ଭୁବନେଶ୍ୱର: ଆଜି ବିଶ୍ୱ ପଖାଳ ଦିବସା ପଖାଳ ହେଉଛି ସମସ୍ତଙ୍କର ଅତି ପ୍ରିୟ ଖାଦ୍ୟ । ଖାଲି ଖାଦ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ, ଏହା ହେଉଛି ମଣିଷଙ୍କ ଭୋକର ଆଶ୍ୱସନା ଆଉ ଶାନ୍ତି । ପଖାଳ ଓଡିଆ ଘରର ପାରମ୍ପାରିକ ଖାଦ୍ୟ । ଏହି ପାରମ୍ପରିକ ଖାଦ୍ୟ ପଖାଳକୁ ସମ୍ମାନ ଜଣାଇବା ପାଇଁ ମାର୍ଚ୍ଚ ୨୦ ତାରିଖରେ ପାଳନ କରାଯାଉଛି ପଖାଳ ଦିବସ । ଚାଳ, ଛପର, ମାଟି ଘରଠୁ ଆରମ୍ଭ କରି ଉଚ୍ଚ କୋଠାରେ ରହୁଥିବା ମଣିଷଟିଏ ବି ପଖାଳକୁ ବେଶ ଭଲପାଏ । ଆଉ ଖାଇବା ବେଳେ ଡାଇନିଂ ରେ ପଖାଳ କଂସାଏକୁ ସାମିଲ କରେ । ଆଉ ଯିଏ ପଖାଳର ସ୍ୱାଦ ଚାଖିନି ସେ ଓଡିଆରେ ଗଣତି ନୁହେଁ । ଅନ୍ନଦାତା ତଥା କୃଷକ ଟିଏ ଯେତେବେଳେ ତା କ୍ଷେତକୁ ଯାଏ ତା ପୂର୍ବରୁ ପଖାଳ ଗୁଣ୍ଡାଏ ଖାଇ ନିଜର ଝାଳବୁହା ଦେହକୁ ଖଟିଆରେ ପକାଇ କଢ ଲେଉଟାଇ ପୁଣି କ୍ଷେତକୁ ଯାଏ, ଆଉ ଦିନ ସାରା ଯେମିତି ସେ କ୍ଲାନ୍ତ ଅନୁଭବ ନକରେ, ଖାଲି କୃଷକ କାହିଁକି, ଛୋଟ ପିଲାଠୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ସମସ୍ତେ ପଖାଳକୁ ଭାରି ଭଲପାଆନ୍ତି । ସବୁଠୁ ବଡ କଥା ଯେ ଗୋମାତାକୁ ମଧ୍ୟ ପଖାଳ ଭାତର ପାଣି ଖାଇବାକୁ ଦିଆଯାଏ ଯାହାକୁ ଆମେ ତୋରାଣୀ କହୁ । ସେ ମଧ୍ୟ ତୋରାଣୀ ଟିକେ ପିଇ ବିଶ୍ରାମ ନେଇଥାଏ । ଯିଏ କୋଟି କୋଟି ଓଡିଆଙ୍କ ମଉଡମଣି ପ୍ରଭୁ ଶ୍ରୀ ଜଗନ୍ନାଥ , ତାଙ୍କ ମଧ୍ୟ ପଖାଳ ଭୋଗ ଲାଗିଥାଏ । ପ୍ରଭୁଙ୍କର ମଧ୍ୟ ବେଶ ପ୍ରିୟ ପଖାଳ ।
ଯଦି କହିବା ଖାଲି ଓଡିଆ ନୁହେଁ ପ୍ରବାସୀ ଓଡିଆ ମାନେ ମଧ୍ୟ ପଖାଳ ଖାଇବାକୁ ମନ ମୋହୁଛନ୍ତି । କଥାରେ ଅଛି, ପଖାଳର ସ୍ୱାଦ ଯିଏ ଚାଖିଛି, ତା ସ୍ୱାଦ କିଏ ଭୁଲିଛି । କଂସାଏ ଭାତରେ ପାଣି ପକାଇ ହାତ ବୁଡାଇ ବୁଡାଇ ଖାଇବା ଆଉ ତା, ସାଙ୍ଗକୁ ଆଳୁ, ଭର୍ତ୍ତା, ବଢି ଚୁରା, ମାଛ ଭଜା ,ଦହି ଛୁଙ୍କ ଏସବୁକୁ ସାମିଲ କରିବା ସେ ଆହୁରି ନିଆରା ସ୍ୱାଦ ଦିଏ । ସକାଳୁ ସକାଳୁ ପରିବାରରେ କେହି କର୍ମକ୍ଷେତ୍ରକୁ ଯାଆନ୍ତି ହାଣ୍ଡିରେ କିଛି ନଥିଲେ ବି ପଖାଳ ମୁଠାଏ ଥାଏ, ଆଉ ତାକୁ ଖାଇ ଯିଏ ଯାହା କାମରେ ବାହାରି ଯାଆନ୍ତି । ଆଜି ଯେହେତୁ ପଖାଳ ଦିବସ ସେଥିପାଇଁ ହୋଟେଲ, ରେସ୍ତୋରାଁ , ଢାବାରେ ଜମୁଛି ପଖାଳ ଭାତର ଆସର । ଆଉ ସେମାନଙ୍କ ମେନୁରେ ଆଜି ପଖାଳକୁ ବେଶ ପ୍ରାଧାନ୍ୟ ଦିଆଯାଇଛି । ପଖାଳ ପାଇଁ ହେଟେଲ, ରେଷ୍ଟୁରାଣ୍ଟରେ ମଧ୍ୟ ଭିଡ ଜମିଛି । ପଖାଳ ଏକ ସ୍ୱାସ୍ୟ୍ଥ ଉପଯୋଗୀ ଖାଦ୍ୟ । ଏହା ଖାଇବା ଦ୍ୱାରା ଶରୀର ସୁସ୍ଥ ରୁହେ । ରୋଗ ପ୍ରତିରୋଧକ ଶକ୍ତି ଠିକ ରହିଥାଏ । ଏଥିରେ ଭିଟାମିନ ବି ୧୨ , ଭିଟାମିନ କେ ରହିଛି । ଆଉ ସବୁଠୁ ବଡ କଥା ପଖାଳରେ ଥିବା କିଣ୍ୱନ ପ୍ରକ୍ରିୟା ପ୍ରାକୃତିକ ପ୍ରୋବାୟୋଟିକ୍ସ ସୃଷ୍ଟି କରେ, ଯାହା ଅନ୍ତନଳୀ ସ୍ୱାସ୍ଥ୍ୟକୁ ଥଣ୍ଡା ରଖେ । ସେଥିପାଇଁ ଡାକ୍ତର ମଧ୍ୟ ପଖାଳ ଖାଇବାକୁ ପରାମର୍ଶ ଦେଇଥାନ୍ତି ।










