ନୂଆଦିଲ୍ଲୀ: ଭାରତରେ ଅନେକ ପ୍ରାଚୀନ ମନ୍ଦିର ଅଛି । ଏଥିମଧ୍ୟରୁ କିଛି ମନ୍ଦିର ଆମକୁ ଆଶ୍ଚର୍ଯ୍ୟ କରେ । ଏହି ସମସ୍ତ ମନ୍ଦିର ସେମାନଙ୍କର ରହସ୍ୟ ଏବଂ ଚମତ୍କାର ପାଇଁ ସାରା ବିଶ୍ୱରେ ଜଣାଶୁଣା । ଭାରତରେ ଏକ ଶିବ ମନ୍ଦିର ମଧ୍ୟ ଅଛି । ଯେଉଁଠାରେ ନନ୍ଦୀ ଜୀଙ୍କ ମୂର୍ତ୍ତୀର ଆକାର ନିରନ୍ତର ବୃଦ୍ଧି ପାଉଛି। ଆଜି ପର୍ଯ୍ୟନ୍ତ କେହି ଏହି ପ୍ରତିମାର ବର୍ଦ୍ଧିତ ଆକାରର ରହସ୍ୟ ଖୋଜି ପାଇ ପାରିନାହାଁନ୍ତି । ଏହା ବ୍ୟତୀତ, ପ୍ରତିମାର ବର୍ଦ୍ଧିତ ଆକାରକୁ ନେଇ ଲୋକଙ୍କ ମଧ୍ୟରେ ଅନେକ ବିଶ୍ୱାସ ମଧ୍ୟ ରହିଛି । ଭଗବାନ ଶିବଙ୍କ ଏହି ରହସ୍ୟମୟ ମନ୍ଦିର ହାଇଦ୍ରାବାଦରୁ ୩୦୮ କିଲୋମିଟର ଏବଂ ବିଜୟୱାଡାରୁ ୩୫୯ କିଲୋମିଟର ଦୂରରେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଅବସ୍ଥିତ । ଏହି ମନ୍ଦିରର ନାମ ଶ୍ରୀ ୟଙ୍ଗାତି ଉମା ମହେଶ୍ୱର ମନ୍ଦିର । ଏହି ମନ୍ଦିର ବୈଷ୍ଣବ ପରମ୍ପରା ଅନୁସାରେ ନିର୍ମିତ । ଏହା ୧୫ ଶତାବ୍ଦୀରେ ବିଜୟନଗର ସାମ୍ରାଜ୍ୟର ସଙ୍ଗମ ରାଜବଂଶର ରାଜା ହରିହର ବୁକ୍କା ରାୟଙ୍କ ଦ୍ୱାରା ନିର୍ମିତ ହୋଇଥିଲା । ଏହା ପ୍ରାଚୀନ କାଳର ପଲ୍ଲବ, ଚୋଳ, ଚାଲୁକ୍ୟ ଏବଂ ବିଜୟନଗର ଶାସକଙ୍କ ପରମ୍ପରାକୁ ପ୍ରତିଫଳିତ କରେ । ଏହି ମନ୍ଦିର ପ୍ରତିଷ୍ଠା ବିଷୟରେ ଏକ ଲୋକପ୍ରିୟ କାହାଣୀ ଅଛି । କୁହାଯାଏ ଯେ ଏହି ଶିବ ମନ୍ଦିର ଅଗସ୍ତ୍ୟ ଋଷିଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା । ସେ ଏଠାରେ ଭଗବାନ ଭେଙ୍କଟେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଚାହୁଁଥିଲେ, କିନ୍ତୁ ସଂସ୍ଥାପନ ସମୟରେ ମୂର୍ତ୍ତିର ଅଙ୍ଗୁଠି ଭାଙ୍ଗିଗଲା । ଏହା ପରେ ଅଗସ୍ତ୍ୟ ଋଷି ଭଗବାନ ଶିବଙ୍କୁ ପୂଜା କରିଥିଲେ, ଯାହା ପରେ ଭଗବାନ ଶିବ ପ୍ରକଟ ହୋଇ କହିଲେ ଯେ ଏହି ସ୍ଥାନଟି କୈଳାସ ପରି ଦେଖାଯାଉଛି, ତେଣୁ ଏଠାରେ ତାଙ୍କର ମନ୍ଦିର ନିର୍ମାଣ କରିବା ଠିକ୍ ।
ଭଗବାନ ଶିବଙ୍କ ସମସ୍ତ ମନ୍ଦିରରେ ନନ୍ଦୀ ଜୀଙ୍କ ମୂର୍ତ୍ତି ଅବସ୍ଥିତ ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । କିନ୍ତୁ ଏଠାରେ ସ୍ଥାପିତ ନନ୍ଦୀଙ୍କ ମୂର୍ତ୍ତି ଅତ୍ୟନ୍ତ ସ୍ୱତନ୍ତ୍ର ଏବଂ ଚମତ୍କା । ଯାହା ବିଷୟରେ କେବଳ ଲୋକ ନୁହଁନ୍ତି ବରଂ ବୈଜ୍ଞାନିକମାନେ ମଧ୍ୟ କୁହନ୍ତି ଯେ ଏଠାରେ ଅବସ୍ଥିତ ମୂର୍ତ୍ତିର ଆକାର ପ୍ରତି ୨୦ ବର୍ଷରେ ପ୍ରାୟ ଗୋଟିଏ ଇଞ୍ଚ ବୃଦ୍ଧି ପାଏ । ଯାହା ଯୋଗୁଁ ମନ୍ଦିରର ସ୍ତମ୍ଭଗୁଡ଼ିକୁ ଗୋଟିଏ ଗୋଟିଏ କରି ବାହାର କରିବାକୁ ପଡ଼େ । ଏହା ସହିତ, କୁହାଯାଏ ଯେ କଳିଯୁଗ ଶେଷ ସୁଦ୍ଧା ଏହି ମୂର୍ତ୍ତି ଏକ ବିଶାଳ ରୂପରେ ଜୀବନ୍ତ ହୋଇଯିବ ଏବଂ ସେହି ଦିନ ମହାପ୍ରଳୟ ଆସିବ ଯାହା ପରେ କଳିଯୁଗ ଶେଷ ହେବ । ଏହି ମନ୍ଦିରରେ ଶନିଦେବଙ୍କର କୌଣସି ପ୍ରଭାବ ନାହିଁ । ମନ୍ଦିରରେ କେବେ କାଉ ଦେଖାଯାଆନ୍ତି ନାହିଁ । କୁହାଯାଏ ଯେ ଏହା ଋଷି ଅଗସ୍ତ୍ୟଙ୍କ ଅଭିଶାପ ଯୋଗୁଁ ହୋଇଛି । କିମ୍ବଦନ୍ତୀ ଅନୁସାରେ, ଯେତେବେଳେ ଋଷି ଅଗସ୍ତ୍ୟ ଧ୍ୟାନ କରୁଥିଲେ, କାଉମାନେ ତାଙ୍କୁ ବିଚଳିତ କରୁଥିଲେ । କ୍ରୋଧିତ ହୋଇ, ଋଷି ସେମାନଙ୍କୁ ଅଭିଶାପ ଦେଇଥିଲେ ଯେ ସେମାନେ କେବେ ଏଠାକୁ ଆସିପାରିବେ ନାହିଁ ।