ଭୁବନେଶ୍ୱର: ଆଜି ପବିତ୍ର ଅଶୋକାଷ୍ଟମୀ, ଏକାମ୍ର କ୍ଷେତ୍ରରେ ଅନ୍ୟତମ ମହୋତ୍ସବର ଦିନ । ଅଣଲେଉଟା ରଥରେ ଚଢ଼ି ମାଉସୀଘର ଯିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ । ରଥରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ରାଜଧାନୀର ଆରାଧ୍ୟ ଦେବତା । ଅପରାହ୍ଣ ସାଢ଼େ ୩ଟାରେ ରଥ ଟଣା ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି । ଭୋର୍ ୫ଟାରେ ଠାକୁରଙ୍କ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇଛି । ସାଢ଼େ ୫ଟାରୁ ଘଣ୍ଟାଏ ପର୍ଯ୍ୟନ୍ତ ଠାକୁରଙ୍କ ସାହାଣମେଲା ଦର୍ଶନ ଦେଇଛନ୍ତି । ଅନ୍ୟାନ୍ୟ ପୂଜାନୀତି ବିଧିମତେ ସମ୍ପନ୍ନ ହୋଇ ମଧ୍ୟାହ୍ନ ୧୨ଟାରୁ ସାଢ଼େ ୧୨ଟା ମଧ୍ୟରେ ମହାପ୍ରଭୁଙ୍କ ଯାତ୍ରା ପୂଜା ସମାପନ ହେବ । ସାଢ଼େ ୧୨ଟାରୁ ସାଢ଼େ ୧ଟା ମଧ୍ୟରେ ମହାପ୍ରଭୁ ରଥକୁ ପହଣ୍ଡି ବିଜେ କରିବେ । ରଥ ବିଜେସ୍ଥଳୀରେ ଠାକୁରଙ୍କ ପୂଜାର୍ଚ୍ଚନା ନୀତି କାର୍ଯ୍ୟ ଦୁଇ ଘଣ୍ଟା ମଧ୍ୟରେ ସାରି ରଥ ଟଣା ପ୍ରସ୍ତୁତି ଆରମ୍ଭ ହେବ ।