ପୁରୀ: ଆଜି ହେରା ପଞ୍ଚମୀ । ଲକ୍ଷ୍ମୀ ସାଆନ୍ତାଣୀଙ୍କୁ ସାଙ୍ଗରେ ଆଣିନଥିବାରୁ ରଥ କାଠ ଭାଙ୍ଗିବେ ଅଭିମାନିନୀ ମା ଲଷ୍ମୀ । ଭାଇ ଭଉଣୀଙ୍କୁ ରଥରେ ନେଇ ଜନ୍ମବେଦୀକୁ ଆସିଛନ୍ତି । ଅଥଚ ହଟିଆ ଠାକୁର ନିଜ ପତ୍ନୀ ମହାଲକ୍ଷ୍ମୀଙ୍କୁ ସାଥିରେ ଆଣି ନାହାଁନ୍ତି । ଏଣେ ସ୍ବାମୀଙ୍କ ଅନୁପସ୍ଥିତିରେ ବିରହ ବିଧୁରା ଲକ୍ଷ୍ମୀ ଠାକୁରାଣୀ ମନର ବ୍ୟଥା ଭଉଣୀ ସ୍ବରୂପା ମା ବିମଳା ଦେବୀଙ୍କ ନିକଟରେ ବଖାଣିଛନ୍ତି । ମାଁଙ୍କୁ ବିମାନରେ ବିମାନ ବଡ଼ୁ ସେବକମାନେ ଘଣ୍ଟ, କାହାଳି, ଛତା ମଧ୍ୟରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ପାଖକୁ ଆଣିଥାଆନ୍ତି । ସନ୍ଧ୍ୟା ଧୂପ ଉଠି ପୂଜା ବସିଥିବା ସମୟରେ ମହାଲକ୍ଷ୍ମୀ ରଥ ପାଖରେ ନୀତି ବଢ଼ାଇ ଜଗମୋହନର ଜୟ ବିଜୟ ଦ୍ବାର ନିକଟକୁ ଆସିଥାଆନ୍ତି । ଶ୍ରୀଜଗନ୍ନାଥଙ୍କ ଅଙ୍ଗରୁ ଆଜ୍ଞାମାଳ ଆସି ମହାଲକ୍ଷ୍ମୀଙ୍କୁ ଦିଆଯିବା ପରେ ପୂଜା ବଢ଼ି ଟେରା ପଡ଼େ । ନୀତି ଶେଷ ହେବା ପରେ ମହାଲକ୍ଷ୍ମୀଙ୍କ ବିମାନ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଆଯାଇ ରଥ କାଠ ଖଣ୍ଡେ ଭାଙ୍ଗିବା ପରେ ହେରା ଗୌରୀ ବାଟେ ମହାଲକ୍ଷ୍ମୀଙ୍କୁ ଶ୍ରୀମନ୍ଦିରକୁ ନିଆଯାଏ ।










