ଉତ୍ତର ପ୍ରଦେଶ: ଅନଲାଇନ ଗେମ୍ ପାଇଁ ଜୀବନ ହାରିଲେ ୩ ଭଉଣୀ । ଉତ୍ତର ପ୍ରଦେଶର ଗାଜିଆବାଦରେ ଜୀବନ ହାରିଲେ ୩ ନାବାଳିକା ଭଉଣୀ । ଆପାର୍ଟମେଣ୍ଟର ନବମ ମହଲାରୁ ଡେଇଁ ୩ ଭଉଣୀ ଜୀବନ ହାରିଥିବା ସୂଚନା ମିଳିଛି । ମୃତକଙ୍କୁ ନିଶିକା (୧୬), ପ୍ରାଚୀ (୧୪), ପାଖି (୧୨) ବୋଲି ଚିହ୍ନଟ କରାଯାଇଛି । ଅନଲାଇନ ଗେମ୍କୁ ବାପା ମାଆ ଆକଟ କରିବାରୁ ଏଭଳି ଚରମ ପଦକ୍ଷେପ ନେଇଥିବା ଜଣାପଡିଛି । ସୂଚନା ଅନୁସାରେ, କୋରିଆନ୍ ଲଭ୍ ଗେମ୍ ନାମକ ଅନଲାଇନ୍ ଟାସ୍କରେ ୩ ଜଣ ମାତିଥିଲେ । ଅନଲାଇନ ଗେମ୍ ପାଇଁ ନିୟମିତ ସ୍କୁଲ ମଧ୍ୟ ଯାଉନଥିଲେ । ଯାହାକୁ ନେଇ ବାପା ମାଆ ଆକଟ କରିଥିଲେ । ଏହା ଯୋଗୁଁ ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ତିନି ଭଉଣୀ ଚେୟାର ବ୍ୟବହାର କରି ନବମ ମହଲାରୁ ଡେଇଁ ପଡିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କର ମୃତ୍ୟୁ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ସୁଇସାଇଡ୍ ନୋଟ୍ ମଧ୍ୟ ଜବତ କରିଛି ପୋଲିସ। ନୋଟ୍ ଅନୁଯାୟୀ, ମୋବାଇଲ୍ ଗେମିଂ ଆପ୍ ଯୋଗୁଁ ଆତ୍ମହତ୍ୟା କରିଥିବା ପୋଲିସ କହିଛି । ଅଧିକ ତଥ୍ୟ ପାଇଁ ପୋଲିସର ତଦନ୍ତ ଜାରି ରହିଛି ।










