ଟିଟିଲାଗଡ଼ ମା’ଙ୍କୁ ଝୁରି ହେଉଛନ୍ତି ତିନି ନାବାଳିକା ଝିଅ। ମାସେ କି ଦୁଇ ମାସ ବା ବର୍ଷଟିଏ କି ଦୁଇ ବର୍ଷ ନୁହେଁ, ଦୀର୍ଘ ଦଶ ବର୍ଷ ହେଲା ମା’ଙ୍କ ମୁହଁ ଦେଖି ନାହାଁନ୍ତି ଝିଅମାନେ। କାରଣ ମା’ ଦୁବାଇରେ ରହିଯାଇଛି। ମା’ଙ୍କୁ ଫେରାଇ ଆଣିବା ନେଇ ଏବେ କୋମଳମତି ଝିଅ ସହ ବୃଦ୍ଧ ବାପା ମାଆ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ପ୍ରଶାସନ ବି ମା’ଙ୍କୁ ଫେରାଇ ଆଣିବା ନେଇ ଏବେ ଉଦ୍ୟମ ଆରମ୍ଭ କରିଛି।
ଅଭିଯୋଗ ଅନୁଯାୟୀ ପେଟ ପାଟଣା ପାଇଁ ଟିଟିଲାଗଡ଼ ଥାନା ବୁରାବନ୍ଦ ଗାଁର ପ୍ରେମା ମହାନନ୍ଦ ଜଗୁଆ ଗାଁର ହସ୍ତାଙ୍କୁ ବିଶି ସହିତ ପ୍ରେମ ବିବାହ କରିଥିଲେ। ଘରୁ ପଳାଇ ମୁମ୍ବାଇ ଯାଇଥିଲେ। ସେଠାରେ ଶ୍ରମିକ ଭାବରେ କାମ କରିବା ସହିତ ତିନି ସନ୍ତାନ ଝିଅକୁ ଜନ୍ମ ଦେବା ପରେ ଗାଁ କୁ ଆସିଥିଲେ। ଜଗୁଆ ଗାଁରେ ହସ୍ତାଙ୍କ ବୃଦ୍ଧ ମାତାପିତା ପାଖରେ ତିନିଜଣ କନ୍ୟା ସନ୍ତାନକୁ ଛାଡି ପୁଣି ମୁମ୍ବାଇ ଯାଇ ଅର୍ଥ ରୋଜଗାର କରିବା ନେଇ ପରିବାର ବର୍ଗକୁ କହିଥିଲେ। ହେଲେ ସେଠାରେ ନିଜ ସ୍ତ୍ରୀକୁ ଅନ୍ୟ ଏକ ପରିବାର ହାତରେ ଟେକି ଦେଲେ ସ୍ୱାମୀ ପ୍ରେମା ମହାନନ୍ଦ। ହସ୍ତା ବିଶିଙ୍କୁ ସମ୍ପୃକ୍ତ ପରିବାର ଦୁବାଇ ନେଇ ଯାଇଛନ୍ତି। ଘଟଣାକୁ ସାତ ବର୍ଷ ହୋଇଥିବା ବେଳେ ମୁମ୍ବାଇ ଯିବାର ଦଶ ବର୍ଷ ହେଲାଣି। ହେଲେ ମା’ ଆଉ ଫେରିନାହିଁ। ଝିଅମାନଙ୍କ ସହ ମୋବାଇଲରେ କଥା ହେବା ହିଁ ସାର। ଦୁବାଇରୁ ତାଙ୍କୁ ଉଦ୍ଧାର କରିବା ପାଇଁ ନିଜ ଝିଅମାନଙ୍କୁ ମା’ କହିଥିଲେ। ଆଉ ସେହି ଦିନଠାରୁ ତିନି ନାବାଳିକା ନିଜ ମା’ଙ୍କୁ ଉଦ୍ଧାର କରିବା ପାଇଁ ଟିଟିଲାଗଡ଼ ପୁଲିସ ଏବଂ ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି।ଏମିତିକି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କେନ୍ଦ୍ର ସରକାର ଙ୍କୁ ନିବେଦନ କରିଛନ୍ତି ହସ୍ତା।
ନିଜକୁ ଦୁବାଇରୁ ଉଦ୍ଧାର କରି ନିଜ ଝିଅ ମାନଙ୍କ ପାଖକୁ ନେଇଯିବାକୁ ଅନୁରୋଧ କରିଛନ୍ତି। ଦୁବାଇରେ ହସ୍ତାଙ୍କୁ ତାର ସ୍ୱାମୀ ପ୍ରେମା ମହାନନ୍ଦ ଟେକି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଏହି ଘଟଣାକୁ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଶ୍ରମ ବିଭାଗ ସହିତ ଆଲୋଚନା କରିଛନ୍ତି। ସମ୍ପୃକ୍ତ ପରିବାର ସହିତ କଥା ହେବା ସହ ଦୁବାଇର ଶେଖ ପରିବାର ସହିତ ମଧ୍ୟ ଯୋଗାଯୋଗ କରିଛନ୍ତି। ଝିଅମାନଙ୍କ ପାଖକୁ ମା’ଙ୍କୁ ଫେରାଇ ଆଣିବା ନେଇ ପ୍ରଶାସନ ସମସ୍ତ ପ୍ରକାର ଉଦ୍ୟମ ଆରମ୍ଭ କରିଥିବା ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟ କହିଛନ୍ତି। ଏମିତି କି ହସ୍ତା ବିଶିଙ୍କ ଝିଅମାନଙ୍କ ପାଖକୁ ଦୁବାଇର ମାଲିକ କିଛି ଆର୍ôଥକ ସହାୟତା ମଧ୍ୟ ପ୍ରଦାନ କରିଛନ୍ତି। ରାଜ୍ୟ ଶ୍ରମ ବିଭାଗ, ଜିଲ୍ଲା ଶ୍ରମ ବିଭାଗ ସହିତ ହସ୍ତାକୁ ଦୁବାଇରୁ ଆଣିବା ପାଇଁ ଉଦ୍ୟମ ଜାରୀ ରହିଥିବା କହିଛନ୍ତି। କୋମଳମତି ଝିଅମାନଙ୍କ ପାଖକୁ ମା’କୁ ଫେରାଇ ଆଣିବା ପାଇଁ ଆରମ୍ଭ ହୋଇଥିବା ଏହି ପ୍ରୟାସକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏବେ ଅପେକ୍ଷା ସେହି ସମୟକୁ ଯେତେବେଳେ ଝିଅମାନଙ୍କ ସହିତ ଦଶ ବର୍ଷ ପରେ ମା’ଙ୍କ ସାକ୍ଷାତ ହେବ।









