ଜମ୍ମୁ: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀ ଏବଂ ସେମାନଙ୍କ ସହାୟକମାନଙ୍କୁ ଧରିବା ପାଇଁ ଏବେ ଜୋରସୋରରେ ତନାଘନା ଚାଲିଛି । ତେବେ ଏହି ପ୍ରକ୍ରିୟାରେ ଅଟକ ଥିବା କିଛି ସନ୍ଦିଗ୍ଧଙ୍କ ମଧ୍ୟରୁ ଜଣେ ଯୁବକର ଆତ୍ମହତ୍ୟାଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରିପୋର୍ଟ ଅନୁସାରେ ଯେତେବେଳେ ସନ୍ଦିଗ୍ଧମାନଙ୍କୁ ଜେରା ଆରମ୍ଭ କରାଗଲା ଠିକ୍ ସେହି ସମୟରେ କୁଲଗାମ ଜିଲ୍ଲାର ଟାଙ୍ଗମାର୍ଗରେ ପଚରାଉଚରା ପାଇଁ ଅଟକ ଥିବା ଇମ୍ତିଆଜ୍ ଅହମ୍ମଦ (୨୩) ନାମକ ଜଣେ ଯୁବକ ଖସିଯିବାକୁ ଚେଷ୍ଟା କରିଥିଲା । ସେ ପାଖରେ ଥିବା ଭଇଁଷା ନାମକ ଏକ ପ୍ରଖର ସ୍ରୋତ ଥିବା ନଦୀକୁ ଡେଇଁପଡି ପଳାଇଯିବାକୁ ଉଦ୍ୟମ କରିଥିଲା । କିନ୍ତୁ ନଦୀର ପ୍ରଖର ସ୍ରୋତରେ ସେ ବେଶୀ ସମୟ ତିଷ୍ଠି ପାରିନଥିଲା । ନଦୀଜଳରେ ସେ ଭାସିଯାଇ ମୃତ୍ୟୁବରଣ କରିଥିବା କୁହାଯାଉଛି । ଏ ସମ୍ପର୍କରେ ଏକ ଭିଡିଓ ମଧ୍ୟ ଜାରି କରାଯାଇଛି । ଭିଡିଓରେ ସନ୍ଦିଗ୍ଧ ଯୁବକ ନଦୀକୁ ଡେଇଁପଡ଼ିଥିବା ଦେଖାଯାଉଛି । ଅନ୍ୟପକ୍ଷେ ଜମ୍ମୁ କାଶ୍ମୀର ପୁଲିସ୍ ତାକୁ ଆତଙ୍କବାଦୀଙ୍କ ସହଯୋଗୀ ବୋଲି କହୁଛି । ଇମ୍ତିଆଜ୍ ପହଲଗାମ୍ ଆତଙ୍କବାଦୀଙ୍କୁ ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ବ୍ୟବସ୍ଥା କରିଥିବା ସ୍ୱୀକାର କରିସାରିଥିଲା ବୋଲି କାଶ୍ମୀର ପୁଲିସ୍ କହିଛି । ଇମ୍ତିଆଜ୍ର ସୂଚନା ଆଧାରରେ ତାକୁ ନେଇ ଏକ ଆତଙ୍କବାଦୀ ଆଡ୍ଡାକୁ ଯାଉଥିବା ସମୟରେ ଏହି ଘଟଣା ଘଟିଥିବା ଜମ୍ମୁ କାଶ୍ମୀର ପୁଲିସ୍ କହିଛି । ଅନ୍ୟପକ୍ଷେ ପିଡିପି ଅଧ୍ୟକ୍ଷା ମେହବୁବା ମୁଫ୍ତି ଏବଂ ଏନ୍ସି ସାଂସଦ ଆଗା ରୁହୁଲ୍ଲା ମେହଦି ଏହି ମାମଲାକୁ ସନ୍ଦେହଜନକ ବୋଲି କହିଛନ୍ତି ଏବଂ ତଦନ୍ତ ଦାବି କରିଛନ୍ତି ।