ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କବାଦୀ ଘଟଣାକୁ ନେଇ ସମଗ୍ର ବିଶ୍ୱ ଥରିଉଠିଛି। ଆତଙ୍କବାଦର ଏପ୍ରକାର ବିଭତ୍ସ ରୂପ ପୁଣିଥରେ ସାମ୍ନାକୁ ଆସିଥିବା ବେଳେ ଭାରତରେ ଶୋକର ଛାୟା ଖେଳିଯାଇଛି। ଏହି ଆତଙ୍କବାଦୀ ଘଟଣାରେ ୨୮ଜଣ (ସମସ୍ତେ ପୁରୁଷ) ପ୍ରାଣ ହରାଇଥିବା ବେଳେ ୧୬ରୁ ଅଧିକ ଏବେ ବି ହସ୍ପିଟାଲ ବେଡ୍ରେ ଜୀବନ ମରଣ ସହ ଲଢ଼େଇ କରୁଛନ୍ତି। ତେବେ ଭାରତର ଏପ୍ରକାର ଦୁଃଖ ସମୟରେ ସମଗ୍ର ବିଶ୍ୱ ଭାରତ ସହ କାନ୍ଧକୁ କାନ୍ଧ ମିଳାଇ ଛିଡାହୋଇଛି। ଆମେରିକା, ରୁଷ୍ ଠାରୁ ଆରମ୍ଭ କରି ଅନେକ ପାଶ୍ଚାତ୍ୟ ଦେଶଗୁଡ଼ିକ ଭାରତକୁ ସମର୍ଥନ କରିଛନ୍ତି। ଏସବୁ ମଧ୍ୟରେ ଭାରତରେ ଏବେ ପ୍ରତିଶୋଧର ନିଆଁ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି। ରିପୋର୍ଟ ଅନୁସାରେ ପହଲଗାମ୍ରେ ପ୍ରାଣହରାଇଥିବା ନୀରିହ ଭାରତୀୟଙ୍କ ମୃତଦେହ ଯେତେବେଳେ କଫିନ୍ ଯୋଗେ ସେମାନଙ୍କ ରାଜ୍ୟ, ସେମାନଙ୍କ ଘରକୁ ଫେରୁଛି ସେତେବେଳେ ଦେଶବାସୀଙ୍କ ମଧ୍ୟରେ ପ୍ରତିଶୋଧ ଭାବନା ଉଗ୍ରରୂପ ଧାରଣ କରିବାରେ ଲାଗିଛି। ଭାରତ ଆତଙ୍କବାଦୀଙ୍କ ବିରୁଦ୍ଧରେ ଏକ ଦୃଢ଼ ପ୍ରତିଶୋଧମୂଳକ ଆକ୍ରମଣ ଏବଂ ନିର୍ଣ୍ଣାୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବିକୁ ଜୋର କରିଛି।
ଧାରା ୩୭୦ ଉଚ୍ଛେଦ ହେବା ପରଠାରୁ ଜମ୍ମୁ କାଶ୍ମୀର ଉପତ୍ୟକାରେ ଏହା ସର୍ବବୃହତ୍ ଆତଙ୍କବାଦୀ ଆକ୍ରମଣ ଭାବେ ଅଭିହିତ କରାଯାଉଛି। ଅନ୍ୟପକ୍ଷେ ଏପ୍ରକାର ବର୍ବୋରୋଚିତ ଘଟଣା ପଛରେ ପାକିସ୍ତାନ ସେନାର ହାତ ଥିବା ଅନୁମାନ କରାଯାଉଛି। କାରଣ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରୁ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାରେ ପାକିସ୍ତାନ ସେନା ନିୟମିତ ଭାବରେ ସାହାଯ୍ୟ କରିଥାଏ। ସୁତରାଂ ଭାରତ ଏବେ ଉରି ସର୍ଜିକାଲ ଷ୍ଟ୍ରାଇକ୍ ତଥା ବାଲାକୋଟ୍ ଏୟାରଷ୍ଟ୍ରାଇକ୍ ଭଳି ପାକିସ୍ତାନରେ ପୁଣି ଏକ ସର୍ଜିକାଲ ଷ୍ଟ୍ରାଇକ୍ କିମ୍ବା ଏକ ବଡଧରଣର ଏୟାରଷ୍ଟ୍ରାଇକ୍ କରିବା ସମ୍ଭାବନା ସୃଷ୍ଟି ହୋଇଛି। ସୋସିଆଲ ମିଡିଆରେ ମଧ୍ୟ ହାସଟ୍ୟାଗ୍ ପହଲଗାମ, ମୋଦୀ, ଏୟାରଷ୍ଟ୍ରାଇକ୍, ସର୍ଜିକାଲ ଷ୍ଟ୍ରାଇକ୍ ଭଳି କିଛି ଲେଖା ଟ୍ରେଣ୍ଡ୍ କରୁୂଥିବା ଦେଖିବାକୁ ମିଳୁଛି। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ତାଙ୍କ ବାସଭବନରେ ବସିଥିବା ସିସିଏ ବୈଠକ (ସୁରକ୍ଷା ସମ୍ପର୍କୀତ କ୍ୟାବିନେଟ୍ ବୈଠକ) ଉପରେ ଏବେ ସଭିଙ୍କ ନଜର ରହିଛି। ପାକିସ୍ତାନ ସରକାର ମଧ୍ୟ ଭାରତ ପଟୁ ଏକ ଅଘୋଷିତ ଆକ୍ରମଣ ଆଶଙ୍କାକୁ ଅନୁଭବ କରିପାରି ଆଗୁଆ ପହଲଗାମ୍ ଘଟଣାରେ ପାକିସ୍ତାନର କୌଣସି ସମ୍ପୃକ୍ତି ନଥିବା ନେଇ ସଫେଇ ଦେଇଛନ୍ତି। କିନ୍ତୁୂ ଏହା ଭାରତ ଏବଂ ଭାରତୀୟଙ୍କୁ ସନ୍ତୁଷ୍ଟ କରିପାରିନାହିଁ। ପାକ୍ ସରକାର ନିଜ ବାୟୁସେନା ତଥା ସ୍ଥଳସେନାକୁ ସତର୍କ ରହିବାକୁ ନିର୍ଦ୍ଦେଶ ଜାରି କରିସାରିଥିବା ସୂଚନା ମିଳିଛି।
ପ୍ରକାଶ, ଜଙ୍ଗଲରୁ ବାହାରିଆସି ଅତର୍କିତ ଭାବେ ପର୍ଯ୍ୟଟକଙ୍କ ଉପରେ ଗୁଳିମାଡ଼ କରିଥିବା ୫/୬ ଆତଙ୍କବାଦୀମାନେ କେବଳ ପୁରୁଷ ପର୍ଯ୍ୟଟକଙ୍କୁ ଟାର୍ଗେଟ୍ କରିଥିଲେ। ମହିଳାମାନଙ୍କୁ ଏହିପାଇଁ ଛାଡିଦେଇଥିଲେ ଯେ, ସେମାନେ ସେଠାରୁ ଯାଇ ସେମାନଙ୍କ ବାର୍ତ୍ତା ଭାରତ ସରକାରଙ୍କ ପର୍ଯ୍ୟନ୍ତ ପହଞ୍ଚାନ୍ତୁ। ଏହାର ଅର୍ଥ ଆତଙ୍କବାଦୀମାନେ ସିଧାସଳଖ ଭାରତ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ବୋଲି ବିଶ୍ୱର ବିଭିନ୍ନ ପ୍ରାନ୍ତରେ ରହୁଥିବା ପ୍ରବାସୀ ଭାରତୀୟମାନେ ମତବ୍ୟକ୍ତ କରିଛନ୍ତି। ସୋସିଆଲ ମିଡିଆରେ ସାରା ବିଶ୍ୱର ଭାରତୀୟମାନେ ଆତଙ୍କବାଦୀ ଲଞ୍ଚପ୍ୟାଡଗୁଡ଼ିକୁ ଧ୍ୱଂସ କରି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରକାରଙ୍କୁ ଦାବି କରିଛନ୍ତି। ଅନ୍ୟପକ୍ଷେ ସୁରକ୍ଷା ବାହିନୀ ଗତକାଲିଠାରୁ ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଖୋଜୁଛନ୍ତି। ଅନ୍ୟ ଏକ ରିପୋର୍ଟ ଅନୁସାରେ ଉରି ସେକ୍ଟରରେ ଦୁଇ ଜଣ ଆତଙ୍କବାଦୀ ଅନୁପ୍ରବେଶ ପ୍ରୟାସ କରୁଥିବା ସମୟରେ ସୁରକ୍ଷାକର୍ମୀଙ୍କ ଏନ୍କାଉଣ୍ଟରରେ ପ୍ରାଣ ହରାଇଛନ୍ତି।