ଭୁବନେଶ୍ୱର: ରାଜ୍ୟରେ ବର୍ଷକୁ ବର୍ଷ ହେନ୍ତାଳ ବନ ପରିମାଣ ବୃଦ୍ଧି ପାଉଥିବାବେଳେ ଶେଷଥର ପାଇଁ ୨୦୨୩ ରେ ହୋଇଥିବା ଆକଳନ ଅନୁଯାୟୀ ମୋଟ୍ ୨୫୯ ବର୍ଗ କିଲୋମିଟରର ହେନ୍ତାଳ ବନ ରହିଛି । ୨୦୧୩ମସିହାରେ ଏହା ୨୧୩ ବର୍ଗ କିଲୋମିଟର ରହିଥିଲା । ହେନ୍ତାଳ ବନ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ । ମନ୍ତ୍ରୀ କହିଛନ୍ତି ଯେ ଭାରତ ସରକାରଙ୍କ ଜାତୀୟ ବନ ସର୍ବେକ୍ଷଣ ସଂସ୍ଥା ଦ୍ୱାରା ପ୍ରତି ଦୁଇ ବର୍ଷରେ ଥରେ ଇଣ୍ଡିଆନ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ ପ୍ରକାଶ ପାଇଥାଏ । ୨୦୨୩ ମସିହାରେ ଶେଷଥର ପାଇଁ ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ହେନ୍ତାଳବନର ପରିମାଣ ୨୫୯ ବର୍ଗ କିଲୋମିଟର ରହୁଛି । ସେହିଭଳି ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୨୦୧୪-୧୫ ଆର୍ଥିଖ ବର୍ଷ ଠାରୁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୨୮୪୯ ହେକ୍ଟର ଜମିରେ ହେନ୍ତାଳବନ ସୃଷ୍ଟି କରାଯାଇଛି । ଏଥିପାଇଁ ୧୫୦୦.୨୯୧୭୬ ଲକ୍ଷ ଟଙ୍କା ବ୍ୟୟ ହୋଇଛି । ବାଲେଶ୍ୱର, ଭଦକ୍ର, ଜଗତ୍ସିଂହପୁର, କେନ୍ଦ୍ରାପଡା ପୁରୀ ଜିଲ୍ଲାରେ ଏହି ହେନ୍ତାଳବନ ସୃଷ୍ଟି ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।