ନୂଆଦିଲ୍ଲୀ: ଏକତରଫା ପ୍ରେମର କରୁଣ ପରିଣତି । ବିବାହ କରିବାକୁ ମନା କରିବାରୁ ପ୍ରେମିକ ନେଲା ଚରମ ନିଷ୍ପତ୍ତି । ସ୍କୁଲ ପରିସରରେ ଶିକ୍ଷୟିତ୍ରୀଙ୍କ ଗଳା କାଟି ହତ୍ୟା କଲା ବଦମାସ୍ ରୋମିଓ । ତାମିଲନାଡୁର ତଂଜାୱରରେ ଥିବା ଏକ ସରକାରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଛି ୩୦ ବର୍ଷୀୟ ଯୁବକ । ମିଳିଥିବା ସୂଚନା ଅନୁସାରେ, ଶିକ୍ଷୟିତ୍ରୀଙ୍କୁ ଯୁବକ ଜଣକ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲେ। ହେଲେ ତାର ନିବେଦନକୁ ସେ ଅସ୍ୱୀକାର କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ଶିକ୍ଷୟିତ୍ରୀଙ୍କୁ ସ୍କୁଲ ପରିସରରେ ହିଁ ଗଳାକାଟି ହତ୍ୟା କରିଛି ଅଭିଯୁକ୍ତ ।
ସେପଟେ ପୋଲିସ ଅଭିଯୁକ୍ତ ମଦନକୁ ଗିରଫ କରିଛି । ବ୍ୟକ୍ତିଗତ କାରଣ ଯୋଗୁଁ ଏହି ହତ୍ୟାକାଣ୍ଡ ଘଟିଛି ବୋଲି ପୋଲିସ କହିଛି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ଶିକ୍ଷୟିତ୍ରୀ ରମାଣୀ ଏବଂ ମଦନର ପରିବାର ଦୁହିଁଙ୍କ ବିବାହ ପାଇଁ ଆଲୋଚନା କରିଥିଲେ । କିନ୍ତୁ ରମାଣୀ ଏହି ପ୍ରସ୍ତାବରେ ରାଜି ହୋଇନଥିଲେ । ପ୍ରସ୍ତାବ ପ୍ରତ୍ୟାଖାନ କରିବାରୁ ନିରାଶ ହୋଇ ମଦନ ସ୍କୁଲ ଯାଇ ରମାଣୀଙ୍କ ଉପରେ ଆକ୍ରମଣ କରିଥିଲା । ଧାରୁଆ ଅସ୍ତ୍ରରେ ରମାଣୀଙ୍କ ଗଳାକୁ କାଟି ଦେଇଥିଲା ମଦନ । ଫଳରେ ଘଟରାସ୍ଥଳରେ ହିଁ ଜୀବନ ହରାଇଥିଲେ ରମାଣୀ । ସେପଟେ ମଲ୍ଲୀପଟନମ ସରକାରୀ ବିଦ୍ୟାଳୟର ଶିକ୍ଷୟିତ୍ରୀଙ୍କ ହତ୍ୟାକାଣ୍ଡକୁ ନିନ୍ଦା କରିଛନ୍ତି ଶିକ୍ଷା ମନ୍ତ୍ରୀ । ହତ୍ୟାକାରୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିବା ସହ ମନ୍ତ୍ରୀ ଶୋକସନ୍ତପ୍ତ ପରିବାର ଏବଂ ଛାତ୍ରଛାତ୍ରୀଙ୍କୁ ସମବେଦନା ଜଣାଇଛନ୍ତି ।