27.1 C
Bhubaneswar
Friday, March 14, 2025
Homeଓଡିଶାବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗ୍ରୀଷ୍ମପ୍ରବାହର କୌଣସି ସମ୍ଭାବନା ନାହିଁ

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗ୍ରୀଷ୍ମପ୍ରବାହର କୌଣସି ସମ୍ଭାବନା ନାହିଁ

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗ୍ରୀଷ୍ମପ୍ରବାହର କୌଣସି ସମ୍ଭାବନା ନାହିଁ । ଏ ସମ୍ପର୍କରେ ସମସ୍ତ ଜିଲ୍ଲା, ସଂପୃକ୍ତ ବିଭାଗ ଓ କ୍ଷେତ୍ରସ୍ତରୀୟ ସଂସ୍ଥାସବୁକୁ ସୂଚନା ଦିଆଯାଇଛି । ତେବେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷାପୂର୍ବକ କିପରି ଏହାର ପ୍ରତିକାର ଓ ମୁକାବିଲା କରାଯାଇ ପାରିବ ଏ ସଂପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ସମସ୍ତ ବିଭାଗକୁ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ଓ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭିନ୍ନ ଗ୍ରାମ, ପଡ଼ା ଓ ୱାର୍ଡରେ ଜଳସଂକଟ ଥିବା ଅଞ୍ଚଳକୁ ଚିହ୍ନଟ କରିବା ସହ ପାନୀୟ ଜଳ ଯୋଗାଣ ସୁନିଶ୍ଚିତ କରିବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ୱାଟର ଟ୍ୟାଙ୍କର ମାଧ୍ୟମରେ ଜଳ ଯୋଗାଇଦେବା ସହ ବଜାରଘାଟ, ବସ୍‌ଷ୍ଟାଣ୍ଡ ଓ ଅନ୍ୟ ଜନଗହଳିପୂର୍ଣ୍ଣ ସ୍ଥାନଗୁଡ଼ିକରେ ପାନୀୟ ଜଳ ସେବା କେନ୍ଦ୍ର ଓ ଜଳଛତ୍ର ଖୋଲିବା ସହ ଆଗୁଆ ଅଚଳ ନଳକୂପଗୁଡ଼ିକର ମରାମତି, ପାଇପ ଜଳଯୋଗାଣ ବ୍ୟବସ୍ଥା ତ୍ୱରାନ୍ୱିତ କରିବା, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀ, ଗୋଷ୍ଠୀ କେନ୍ଦ୍ର ଗୃହଗୁଡ଼ିକୁ ବାସହୀନ ଓ ଆଶ୍ରୟସ୍ଥଳ ଆବଶ୍ୟକ ଥିବା ଜନସାଧାରଣଙ୍କୁ ଦିନବେଳା ଆଶ୍ରୟ ଯୋଗାଇ ଦେବାର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜଳସଂପଦ ବିଭାଗ ପକ୍ଷରୁ ଜଳଭଣ୍ଡାରଗୁଡ଼ିକରୁ କେନାଲକୁ ଆବଶ୍ୟକ ଜଳ ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ମତ୍ସ୍ୟପାଳନ ଓ ପଶୁସଂପଦ ବିକାଶ ବିଭାଗ ପକ୍ଷରୁ ବୁଲା ପଶୁ/ଗୋରୁଗାଈମାନଙ୍କ ପାଇଁ ପିଇବା ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବିଦ୍ୟାଳୟ, ମହାବିଦ୍ୟାଳୟ, ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକ ପରିସରରେ ଥିବା ଅଚଳ ନଳକୂପଗୁଡ଼ିକ ସଜାଡ଼ିବା ସହ ପ୍ରଚୁର ପରିମାଣର ଓଆର୍‌ଏସ୍‌ ମହଜୁଦ ରଖିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଖରା ସମୟରେ ବାହ୍ୟ କାର୍ଯ୍ୟକଳାପକୁ ନିଷିଦ୍ଧ କରାଯାଇଛି । ବିଦ୍ୟାଳୟର ସମୟ, ଗ୍ରୀଷ୍ମ ପ୍ରବାହର ଆଗୁଆ ସୂଚନା ଅନୁସାରେ ପରିବର୍ତ୍ତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ କେବଳ ସକାଳବେଳା ଖୋଲା ରଖିବା ସହ ପାନୀୟ ଜଳ ବ୍ୟବସ୍ଥା ଓ ଆବଶ୍ୟକ ପରିମାଣର ଓଆର୍‌ଏସ୍‌ ପ୍ୟାକେଟ୍‌ ଆଶା ଓ ଅଙ୍ଗନବାଡ଼ି କର୍ମୀମାନଙ୍କୁ ଯୋଗାଇଦେବା ପାଇଁ ମହିଳା ଓ ଶିଶୁ ବିକାଶ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଜିଲ୍ଲା ସଦର ମହକୁମା ଚିକିତ୍ସାଳୟଗୁଡ଼ିକରେ ଅଂଶୁଘାତ ରୋଗୀମାନଙ୍କର ଚିକିତ୍ସାର ବ୍ୟବସ୍ଥା କରିବା ସହ ଜୀବନ ରକ୍ଷାକାରୀ ଔଷଧ, ସାଲାଇନ୍‌ ଓ ଓଆର୍‌ଏସ୍‌ ମହଜୁଦ୍‌ ରଖିବା ଓ ଜନସାଧାରଣଙ୍କ ମଧ୍ୟରେ ଅଂଶୁଘାତଜନିତ ସଚେତନତା ପାଇଁ ପ୍ରଚାର ବ୍ୟବସ୍ଥା କରିବା ଓ ଜିଲ୍ଲାସ୍ତରୀୟ ମେଡ଼ିକାଲ ଅଫିସର ଓ ଅନ୍ୟ ସମସ୍ତ ମେଡ଼ିକାଲ ଅଫିସରମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରରେ ଅଂଶୁଘାତ ଓ ଗ୍ରୀଷ୍ମପ୍ରବାହଜନିତ ସ୍ୱାସ୍ଥ୍ୟ ପରିଚାଳନା କ୍ଷେତ୍ରରେ ତାଲିମ ଦିଆଯିବ । ଏଥି ପାଇଁ ଓସ୍‌ଡମା ପକ୍ଷରୁ ପାଣ୍ଠି ଯୋଗାଇ ଦିଆଯିବ । ଏ ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଖରା ସମୟରେ ବସ୍‌ ଚଳାଚଳ ସମୟ ପରିବର୍ତ୍ତନ ସହ ବସ୍‌ଗୁଡ଼ିକରେ ଯାତ୍ରୀମାନଙ୍କ ପାଇଁ ପାନୀୟ ଜଳ, ପ୍ରାଥମିକ ଚିିକିତ୍ସା ବାକ୍ସର ବ୍ୟବସ୍ଥା କରିବା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ନିର୍ମାଣ ଶ୍ରମିକମାନଙ୍କୁ କାର୍ଯ୍ୟକ୍ଷେତ୍ର ସ୍ଥଳରେ ପାନୀୟ ଜଳ ସହ ଆଶ୍ରୟ ବ୍ୟବସ୍ଥା କରିବା ଓ ଖରା ସମୟରେ ଗ୍ରୀଷ୍ମପ୍ରବାହକୁ ଆଖି ଆଗରେ ରଖି କାର୍ଯ୍ୟ ସମୟରେ ପରିବର୍ତ୍ତନ କରିବା ପାଇଁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ସମୟରେ ନିରବଚ୍ଛିନ୍ନ ବିଦୁ୍ୟତ ଯୋଗାଣ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇ ଶକ୍ତି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

ଜଙ୍ଗଲ ଅଗ୍ନିକୁ ରୋକିବା ଓ ପ୍ରତିହତ କରିବା ପାଇଁ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ସଚେତନତା ସୃଷ୍ଟି କରିବା ସହ ବନାଗ୍ନି ଦାଉରୁ ବନ୍ୟପ୍ରାଣୀ, ପକ୍ଷୀମାନଙ୍କୁ ରକ୍ଷା କରିବା ପାଇଁ ସ୍ଥାନୀୟ ଗୋଷ୍ଠୀ, ବନ ସୁରକ୍ଷା ସମିତି, ପଞ୍ଚାୟତିରାଜ ସଭ୍ୟ ଓ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ଏଥିରେ ଭାଗୀଦାର କରିବା ସହ ଚିଡ଼ିଆଖାନାଗୁଡ଼ିକୁ ବନ୍ୟପ୍ରାଣୀଙ୍କ ପାଇଁ ପିଇବା ପାଣି ଯୋଗାଇଦେବା ଓ ସହରାଞ୍ଚଳରେ ବନୀକରଣ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଗ୍ରୀଷ୍ମପ୍ରବାହ ସଂପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପୋଷ୍ଟର, ଲିଫ୍‌ଲେଟ୍‌, ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଓ କ’ଣ କରିବାକୁ ହେବ ଓ କ’ଣ ନକରିବା ଉଚିତ, ମଣିଷ ଓ ପ୍ରାଣୀସଂପଦର ସୁରକ୍ଷା ଦିଗରେ ଏଭଳି ପ୍ରଚାର ଓ ପ୍ରସାର ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ଓ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି ।

ଥଣ୍ଡାଛାତ କାରିଗରୀ ବିଦ୍ୟାର ପ୍ରସାର ସଂପର୍କରେ ଜନସଚେତନତା ସୃଷ୍ଟି ଓ ଛାତ ଉପରେ ଧଳା ରଙ୍ଗର ଆସ୍ତରଣ ଦେବା ଦ୍ୱାରା ଘର ଭିତର କିପରି ଥଣ୍ଡା ରହିପାରିବ ଓ ରାଜ୍ୟ, ଜିଲ୍ଲାସ୍ତରରୁ ଆରମ୍ଭ କରି ନଗର ଉତ୍ତାପ ଆକ୍ସନ୍‌ ପ୍ଲାନ୍‌କୁ କିପରି ଉନ୍ନତିକରଣ କରାଯାଇ ରାଜ୍ୟରେ ଗ୍ରୀଷ୍ମପ୍ରବାହଜନିତ ପ୍ରଭାବ ମୁକାବିଲା ପରିଚାଳନା କରାଯାଇପାରିବ ଏ କ୍ଷେତ୍ରରେ ଓସ୍‌ଡମାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅବସରରେ ମାନ୍ୟବର ମନ୍ତ୍ରୀ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ଆଭାସି ମାଧ୍ୟମରେ ଗ୍ରୀଷ୍ମପ୍ରବାହଜନିତ ମୁକାବିଲାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିବା ସହ ଏ ଦିଗରେ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ସମୀକ୍ଷା ବୈଠକରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‌ କମିଶନର ଶ୍ରୀ ଦେଓ ରଞ୍ଜନ କୁମାର ସିଂହ, ଭାରତୀୟ ପାଣିପାଗ ବିଭାଗ ଆଞ୍ଚଳିକ ଶାଖାର ବରିଷ୍ଠ ବୈଜ୍ଞାନିକ ଶ୍ରୀ ସଂଜୀବ ଦ୍ୱିବେଦୀ, ସମସ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking