ଭୁବନେଶ୍ୱର: ଗତ ଦୁଇ ଦିନ ଧରି ରାଜ୍ୟରେ ଯେଉଁଭଳି ଭାବେ ସ୍ପର୍ଶକାତର ଓ ହୃଦୟବିଦାରକ ଘଟଣା ଘଟିଯାଇଛି, ଏଥିରୁ ସ୍ପଷ୍ଟ ହେଉଛି ରାଜ୍ୟରେ ଆଉ ଆଇନ ଶୃଙ୍ଖଳା ବୋଲି କିଛି ନାହିଁ ଏବଂ ସରକାର ନିଘୋଡ ନିଦରେ ଶୋଇଛନ୍ତି ବୋଲି ବିଜେଡି କହିଛି ।
ଶଙ୍ଖ ଭବନଠାରେ ଅନୁଷ୍ଠିତ ଆଜି ସାମ୍ବାଦିକ ସମ୍ମିଳନୀରେ ବିଧାୟକ ପ୍ରଦୀପ ଦିଶାରୀ ଓ ବିଧାୟିକା ଶ୍ରୀମତୀ ମନୋରମା ମହାନ୍ତି କହିଥିଲେ ଯେ, ସୁନ୍ଦରଗଡ ଜିଲ୍ଲା ବିଶ୍ରା ଥାନା ଅଞ୍ଚଳରେ ଏକ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାକ୍ରାର କରି ମୁର୍ମୁଷୁ ଅବସ୍ଥାରେ ଜଙ୍ଗଲରେ ଫୋପାଡି ଦେଇଥିଲେ । ଦୁଷ୍କର୍ମ ପରେ ଜୋରଜବରଦସ୍ତ ବିଷ ପିଆଇ ଦିଆଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମୃତ ଛାତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ମିଳିବାରେ ବିଳମ୍ବ ହେବାରୁ ମୃତୁ୍ୟ ହୋଇଥିବା ଅଭିଯୋଗ ହୋଇଛି ।
ସେହିପରି ଶ୍ରୀ ଦିଶାରୀ ଆହୁରି କହିଥିଲେ ଯେ, ଶାସକ ବିଜେପି ଦଳର ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଦୁଇ ଜଣଙ୍କ ଜୀବନ ଚାଲି ଯାଇଛି । ପୋଲିସର ନିଷ୍କ୍ରିୟତା ଲାଗି ଘଟଣାକୁ ଚପାଇଦେବା ପାଇଁ ଉଦ୍ୟମ ହୋଇଛି । ଅନ୍ୟପକ୍ଷରେ ବରଗଡରେ ବିଧାୟକଙ୍କ ପୁଅ, ଧାରଣାରତ ଚାଷୀଙ୍କ ଉପରେ ନୃଶଂସ ଭାବେ ଗାଡି ଚଢାଇ ଦେଇଥିଲେ । ଶାସକ ଦଳର ବିଧାୟକଙ୍କ ପୁଅ ବୋଲି ଆଇନ ଶୃଙ୍ଖଳାକୁ ଭ୍ରୁକ୍ଷେପ ନକରି ଏଭଳି ଔଦ୍ଧତ୍ୟପୂର୍ଣ୍ଣ ଓ ଅମାନବୀୟ କାଣ୍ଡ ଭିଆଇଛନ୍ତି । ବିଜେପି ଦଳ ଆଇନର ଶାସନକୁ କିଭଳି ସମ୍ମାନ ଦିଏ, ଏହା ତାହାର ଏକ ନମୁନା । ଲଗାତାର ଭାବେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ବାବଦରେ ବିଜୁ ଜନତା ଦଳ ସରକାରଙ୍କୁ ସତର୍କ କରାଇ ଆସୁଥିଲେ ମଧ୍ୟ ପରିସ୍ଥିତିରେ କୌଣସି ଉନ୍ନତି ପରିଲକ୍ଷିତ ହେବା ପରିବର୍ତ୍ତେ ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଗୃହ ବିଭାଗର ମୁଖ୍ୟ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ଦୃଢ ପଦକ୍ଷେପ ନିଅନ୍ତୁ । ନଚେତ ଆଗାମୀ ଦିନରେ ଜନସାଧାରଣ ତୀବ୍ର ଜନଆନେ୍ଦାଳନ ହେବ ଏବଂ ବିଜୁ ଜନତା ଦଳ ଚୁପ୍ ହୋଇ ବସିବ ନାହିଁ ବୋଲି ବିଜେଡି କହିଛି ।










