14.1 C
Bhubaneswar
Sunday, December 7, 2025
Homeଓଡିଶାଅସହ୍ୟ ହେଲା ନିର୍ଯାତନା; ପେଟ୍ରୋଲ୍ ଢ଼ାଳି ଜାଳିଦେଲେ ନିଜକୁ

ଅସହ୍ୟ ହେଲା ନିର୍ଯାତନା; ପେଟ୍ରୋଲ୍ ଢ଼ାଳି ଜାଳିଦେଲେ ନିଜକୁ

-ସଙ୍କଟାପନ୍ନ ଅବସ୍ଥାରେ ଏମସ୍ ସ୍ଥାନାନ୍ତର
-ମାନବିକତା ଦେଖାଇଲେନି କର୍ମଚାରୀ
-ତଦନ୍ତ ପାଇଁ ସ୍ୱତନ୍ତ୍ର ଟିମ୍ ଗଠିତ
– ପ୍ରିନ୍ସିପାଲ ଓ ଏଚ୍‌ଓଡି ନିଲମ୍ବିତ
-ପୁଲିସ୍ ହେପାଜତରେ ଅଭିଯୁକ୍ତ

ବାଲେଶ୍ୱର: ଅସହ୍ୟ ହେଲା ନିର୍ଯାତନା। ଅଧ୍ୟାପକଙ୍କ ବିରୋଧରେ ଦୁର୍ବ୍ୟବହାର ଓ ମାନସିକ ନିର୍ଯାତନା ଅଭିଯୋଗ ଆଣି ନ୍ୟାୟ ନ ମିଳିବାରୁ ବାଲେଶ୍ୱରର ସ୍ୱଂୟଶାସିତ ଫକୀର ମୋହନ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଛାତ୍ରୀ ଶନିବାର ଜୀବନ ହାରିବାକୁ ଉଦ୍ୟମ କରିଛନ୍ତି। ସେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି। ତାଙ୍କ ଶରୀରର ୯୦% ଜଳିଯାଇଛି। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଭୁବନେଶ୍ୱରସ୍ଥିତ ଏମ୍‌ସକୁ ସ୍ଥାନାନ୍ତର କରାଯାଇଛି। ତେବେ ଏହି ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ପୋଡ଼ି ଯାଇଛନ୍ତି। ତାଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାଲେଶ୍ୱର ଫକୀରମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଶନିବାର ଏଭଳି ଅଭାବନୀୟ ଘଟଣା ଘଟିଛି।

ସୂଚନା ମୁତାବକ ଜିଲ୍ଲା ଭୋଗରାଇ ଅଞ୍ଚଳର ଜନୈକା ଛାତ୍ରୀ ଫକୀର ମୋହନ ଅଟୋନମସ୍ କଲେଜରେ ଇଣ୍ଟିଗ୍ରେଟେଡ୍ ବିଏଡ୍‌ରେ ଦ୍ୱିତୀୟବର୍ଷର ଛାତ୍ରୀ। ତାଙ୍କୁ ଏଜୁକେସନ୍ ବିଭାଗ ମୁଖ୍ୟ ସହକାରୀ ପ୍ରଫେସର ସମୀର କୁମାର ସାହୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରିବା ସହ ମାନସିକ ଭାବେ ହାରାଶ କରନ୍ତି। ଏପରିକି ତାଙ୍କୁ ଶ୍ରେଣୀଗୃହରେ ମଧ୍ୟ ବ୍ୟାକ୍ ଲାଗାଇବାର ଧମକ ଦେଉଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହକାରୀ ପ୍ରଧ୍ୟାପକ ଶ୍ରୀ ସାହୁ ସମ୍ପୃକ୍ତା ଛାତ୍ରୀଙ୍କୁ ତାଙ୍କ ସହ ଶାରିରୀକ ସମ୍ପର୍କ ରଖିବାକୁ ଚାପ ପକାଉଥିଲେ। ଯାହାକୁ ସେ କୋଡ୍ ଭାଷାରେ ତାଙ୍କୁ ଫେଭର୍ କରିବାକୁ କହୁଥିଲେ। ଏନେଇ ପୂର୍ବରୁ ଛାତ୍ରୀ ଜଣକ ପୂର୍ବରୁ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ଯାହା ତଦନ୍ତ ପୂର୍ବକ ପ୍ରଧ୍ୟାପକ ସମୀର ସାହୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଖାଲି ଏତିକି ନୁହେଁ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ଜଣାଇ ନ୍ୟାୟ ଭିକ୍ଷା କରିଥିଲେ। କିନ୍ତୁ ଘଟଣାର କୌଣସି ନିର୍ଯ୍ୟାସ ବାହାରିନଥିଲା। ଅଧିକନ୍ତୁ ଛାତ୍ରୀ ଜଣକ ପୁଣି ଗତ ଜୁଲାଇ ୧ତାରିଖରେ କଲେଜ ଅଧ୍ୟକ୍ଷ ଦିଲ୍ଲୀପ କୁମାର ଘୋଷଙ୍କୁ ଲିଖିତ ଅଭିଯୋଗ କରିଥିଲେ। ତାଙ୍କୁ ନ୍ୟାୟ ନ ମିଳିଲେ ସେ ଆତ୍ମହତ୍ୟା କରିବେ ବୋଲି ଉକ୍ତ ଅଭିଯୋଗପତ୍ରରେ ମଧ୍ୟ ଉଲ୍ଲେଖ କରିଥିଲେ। ସବୁଆଡ଼ୁ ନିରାଶ ହେବା ପରେ ଛାତ୍ରୀ ଜଣକ ଜୁଲାଇ ୧୨ତାରିଖ ଅର୍ଥାତ୍ ଶନିବାର ଅପରାହ୍ନ ୧ଟା ରୁ ୧ଟା ୩୦ମିନିଟ୍ ମଧ୍ୟରେ ନିଜ ଦେହରେ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ। ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବାରୁ ଛାତ୍ରୀଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ତେବେ ଛାତ୍ରୀ ଜଣଙ୍କ ନିଜେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଥିବା ଡାକ୍ତରଙ୍କୁ କହିଥିଲେ। ଡାକ୍ତର କହିଛନ୍ତି ଯେ ତାଙ୍କ ଶରୀରର ୯୦% ପୋଡ଼ିଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

ଜୀବନ ହାରିବାକୁ ଉଦ୍ୟମ କରିଥିବା ଛାତ୍ରୀଙ୍କ ସହପାଠୀମାନେ କହିଛନ୍ତି, ସେ ଅଧ୍ୟକ୍ଷଙ୍କ ରୁମ୍‌ରୁ ବାହାରିବା ପରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲା। ଆମେ ତାଙ୍କୁ ପ୍ରିନ୍ସପାଲ୍‌ଙ୍କ ଚାମ୍ବର୍ ସମ୍ମୁଖରେ ଜଳୁଥିବା ଦେଖିଥିଲୁ। କଲେଜ ସମସ୍ତ ଅଫିସ କର୍ମଚାରୀ ସେଠାରେ ଥିଲେ ବି କେହି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ନଥିଲେ। ସେମାନେ ସାମାନ୍ୟତମ ମାନବିକତା ଦେଖାଇ ନଥିଲେ। ଆମେ କିଛି ଜଣ ଦୌଡ଼ି ଯାଇ ସାର୍ଟ ଖୋଲି ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲୁ। ମାତ୍ର ସେତେବେଳକୁ ତାଙ୍କର ପୂରା ଶରୀରରେ ନିଆଁ ଲାଗିସାରିଥିଲା। ବାଲେଶ୍ୱର ଏସ୍‌ପି କହିଛନ୍ତି, ସବୁ ଦିଗରୁ ତଦନ୍ତ ଚାଲିଛି। ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି। ଇଣ୍ଟରନାଲ୍ କମିଟି କ’ଣ ନିଷ୍ପତ୍ତି ନେଇଥିଲା, ତା’ର ତର୍ଜମା ଚାଲିଛି। ଯାହାର ବି ତ୍ରୁଟି ସାମ୍ନାକୁ ଆସିବ ଓ କାର୍ଯ୍ୟାନୁଷ୍ଠାନ ହେବ।

ଏଫ୍‌ଏମ୍ କଲେଜ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ଉଚ୍ଚଶିକ୍ଷା ବିଭାଗ ଓ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଛାତ୍ରୀଙ୍କ ଅଭିଯୋଗ ଉପରେ ଉପଯୁକ୍ତ ତଦନ୍ତ ନକରି ଦାୟିତ୍ୱରେ ଅବହେଳା କରିଥିବା ଯୋଗୁ କଲେଜର ପ୍ରିନ୍ସିପାଲ୍ ଦିଲ୍ଲୀପ କୁମାର ଘୋଷଙ୍କୁ ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଅଭିଯୁକ୍ତ ଆସିଷ୍ଟାଣ୍ଟ ପ୍ରଫେସର୍ ସମୀର କୁମାର ସାହୁଙ୍କୁ ମଧ୍ୟ ସରକାର କାର୍ଯ୍ୟରୁ ନିଲମ୍ବନ କରିଥିବା ନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ଅଭିଯୁକ୍ତ ଏବେ ସେ ପୁଲିସ ହେପାଜତରେ ଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। ସମ୍ପୃକ୍ତା ଛାତ୍ରୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବା ସହ ଏଭଳି ଏକ ସ୍ପର୍ଶକାତର ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ସାଧାରଣରେ ଦାବି ହେଉଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking