ନୂଆଦିଲ୍ଲୀ : ବରନାଲା ଜିଲାର ଗାଁ ଫତେହଗଡ ଛତ୍ରାର ବାସିନ୍ଦା ୩୦ ବର୍ଷୀୟ ଗୁରଦାସ ସିଂହ ନିଜ ଶ୍ୱଶୁର ଘର ଲୋକଙ୍କ ଠାରୁ ଅତିଷ୍ଟ ହୋଇ ବିଷାକ୍ତ ପାନୀୟ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତକ ଗୁରଦାସ ସିଂହ ନିଜ ମାଆ-ବାପାଙ୍କ ଏକମାତ୍ର ପୁଅ ଥିଲେ । ବିବାହ ପରେ ଗୁରଦାସଙ୍କ ଗୋଟିଏ ୯ ବର୍ଷର ପୁଅ ମଧ୍ୟ ଅଛି। ପୁଲିସ ଖବର ପାଇ ମୃତଦେହ ଜବତ କରିବା ପରେ ମୃତକଙ୍କ ପତ୍ନୀ ଓ ଶାଶୁ ବିରୁଦ୍ଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସେମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି ।
ଗୁରଦାସ କ୍ଷେତରେ କାମ କରୁଥିଲେ । ଚାଷ କରି ନିଜ ପରିବାରର ଭରଣ ପୋଷଣ କରୁଥିଲେ । ୨୦୧୫ରେ ତାଙ୍କ ବିବାହ ନବଦୀପଙ୍କ ସହ ହୋଇଥିଲା । ମାତ୍ର ବିବାହର ପରେ ଗୁରଦାସଙ୍କ ପତ୍ନୀ ତାଙ୍କ ସହ କଳହ କରି ନିଜ ବାପ ଘରକୁ ପଳାଇଥିଲେ । କଳହ ବଢିବା ପରେ ୨୦୨୦ରେ ଉଭୟ ଅଲଗା ହୋଇ ଯାଇଥିଲେ ।
ଗୁରଦାସଙ୍କ ବାପା ମାଆ କହିଛନ୍ତି, ନବଦୀପ ନିଜ ସ୍ୱାମୀ ଓ ବାପା-ମାଆଙ୍କ ବିରୁଦ୍ଧରେ ମିଥ୍ୟା ଯୌତୁକ ମାମଲା ରୁଜୁ କରିଥିଲା । ଏହାସହ ୨୦ ଲକ୍ଷ ଦାବି କରିଥିଲା । ଏହାପରେ ଗୁରଦାସ ଆତ୍ମହତ୍ୟା କରିଥିଲେ । ଏହି ଘଟଣା ପରେ ପରିବାର ଲୋକେ ନ୍ୟାୟ ଦାବି କରିଛନ୍ତି । ଘଟଣାର ତଦନ୍ତ ପରେ ପୁଲିସ ଅଧିକାରୀ କହିଛନ୍ତି, ଫତେହଗଡ ଛତ୍ରାର ଜଣେ ଯୁବକ ବିଷାକ୍ତ ପାନୀୟ ପିଇ ଆତ୍ମହତ୍ୟା କରିଛନ୍ତି । ମୃତକ ଆତ୍ମହତ୍ୟା ପୂର୍ବରୁ ଭିଡିଓ ମଧ୍ୟ କରିଛନ୍ତି । ଯାହାକୁ ଆଧାର କରି ଘଟଣାର ତଦନ୍ତ କରାଯାଉଛି ।