26.1 C
Bhubaneswar
Thursday, March 19, 2026
Homeଓଡିଶାବିବିଧ ସଂସ୍କୃତି ଓ ପରମ୍ପରାର ସହାବସ୍ଥାନ ହିଁ ଭାରତର ପ୍ରକୃତ ସୌନ୍ଦର୍ଯ୍ୟ: ରାଜ୍ୟପାଳ

ବିବିଧ ସଂସ୍କୃତି ଓ ପରମ୍ପରାର ସହାବସ୍ଥାନ ହିଁ ଭାରତର ପ୍ରକୃତ ସୌନ୍ଦର୍ଯ୍ୟ: ରାଜ୍ୟପାଳ

ଭୁବନେଶ୍ୱର: ଭାରତର ସବୁଠାରୁ ବଡ଼ ଶକ୍ତି ହେଉଛି ଏହାର ବିବିଧତା ଯାହା ମଧ୍ୟରେ ଶକ୍ତିଶାଳୀ ଏକତା ରହିଛି। ଏହି ବିବିଧ ସଂସ୍କୃତି ଓ ପରମ୍ପରାର ସହାବସ୍ଥାନ ହିଁ ଆମ ଦେଶର ପ୍ରକୃତ ସୌନ୍ଦର୍ଯ୍ୟ ବୋଲି ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି କହିଛନ୍ତି I ଆଜି ଲୋକଭବନର ନ୍ୟୁ ଅଭିଷେକ ହଲଠାରେ ଅନୁଷ୍ଠିତ ଉଗାଦି (ତେଲୁଗୁ ନବ ବର୍ଷ) ଓ ଗୁଡ଼ି ପାଡ଼ୱା (ମରାଠୀ ନବ ବର୍ଷ) ଉତ୍ସବ ପାଳନ ଅବସରରେ ରାଜ୍ୟପାଳ ଏହି ବାର୍ତ୍ତା ଦେଇଛନ୍ତି I ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କର ପ୍ରେରଣାଦାୟୀ ଦୃଷ୍ଟିକୋଣ “ଏକ ଭାରତ ଶ୍ରେଷ୍ଠ ଭାରତ” ଆଧାରରେ ଏହି ଉତ୍ସବର ପାଳନ ଦ୍ୱାରା ବିଭିନ୍ନ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୋଇ ପରସ୍ପରର ପରମ୍ପରାକୁ ବୁଝି ଦେଶର ଭାବନାତ୍ମକ ଓ ସାଂସ୍କୃତିକ ବନ୍ଧନକୁ ଆହୁରି ଦୃଢ଼ କରିଥାନ୍ତି ବୋଲି ରାଜ୍ୟପାଳ ଅବତାରଣା କରିଥିଲେ ।

ଏହି ଅବସରରେ ରାଜ୍ୟର ପ୍ରଥମ ମହିଳା ଶ୍ରୀମତୀ ଜୟଶ୍ରୀ କମ୍ଭମପାଟି ମଧ୍ୟ ଉପସ୍ଥିତ ଥିଲେ I ଏହି ଅବସରରେ ଉପସ୍ଥିତ ତେଲୁଗୁ ଓ ମରାଠୀ ଗୋଷ୍ଠୀର ଆମନ୍ତ୍ରିତ ଅତିଥିଙ୍କୁ ରାଜ୍ୟପାଳ ସ୍ୱାଗତ ଜଣାଇବା ସହ ସେମାନଙ୍କୁ ଉଗାଦି ଓ ଗୁଡ଼ି ପାଡ଼ୱା ର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଏହିପରି ଉତ୍ସବ କେବଳ ସାଂସ୍କୃତିକ ଉତ୍ସବ ପାଳନ ନୁହେଁ ବରଂ ଏହା ଆମର ଆତ୍ମାର ଜାଗରଣ, ବନ୍ଧନକୁ ଦୃଢ଼ ଏବଂ ଆଶା ସହିତ ଆଗକୁ ବଢ଼ିବାକୁ ପ୍ରେରଣା ଯୋଗାଏ ବୋଲି ରାଜ୍ୟପାଳ ନିଜ ଉଦବୋଧନରେ କହିଥିଲେ। ଉଗାଦି ଉତ୍ସବ ସମ୍ପର୍କରେ ରାଜ୍ୟପାଳ କହିଥିଲେ ଯେ ଏହା ତେଲୁଗୁ ନୂଆ ବର୍ଷର ଆରମ୍ଭ । ଚୈତ୍ର ମାସର ପ୍ରଥମ ଦିନରେ ଏହା ପାଳନ କରାଯାଏ ଏବଂ ବସନ୍ତର ଆଗମନ ଓ ଜୀବନର ନୂତନ ଚକ୍ରର ଆରମ୍ଭକୁ ସୂଚିତ କରେ। ‘ଉଗାଦି’ ଶବ୍ଦଟି ସଂସ୍କୃତ ଶବ୍ଦ ‘ଯୁଗ’ ଓ ‘ଆଦି’ରୁ ଉତ୍ପନ୍ନ ହୋଇଛି ଯାହା ଆମ ଜୀବନରେ ନୂତନ ଯୁଗ ଆରମ୍ଭର ପ୍ରତୀକ । ଉଗାଦିର ସବୁଠାରୁ ସୁନ୍ଦର ପରମ୍ପରା ହେଉଛି ଉଗାଦି ପାଚ୍ଚଡ଼ି ପ୍ରସ୍ତୁତି ଯାହା ଛଅ ପ୍ରକାରର ଉପାଦାନ (ମିଠା, ଖଟା, ତିକ୍ତ, ରାଗ, ଲୁଣିଆ ଓ କଷା) ରୁ ତିଆରି ହୋଇଥାଏ। ଏହି ଛଅ ସ୍ୱାଦ ଜୀବନର ବିଭିନ୍ନ ଭାବନା ଓ ଅନୁଭୂତି ଯଥା ଆନନ୍ଦ, ଦୁଃଖ, କ୍ରୋଧ, ଆଶ୍ଚର୍ଯ୍ୟ, ଭୟ ଓ ଶାନ୍ତିକୁ ବ୍ୟାଖ୍ୟା କରେ ।

ରାଜ୍ୟପାଳ ଏହା ମଧ୍ୟ କହିଥିଲେ ଯେ ଏହି ସରଳ କିନ୍ତୁ ଗଭୀର ପରମ୍ପରା ଆମକୁ ଏକ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଦିଏ ଯେ, ଜୀବନ ଅନେକ ଅନୁଭୂତିର ମିଶ୍ରଣ । ପ୍ରକୃତ ଜ୍ଞାନ ହେଉଛି ଏହି ସମସ୍ତ ଭାବନାକୁ ଶାନ୍ତ ଓ ସନ୍ତୁଳିତ ଭାବରେ ଗ୍ରହଣ କରିବା। ନୂଆ ବର୍ଷ ଆରମ୍ଭରେ ଉଗାଦି ପର୍ବ ଆମକୁ ସାହସ, ଧୈର୍ଯ୍ୟ ଓ ଆଶା ସହିତ ଜୀବନର ପ୍ରତ୍ୟେକ କ୍ଷଣକୁ ସ୍ୱାଗତ କରିବାକୁ ମାନେ ପକାଇ ଦିଏ । ରାଜ୍ୟପାଳ କହିଥିଲେ ଯେ ତାଙ୍କ ସହିତ ଏହି ଉତ୍ସବର ବିଶେଷ ଭାବନାତ୍ମକ ମହତ୍ୱ ରହିଛି। ଏହି ଉତ୍ସବ ସମସ୍ତ ପରିବାରକୁ ଏକତ୍ରିତ କରାଇ ସାଂସ୍କୃତିକ ପରମ୍ପରାର ଗଭୀର ଅନୁଭୂତିକୁ ମାନେ ପକାଇ ଦେଇଥାଏ । ଓଡ଼ିଶାରେ ବିଭିନ୍ନ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ଉଗାଦି ପାଳନ କରିବା ଆମ ଦେଶର ସମାବେଶୀ ଆତ୍ମାକୁ ସୁନ୍ଦର ଭାବରେ ପ୍ରତିଫଳିତ କରେ ବୋଲି ରାଜ୍ୟପାଳ ମତ ପ୍ରକାଶ କରିଥିଲେ। ସେହିପରି ମରାଠୀ ନବ ବର୍ଷ ଗୁଡ଼ି ପାଡ଼ୱା ଗଭୀର ସାଂସ୍କୃତିକ ଓ ଐତିହାସିକ ମହତ୍ୱ ବହନ କରେ ବୋଲି ରାଜ୍ୟପାଳ ନିଜ ଉଦବୋଧନରେ କହିଥିଲେ । ଏହା ହିନ୍ଦୁ ପଞ୍ଜିକା ଅନୁଯାୟୀ ନୂଆ ବର୍ଷର ଆରମ୍ଭ ଏବଂ ନବୀକରଣ, ସମୃଦ୍ଧି ଓ ବିଜୟର ପ୍ରତୀକ । ଏହି ଦିନ ପରିବାରବର୍ଗ ଘର ବାହାରେ ଗୁଡ଼ି ଉତ୍ତୋଳନ କରନ୍ତି ଯାହା ବିଜୟ, ପବିତ୍ରତା ଓ ଆଗାମୀ ବର୍ଷରେ ସମୃଦ୍ଧିର ଆଶାକୁ ପ୍ରତିଫଳନ କରେ। ପରମ୍ପରା ଅନୁଯାୟୀ ଏହି ଦିନ ଭଗବାନ ରାମଙ୍କର ରାବଣ ଉପରେ ବିଜୟ ସହିତ ମଧ୍ୟ ଜଡ଼ିତ ଯାହା ଧର୍ମର ଅଧର୍ମ ଉପରେ ବିଜୟର ପ୍ରତୀକକୁ ସୂଚିତ କରେ ।

ଏତତବ୍ୟତୀତ ରାଜ୍ୟପାଳ କହିଥିଲେ ଯେ, ଗୁଡ଼ି ପାଡ଼ୱା ଆମର ପ୍ରକୃତି ସହିତ ସମ୍ପର୍କକୁ ମଧ୍ୟ ସୁନ୍ଦର ଭାବରେ ପ୍ରତିଫଳିତ କରେ। ବସନ୍ତ ଋତୁରେ ପାଳନ କରାଯାଉଥିବାରୁ ଏହା ପ୍ରକୃତି ସହିତ ଜଡ଼ିତ । ଏହି ଉତ୍ସବ ଆମକୁ ପ୍ରକୃତି ସହିତ ସମନ୍ଵୟ ରଖି ଜୀବନ ନିର୍ବାହ, ପରିବେଶକୁ ସମ୍ମାନ ଓ ଜୀବନଯାପନ ନିମନ୍ତେ ପ୍ରାକୃତିକ ସମ୍ପଦକୁ ଯତ୍ନ ନେବା ପାଇଁ ମାନେ ପକାଇ ଦିଏ । ଏହା ନବୀନ ଆରମ୍ଭକୁ ସକରାତ୍ମକତା, କୃତଜ୍ଞତା ଓ ଦୃଢ଼ସଂକଳ୍ପ ସହିତ ଗ୍ରହଣ କରିବାକୁ ପ୍ରେରଣା ଦିଏ। ଏହି ଅବସରରେ ଓଡ଼ିଶାକୁ ନିଜ ଘର କରିଥିବା ତେଲୁଗୁ ଓ ମରାଠୀ ଗୋଷ୍ଠୀକୁ ରାଜ୍ୟପାଳ ଆନ୍ତରିକ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କର ନିଷ୍ଠା, ଉଦ୍ୟମ ଓ କଠିନ ପରିଶ୍ରମ ଦ୍ୱାରା ଶିକ୍ଷା, ଶିଳ୍ପ, ପ୍ରଶାସନ, ବ୍ୟବସାୟ, ସଂସ୍କୃତି ଓ ଜନସେବା ଭଳି ବିଭିନ୍ନ କ୍ଷେତ୍ରରେ ସେମାନଙ୍କର ମୂଲ୍ୟବାନ ଅବଦାନକୁ ପ୍ରଶଂସା କରିଥିଲେ । ସେମାନଙ୍କର ପ୍ରୟାସ କେବଳ ଓଡ଼ିଶାର ପ୍ରଗତି ଓ ସମୃଦ୍ଧି ପାଇଁ ସୀମିତ ନୁହେଁ ବରଂ ଭାରତର ବୃହତ୍ତର ବିକାଶ ଓ ରାଷ୍ଟ୍ର ନିର୍ମାଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ରାଜ୍ୟପାଳ କହିଥିଲେ। ଏହି ଅବସରରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ଓଡିଶା ଭିଜିଲାନ୍ସ ନିର୍ଦେଶକ ଶ୍ରୀ ୟଶୱନ୍ତ କୁମାର ଜେଠୱା, ଆଇଜି ଅଫ ପୋଲିସ (ପର୍ସନେଲ ) ଶ୍ରୀ ପ୍ରବୀଣ କୁମାର, ଶିଳ୍ପ ନିର୍ଦେଶକ ଶ୍ରୀମତୀ ଅବୋଲି ସୁନୀଲ ନରଭାଣେ, ଅବକାରୀ କମିଶନର ଶ୍ରୀମତୀ ପି. ଅନ୍ଵେଷା ରେଡ୍ଡି, ସି ଭି ରମଣ ଗ୍ଲୋବାଲ ବିଶ୍ୱବିଦ୍ୟାଳୟର ପ୍ରୋ-ଭାଇସ୍ ଚାନ୍ସେଲର୍ ପ୍ରଫେସର ଡ଼ା. ଗୁଡ଼ା ଶ୍ରୀଦେବୀ ଓ ଆଇଆଇଟି ଭୁବନେଶ୍ୱରର ଆସୋସିଏଟ ପ୍ରଫେସର ଡ଼. ସତୀଶ ଢାନଢ଼ୋଲେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ରାଜ୍ୟପାଳଙ୍କ କମିଶନର-ତଥା-ଶାସନ ସଚିବ ଶ୍ରୀମତୀ ରୂପା ରୋଶନ ସାହୁ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking