16.1 C
Bhubaneswar
Sunday, December 7, 2025
Homeଦେଶ ବିଦେଶସ୍ୱତନ୍ତ୍ର ଅଧିକାର ପ୍ରୟୋଗ କଲେ ସୁପ୍ରିମକୋର୍ଟ; ଆଇଆଇଟିରେ ପାଠ ପଢ଼ିବାର ସୁଯୋଗ ପାଇଲେ ଦଳିତ ଛାତ୍ର

ସ୍ୱତନ୍ତ୍ର ଅଧିକାର ପ୍ରୟୋଗ କଲେ ସୁପ୍ରିମକୋର୍ଟ; ଆଇଆଇଟିରେ ପାଠ ପଢ଼ିବାର ସୁଯୋଗ ପାଇଲେ ଦଳିତ ଛାତ୍ର

ଧାନବାଦ:  ଠିକ୍ ସମୟରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ଯୋଗୁ ଜଣେ ଦଳିତ ଛାତ୍ରଙ୍କୁ ଆଇଆଇଟି, ଧାନବାଦ୍‌ରେ ଆଡମିଶନ୍‌ର ସୁଯୋଗ ମିଳିଛି । ଏହାକୁ ନେଇ ଏବେ ଦେଶର କୋଣ ଅନୁକୋଣରୁ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରାଯାଉଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ, ନିଜ ଶୁଣାଣିରେ କହିଛନ୍ତି, ଅର୍ଥାଭାବ ଯୋଗୁ ଦେଶରେ ବାସ୍ତବ ଟ୍ୟାଲେଣ୍ଟ ଯେପରି ପ୍ରଭାବିତ ନହୁଏ ସେଦିଗରେ ଆମ ସମସ୍ତଙ୍କୁ ଯତ୍ନବାନ ରହିବାକୁ ହେବ । ଫଳରେ ସମ୍ବିଧାନର ଧାରା ୧୪୨ ଅନୁଯାୟୀ ସର୍ବୋଚ୍ଚ ଅଦାଲତ ନିଜ ଅସାଧାରଣ କ୍ଷମତା ବ୍ୟବହାର କରି ଆଇଆଇଟି ଧାନବାଦ୍ କର୍ତ୍ତୃପକ୍ଷଙ୍କୁ ଏହି ଦଳିତ ଛାତ୍ରଙ୍କୁ ଏହାର ଇଲେକ୍ଟ୍ରିକାଲ୍ ଇଞ୍ଜିନିୟରିଂ ବିଟେକ୍ ପାଠ୍ୟକ୍ରମରେ ଆଡମିଶନ୍ କରିବାକୁ ସୁଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ, ସମ୍ବିଧାନର ଧାରା ୧୪୨ ଅନ୍ତର୍ଗତ ନ୍ୟାୟିକ ସ୍ୱାର୍ଥ ଦିଗରେ ଯେକୌଣସି ଆଦେଶ ପାରିତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ କ୍ଷମତା ଧାରଣ କରନ୍ତି ।
ରିପୋର୍ଟ ଅନୁସାରେ ଉତ୍ତରପ୍ରଦେଶର ମୁଜାଫରନଗର ଜିଲ୍ଲାର ଏକ ଛୋଟ ଗାଁର ସ୍ଥାୟୀ ନିବାସୀ ୧୮ ବର୍ଷୀୟ ଅତୁଲ କୁମାର (ଦଳିତ ବର୍ଗ) ଶେଷ ପ୍ରୟାସରେ ଆଇଆଇଟି ଧାନବାଦରେ ନାମ ଲେଖାଇବା ପାଇଁ ଆୟୋଜିତ ଏଣ୍ଟ୍ରାନ୍ସ ଟେଷ୍ଟରେ ଯୋଗ୍ୟତା ଅର୍ଜନ କରିଥିଲେ । କିନ୍ତୁ ଆଡମିଶନ୍ ପାଇଁ ଧାର୍ଯ୍ୟ ସମୟ ସୁଦ୍ଧା ଆବଶ୍ୟକ ଥିବା ମାତ୍ର ୧୭,୫୦୦ ଟଙ୍କା ପୈଠ କରିବାରେ ସେ ଏବଂ ତାଙ୍କ ପରିବାର ଅସମର୍ଥ ହୋଇପଡିଥିଲେ । ଏହି କାରଣରୁ ତାଙ୍କୁ ଆଇଆଇଟି ଭଳି ଶିକ୍ଷାନୁଷ୍ଠାନରେ ନାମ ଲେଖାଇବାକୁ ସୁଯୋଗ ମଧ୍ୟ ହରାଇବାକୁ ପଡ଼ିଥିଲା । ଆଇଆଇଟି, ଧାନବାଦର କର୍ତ୍ତୃପକ୍ଷ ଅତୁଲ କୁମାରଙ୍କୁ ନାମ ଲେଖାଇବାକୁ ଅନୁମତି ଦେଇନଥିଲେ । ଅନ୍ୟପକ୍ଷେ ଅତୁଲ କୁମାରଙ୍କ ବାପା ଏହି ଘଟଣାକୁ ନେଇ ଏସ୍‌ସି/ଏସ୍‌ଟି ଆୟୋଗ, ଝାଡଖଣ୍ଡ, ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ କେଉଁଠାରୁ ମଧ୍ୟ ତାଙ୍କୁ କିମ୍ବା ତାଙ୍କ ପୁଅ ଅତୁଲଙ୍କ ପାଇଁ ନ୍ୟାୟ ମିଳିନଥିଲା । ତେବେ ଦୀର୍ଘ ୩ ମାସ ପରେ ସେ ଦେଶର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆଜି ଏହି ମାମଲାର ଶୁଣାଣି ହୋଇଥିବା ବେଳେ ସୁପ୍ରିମକୋର୍ଟ କହିଛନ୍ତି, ଆବେଦନକାରୀଙ୍କ ଭଳି ଜଣେ ମେଧାବୀ ଯିଏ ବଞ୍ଚିତ ବର୍ଗରୁ ଆସିଛନ୍ତି, ତାଙ୍କୁ ଆଡମିସନରୁ ବଞ୍ଚିତ କରାଯାଇପାରିବ ନାହିଁ । ଅତୁଲଙ୍କୁ ସମାନ ବ୍ୟାଚ୍‌ରେ ଆଡମିସନ ଦିଆଯାଉ । ଗୋଟିଏ ସ୍ୱତନ୍ତ୍ର ସିଟ୍ ତାଙ୍କ ପାଇଁ ତିଆରି କରାଯାଉ । ନାମ ଲେଖାଇ ସାରିଥିବା କୌଣସି ଛାତ୍ର ଯେମିତି ଏହାଦ୍ୱାରା ପ୍ରଭାବିତ ନ ହେବେ, ସେକଥା ମଧ୍ୟ ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ଆଇଆଇଟି ଧାନବାଦ୍ କର୍ତ୍ତୃପକ୍ଷଙ୍କୁ କହିଛନ୍ତି । ଶୁଣାଣି ଶେଷରେ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ,଼ ଆବେଦନକାରୀ ଅତୁଲ କୁମାରଙ୍କୁ “ଅଲ ଦି ବେଷ୍ଟ” କହିବା ପୂର୍ବକ ଜୀବନରେ ଉନ୍ନତି କରିବାକୁ ଶୁଭକାମନା ଜଣାଇଥିଲେ । ତେବେ ଶୁଣାଣି ପରେ ସୁପ୍ରିମକୋର୍ଟରୁ ତାଙ୍କ ପୁଅକୁ ନ୍ୟାୟ ମିଳିଛି ବୋଲି ଅତୁଲଙ୍କ ବାପା ଆଜି କୋର୍ଟ ରାୟ ଆସିବା ପରେ ଭାବ ବିହ୍ୱଳ ହୋଇ କହିଛନ୍ତି ।
ପ୍ରକାଶ, ଅତୁଲଙ୍କ ବାପା ଜଣେ ଦିନ ମଜୁରିଆ ଭାବେ ମାତ୍ର ୪୫୦ ଟଙ୍କା ହିଁ ଆୟ କରନ୍ତି । ସେତିକି ସମ୍ବଳରେ ତାଙ୍କ ପରିବାର ଗୁଜୁରାଣ ମେଣ୍ଟିବା ସମ୍ଭବ ହେଉନଥିବାରୁ ଅତୁଲ୍ ମଧ୍ୟ ଏକ ଦୋକାନରେ ପାର୍ଟ ଟାଇମ୍ କାମ କରନ୍ତି । ସୁତରାଂ ଆଇଆଇଟି ଧାନବାଦ ପକ୍ଷରୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସେ ନିଜ ପୁଅ ପାଇଁ ଏହି ୧୭,୫୦୦ ଟଙ୍କା ଯୋଗାଡ କରିପାରିନଥିଲେ । ଆଡମିଶନ୍ ଫି’ ଦାଖଲ କରିବାର ଶେଷ ତାରିଖ ଜୁନ ୨୪ ସନ୍ଧ୍ୟା ୫ ଯାଏ ରହିଥିବା ବେଳେ ଅତୁଲ୍‌ଙ୍କ ବାପା କିନ୍ତୁ ୪.୪୫ ସୁଦ୍ଧା ଟଙ୍କା ଯୋଗାଡ଼ କରିଥିଲେ । ଫଳରେ ଅତୁଲ ୪.୪୫ରେ ଆଇଆଇଟି ଧାନବାଦ୍ ପୋର୍ଟାଲରେ ଲଗ୍ ଇନ୍ କରିଥିଲେ । କିନ୍ତୁ ପୋର୍ଟାଲ ୫ଟା ପୂର୍ବରୁ ହିଁ ସର୍ଭର ସମସ୍ୟା ଦେଖାଇଥିଲା ଏବଂ ବନ୍ଦ ହୋଇଯାଇଥିଲା । ଯାହାଫଳରେ ସେଦିନ ଅତୁଲ ଅନଲାଇନ୍ ମୋଡ୍‌ରେ ନିଜ ଆଡମିଶନ୍ ଫି’ ଦାଖଲ କରିପାରିନଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking