25.1 C
Bhubaneswar
Monday, December 8, 2025
Homeଦେଶ ବିଦେଶୟୁନୁସଙ୍କ ମୁଖା ଖୋଲିଦେଲା ଜାତିସଂଘ

ୟୁନୁସଙ୍କ ମୁଖା ଖୋଲିଦେଲା ଜାତିସଂଘ

ଜେନିଭା: ବାଂଲାଦେଶରେ ସଂଖ୍ୟାଲଘୁ ବିଶେଷକରି ହିନ୍ଦୁ ସମ୍ପ୍ରଦାୟଙ୍କ ବିରୋଧରେ ବଢ଼ୁଥିବା ଅସହିଷ୍ଣୁତା, ଚାଲିଥିବା ଅକଥନୀୟ ହିଂସକ ନିର୍ଯ୍ୟାତନା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛି ମିଳିତ ଜାତିସଂଘ। ଜାତିସଂଘ ମାନବାଧିକାର ପକ୍ଷରୁ ଏକ ଗବେଷଣାଭିତ୍ତିକ ରିପୋର୍ଟ ସାର୍ବଜନୀନ କରାଯାଇଛି ଯେଉଁଥିରେ ବାଂଲାଦେଶରେ ନବଗଠିତ ମହମ୍ମଦ ୟୁନୁସ୍‌ଙ୍କ ନେତୃତ୍ୱାଧୀନ ସରକାରଙ୍କ ଅସଲ ମୁଖାକୁ ବିଶ୍ୱସ୍ତରରେ ଖୋଲିଦିଆଯାଇଛି। ଜାତିସଂଘ ମାନବାଧିକାର କାର୍ଯ୍ୟାଳୟର ଏହି ରିପୋର୍ଟ ହିନ୍ଦୁମାନଙ୍କ ପୂଜାସ୍ଥଳ ଉପରେ ଆକ୍ରମଣ ସମେତ ହିଂସାତ୍ମକ ଭିଡ଼ ଆକ୍ରମଣର ପ୍ରମାଣ ଦେଇଛି। ଫଳରେ ଆଜି ପର୍ଯ୍ୟନ୍ତ ଏସବୁ ଘଟଣାକୁ ଫାଙ୍କିଆସୁଥିବା ୟୁନୁସଙ୍କ ମିଛ ପଦାରେ ପଡ଼ିଯାଇଛି। ସବୁଠୁ ରୋଚକ ବିଷୟ ହେଉଛି ଯେତେବେଳେ ହିନ୍ଦୁ ତଥା ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାକାଣ୍ଡ ଘଟୁଥିବା ଏବଂ ନିର୍ଯ୍ୟାତନା ଦିଆଯାଉଥିବା ନେଇ ଜାତିସଂଘ ପକ୍ଷରୁ ଅଭିଯୋଗ କରାଯାଇଥିଲା ସେତେବେଳେ ମହମ୍ମଦ ୟୁନୁସ୍ ନିଜେ ଜାତିସଂଘକୁ ବାଂଲାଦେଶ ଆସିବାକୁ ଏବଂ ଏଠାରେ ପରିସ୍ଥିତି ଅନୁଧ୍ୟାନ କରିବାକୁ ଆମନ୍ତ୍ରଣ କରିଥିଲେ। ସିଧାଅର୍ଥରେ କହିଲେ ୟୁନୁସ୍‌ଙ୍କ ନିମନ୍ତ୍ରଣ କ୍ରମେ ହିଁ ଜାତିସଂଘ ମାନବାଧିକାର ଆୟୋଗ ପକ୍ଷରୁ ତଥ୍ୟ ଅନୁସନ୍ଧାନକାରୀ ଦଳ ପଠାଯାଇଥିଲା। ଏହି ଦଳ ହିଁ ପ୍ରସ୍ତୁତ କରିଥିବା ରିପୋର୍ଟକୁ ଏବେ ସାର୍ବଜନୀନ କରାଯାଇଛି। ବାଂଲାଦେଶରେ ହିଂସାତ୍ମକ ପ୍ରତିବାଦ ଯୋଗୁଁ ବହିଷ୍କୃତ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କୁ ୫ ଅଗଷ୍ଟ, ୨୦୨୪ରେ ପଳାୟନ କରିବାକୁ ବାଧ୍ୟ ହେବା ପରେ, ଦେଶର ୧୭ କୋଟି ଜନସଂଖ୍ୟାର ପ୍ରାୟ ୮% ହିନ୍ଦୁମାନେ ପ୍ରାଣଘାତକ ଆକ୍ରମଣର ସମ୍ମୁଖୀନ ହୋଇଥିଲେ, ସେମାନଙ୍କ ଘର, ବ୍ୟବସାୟ ଏବଂ ଧାର୍ମିକ ସ୍ଥଳ ଭଙ୍ଗାଯାଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି।

ଜାତିସଂଘ ରିପୋର୍ଟ କ’ଣ କହୁଛି
ଫେବୃଆରୀ ୧୨ ତାରିଖରେ ପ୍ରକାଶିତ ଜାତିସଂଘ ରିପୋର୍ଟ ଅନୁସାରେ ହସିନାଙ୍କୁ ଭାରତ ପଳାଇବାକୁ ବାଧ୍ୟ କରାଯିବା ପୂର୍ବରୁ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହିଂସାତ୍ମକ ଆକ୍ରମଣ ଆରମ୍ଭ ହୋଇଥିଲା। ହିନ୍ଦୁମାନଙ୍କ ସହିତ, ଚିତଗଙ୍ଗ ପାର୍ବତ୍ୟ ଅଞ୍ଚଳରେ ଅହମଦିୟା ମୁସଲିମ ଏବଂ ଆଦିବାସୀ ଗୋଷ୍ଠୀଗୁଡ଼ିକ ମଧ୍ୟ ବାଂଲାଦେଶରେ ସମାନ ଅତ୍ୟାଚାରର ଶିକାର ହୋଇଥିଲେ। ୨୬ ନଭେମ୍ବର, ୨୦୨୪ ଏବଂ ୨୫ ଜାନୁଆରୀ, ୨୦୨୫ ମଧ୍ୟରେ, “ବାଂଲାଦେଶରେ ହିନ୍ଦୁମାନଙ୍କ ବିରୁଦ୍ଧରେ ଆକ୍ରମଣର ୭୬ ଟି ଘଟଣା ରିପୋର୍ଟ କରାଯାଇଛି। ଅଗଷ୍ଟ ପରଠାରୁ, ରିପୋର୍ଟରେ ୨୩ ଜଣ ହିନ୍ଦୁଙ୍କ ମୃତ୍ୟୁ ଏବଂ ବାଂଲାଦେଶରେ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣର ୧୫୨ ଟି ଘଟଣା ଉଲ୍ଲେଖ କରାଯାଇଛି,” ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ (ଏମ୍‌ଓଏସ୍‌) କୀର୍ତ୍ତି ବର୍ଦ୍ଧନ ସିଂହ ଗତ ସପ୍ତାହରେ ସଂସଦରେ କହିଥିଲେ।

ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ୍ ହିନ୍ଦୁମାନଙ୍କ ବିରୁଦ୍ଧରେ ହିଂସା ଘଟଣାକୁ କେବଳ “ଅତିରିକ୍ତ ପ୍ରଚାର” ବୋଲି କହି ବାରମ୍ବାର ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଏପରିକି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣକୁ ସମାଲୋଚନା କରିଥିଲେ ମଧ୍ୟ, ୟୁନୁସ୍ ଏସବୁକୁ ତାଙ୍କ ଦେଶକୁ ଅସ୍ଥିର କରିବା ପାଇଁ ପ୍ରଣୋଦିତ ବୋଲି କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking