍ୟନ୍ତ ଯିବାପରେ ସେଠାରୁ ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କେନ୍ଦ୍ରରେ ପହଞ୍ଚିବେ। ଏଠାରେ ଲାଗିଥିବା ମେଟାଲ୍‌ ଡିଟେକ୍ଟରରେ ଯାଞ୍ଚ୍‌ ପରେ ଭକ୍ତମାନେ ଦୋଳବେଦି କୋଣ ଷ୍ଟିଲ୍‌ ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିବେ। ପହଣ୍ଡି ଟିକେଟ୍‌ଧାରୀ ଭକ୍ତମାନେ ଦକ୍ଷିଣଦ୍ବାର ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିବେ। ପହଣ୍ଡି ଶେଷ ପରେ ଦକ୍ଷିଣଦ୍ବାର ପ୍ରବେଶ ବନ୍ଦ କରି ଦିଆଯିବ। ଏଣୁ ବଡ଼ଦାଣ୍ଡ ମାର୍କେଟ୍‌ ଛକରୁ ସିଂହଦ୍ବାର ପର୍ଯ୍ୟନ୍ତ ଛାୟାପ୍ରଦ ବ୍ୟାରିକେଡ୍‌ ବ୍ୟବସ୍ଥା କରାଯାଇଛି। ମାର୍କେଟ୍‌ ଛକରୁ ଭକ୍ତମାନେ ବ୍ୟାରିକେଡ୍‌ରେ ଧାଡ଼ିରେ ଯାଇ ସ୍ନାନବେଦି ତଳେ ଅସ୍ଥାୟୀ ରାମ୍ପ ଦେଇ ମହାପ୍ରଭୁଙ୍କ ଦର୍ଶନ କରି ଫେରିବେ। ବାଗେଡ଼ିଆ ଧର୍ମଶାଳା ସମ୍ମୁଖରେ ବାହାର ଭକ୍ତଙ୍କ ଦର୍ଶନ ପାଇଁ ସେଡ୍‌ ବ୍ୟବସ୍ଥା କରଯାଇଛି। ଭକ୍ତଙ୍କ ନିର୍ବିଘ୍ନ ଦର୍ଶନକୁ ଚଳିତବର୍ଷ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ଅବରୋଧମୁକ୍ତ ପରବେଶରେ ଭକ୍ତମାନେ ଯେଭଳି ମହାପ୍ରଭୁଙ୍କ ସ୍ନାନନୀତି, ଗଜବେଶ ଦେଖିପାରିବେ, ସେ ଦିଗକୁ ଗୁରୁତ୍ବ ଦିଆଯାଇଛି। ଭିଡ଼ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପାଇଁ ୬୮ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଛନ୍ତି। ୪୪୭ ପୁଲିସ ଅଧିକାରୀ, ୫୯୪ ହୋମ୍‌ଗାର୍ଡ, ୪ଶହରୁ ଅଧିକ କନେଷ୍ଟବଳଙ୍କୁ ନିୟୋଜିତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking