ନୂଆଦିଲ୍ଲୀ: ପ୍ରଥମେ ପରିବାର ବିରୁଦ୍ଧରେ ଯାଇ ବାହା ହେଲେ । ହେଲେ ଏକାଠି ରହିବାକୁ କହିବାରୁ ସ୍ତ୍ରୀକୁ ଛୁରି ଭୁସି ମାରିଦେଲା ସ୍ୱାମୀ । ପଶ୍ଚିମ ଦିଲ୍ଲୀର ରାଜୌରୀ ଗାର୍ଡେନ୍ ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି । ହତ୍ୟା ପରେ ସ୍ତ୍ରୀର ମୃତଦେହ କାର୍ରେ ଛାଡ଼ି ଚମ୍ପଟ ମାରିବା ବେଳେ ପୋଲିସ ହାତରେ ଧରା ପଡିଛି ଅଭିଯୁକ୍ତ । ସୂଚନା ଅନୁସାରେ, ଗୌତମ ଓ ମାନ୍ୟା ୬ମାସ ତଳେ ପରିବାର ଲୋକଙ୍କ ସହମତି ବିନା ବିବାହ କରିଥିଲେ । ଏହାପରେ ସେମାନେ ନିଜ ନିଜ ପରିବାର ଲୋକଙ୍କ ସହ ରହିଆସୁଥିଲେ । ମଝିରେ ମଝିରେ ଦୁହିଁଙ୍କର ଦେଖା ହେଉଥିଲା ।ଗତକାଲି ଗୌତମ ମାନ୍ୟାଙ୍କୁ ଦେଖା କରିବା ପାଇଁ ଆସିଥିଲା । ଏକାଠି ରହିବାକୁ ମାନ୍ୟା ଗୌତମକୁ ବାଧ୍ୟ କରିଥିଲେ ।
ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ପ୍ରବଳ ପାଟିତୁଣ୍ଡ ହେବା ପରେ ଗୌତମ ରାଗିଯାଇ ମାନ୍ୟାଙ୍କୁ ଛୁରି ଭୁସି ଦେଇଥିଲା । ତେବେ ମାନ୍ୟାଙ୍କ ମୃତ୍ୟୁ ହୋଇଯିବା ପରେ ଉପାୟ ପାଞ୍ଚିଥିଲା ଗୌତମ । କାର୍ରେ ମୃତଦେହ ଛାଡି ସେଠାରୁ ଫେରାର୍ ହେବାକୁ ଉଦ୍ୟମ କରିଥିଲା । ବିଳମ୍ୱିତ ରାତିରେ ପାଟ୍ରୋଲିଂ ଚାଲିଥିବା ବେଳେ ଖାଏଲା ପୋଲିସ ଷ୍ଟେସନର ହେଡ୍କନଷ୍ଟେବଲ୍ ଅଜୟ ଗୌତମକୁ ଦେଖି ଅଟକାଇଥିଲେ । ସେ ବିନା ସାର୍ଟରେ ବୁଲୁଥିବାରୁ ସନ୍ଦେହ ବଢିଥିଲା । ପୋଲିସ ଗୌତମକୁ ଆଣି ପଚରା ଉଚରା କରିବା ପରେ ସବୁ କଥା ଜଣାପଡିଥିଲା । ସେ ରଘୁବୀର ନଗରରେ ରହୁଥିବା ବେଳେ ମାନ୍ୟା ତିତାରପୁରରେ ରହୁଥିଲେ । ମାନ୍ୟା ଜିଦ୍ କରିବାରୁ ସେ ହତ୍ୟା କରିଥିବା ସ୍ୱୀକାର କରିଥିଲା । କାରଟିକୁ ଶିବାଜୀ କଲେଜର ଲାଲ୍ ବତୀ ନିକଟରେ ପାର୍କିଂ ହୋଇଥିବା ବେଳେ ସେଥିରୁ ମୃତଦେହ ଜବତ କରାଯାଇଛି । ଘଟଣାର ଅଧିକ ତଦନ୍ତ ଚାଲିଥିବା ପୋଲିସ ସୂଚନା ଦେଇଛି ।