କୋଲକାତା: କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲାକୁ ନେଇ ବିରୋଧୀ ଇଣ୍ଡିଆ ମେଣ୍ଟରେ ବିଭାଜନ ଆଶଙ୍କା ସୃଷ୍ଟି ହୋଇଛି । ବିଶେଷକରି ଯେବେଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ଏହି ଘଟଣାକୁ ତୀବ୍ର ସମାଲୋଚନା କରିବା ସହ ଅଭିଯୁକ୍ତଙ୍କୁ ସୁରକ୍ଷା ଯୋଗାଇଦିଆଯାଉଥିବା ତାଙ୍କୁ ପ୍ରତୀତ ହେଉଥିବା ଭଳି ମନ୍ତବ୍ୟ ଦେଇଛନ୍ତି, ସେବେଠାରୁ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସ (ଟିଏମ୍ସି) ମଧ୍ୟରେ ଫାଟ ସୃଷ୍ଟି ହୋଇଛି । କୁହାଯାଉଛି ଯେ, ମମତା କୁଆଡେ, ରାହୁଲଙ୍କ ଏପ୍ରକାର ଖୁଲମଖୁଲ୍ଲା ତାଙ୍କ ସରକାରକୁ ସମାଲୋଚନା କରିବା କ୍ଷୁବ୍ଧ ହୋଇପଡିଛନ୍ତି । ଫଳରେ ଏହାର ପ୍ରଭାବ ଦଳଗତ ମେଣ୍ଟ ଧର୍ମକୁ ମଧ୍ୟ ପ୍ରଭାବିତ କରିପାରେ । ସିଧାସଳଖ କହିଲେ କୋଲକାତା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ବଦଳରେ ଦୋଷୀଙ୍କୁ ସୁରକ୍ଷା ଦିଆଯାଉଥିବା ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏକ ଟ୍ୱିଟ୍ କରିବା ଆଳରେ ମନ୍ତବ୍ୟ ଦେବା ପରେ ଟିଏମସି(ତୃଣମୂଳ କଂଗ୍ରେସ) ଏବଂ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି ।
ରାହୁଲ ୩ ଦିନ ତଳେ ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟ କରି ଲେଖିଥିଲେ ଯେ, ‘କାଠୁଆରୁ କୋଲକାତା’ । କୋଲକାତା ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଉଦ୍ୟମ ହେଉଛି ।’ ଏହା ପରେ ଟିଏମ୍ସି ପକ୍ଷରୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସକୁ ଟାର୍ଗେଟ୍ କରାଯାଇଛି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କୁ ଇସ୍ତଫା ଦେବାକୁ ରାହୁଲ କହିବେ କି ବୋଲି ଟିଏମ୍ସି ପ୍ରଶ୍ନ କରିଛି । ପଶ୍ଚିମବଙ୍ଗ ଘଟଣା ବିଷୟରେ ଠିକ୍ ତଥ୍ୟ ନ ଜାଣି, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପଦକ୍ଷେପ ବିଷୟରେ ନ ବୁଝି ରାହୁଲ ମନ୍ତବ୍ୟ ଦିଅନ୍ତୁ ନାହିଁ । ବରଂ ନିଜ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପଦକ୍ଷେପ ନିଅନ୍ତୁ ବୋଲି କୁନାଲ କହିଛନ୍ତି ।










