ନୂଆଦିଲ୍ଲୀ: ପ୍ରକୃତ ନିୟନ୍ତ୍ରଣ ରେଖା(ଏଲଏସି) ନିକଟରେ ଚୀନ ନିର୍ମାଣ କରିଥିବା ୫୦୦ ଆଦର୍ଶ ଗାଁରେ ଲୋକଙ୍କ ଯାତାୟାତ ଆରମ୍ଭ ହୋଇଯାଇଛି । ଅନେକ ଗ୍ରାମରେ ଚୀନର ବାସିନ୍ଦା ଆସି ରହିଲେଣି । ଉପଗ୍ରହ ଚିତ୍ରରୁ ଏହା ଦେଖିବାକୁ ମିଳିଛି । ଭାରତର ଉତ୍ତର-ପୂର୍ବ ଅଞ୍ଚଳର କିଛି ଅଂଶକୁ ଚୀନ ଦଖଲକୁ ନେବାକୁ ବାରମ୍ବାର ଉଦ୍ୟମ କରୁଥିବାବେଳେ ଏହି ଦୃଶ୍ୟ ଭାରତ ପାଇଁ ବିପଦ ବୋଲି କୁହାଯାଉଛି । ୬ ବର୍ଷ ପୂର୍ବେ ଚୀନ ଏଲଏସି ନିକଟରେ ଏହି ଗାଁ ନିର୍ମାଣ ଆରମ୍ଭ କରିଥିଲା ।
ଚୀନ ଏହି ଗାଁଗୁଡ଼ିକୁ ୨ଟି କାର୍ଯ୍ୟରେ ଲଗାଇବା ନେଇ ଭାରତ ପକ୍ଷରୁ ଆଶଙ୍କା କରାଯାଉଥିଲା । ପ୍ରଥମତଃ ଗାଁରେ ଲୋକଙ୍କୁ ରଖିବା ଏବଂ ୨ୟରେ ସେଠାରେ ଭାରତ ବିରୋଧରେ ଯୁଦ୍ଧ ରଣନୀତି ପ୍ରସ୍ତୁତ କରିବା । ଏହାବ୍ୟତୀତ ଚୀନ ତିବ୍ଦତ ଉପରେ ମଧ୍ୟ ନଜର ରଖିପାରିବ । ସେହିପରି ଏଲଏସି ଆରପଟେ ଚୀନ ଅନେକ ଭୂତଳ ଷ୍ଟୋରେଜ ତିଆରି କରିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି । ଏଠାରେ ଚୀନର ବଙ୍କର ମଧ୍ୟ ରହିଛି । ଅରୁଣାଚଳପ୍ରଦେଶ ନିକଟ ଏଲଏସି ଆରପଟେ ଚୀନର ୧୪୫ ଆଦର୍ଶ ଗ୍ରାମ ରହିଛି । ପ୍ରତିରକ୍ଷା ସୂତ୍ର ଅନୁସାରେ, ଯୁଦ୍ଧ ପରିସ୍ଥିତିରେ ଚୀନ ଏଠାରୁ ଭାରତକୁ ସହଜରେ ଟାର୍ଗେଟ କରିପାରିବ । ଏସବୁ ଗ୍ରାମଗୁଡ଼ିକ ଆଖପାଖରେ ନିରୀକ୍ଷଣ ଟାୱାର ମଧ୍ୟ ତିଆରି କରାଯାଇଥିବା ଦେଖିବାକୁ ମିଳିଛି ।










