21.1 C
Bhubaneswar
Thursday, February 5, 2026
Homeଓଡିଶାଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ

ଭିଜିଲାନ୍ସ ଜାଲରେ ଅବକାରୀ ଅଧୀକ୍ଷକ

କେନ୍ଦୁଝର: ଜଣେ ଲାଇସେନ୍ସପ୍ରାପ୍ତ ମଦ ଭେଣ୍ଡରଙ୍କଠାରୁ ନିଜ ଅଧସ୍ଥନ କର୍ମଚାରୀଙ୍କ ମାଧ୍ୟମରେ ୪୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି କେନ୍ଦୁଝର ଜିଲ୍ଲା ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ। ତାଙ୍କ ସହିତ ଚମ୍ପୁଆ ଅବକାରୀ ଅଫିସର ଇନ୍‌ଚାର୍ଜ ତଥା ଏଏସ୍‌ଆଇ ବିଜୟ କୁମାର ମହାନ୍ତଙ୍କୁ ମଧ୍ୟ ଗିରିଫ କରିଛି ଭିଜିଲାନ୍ସ। ତାଙ୍କ ଜରିଆରେ ଲାଞ୍ଚ ନେଇଥିଲେ ଅବକାରୀ ଅଧୀକ୍ଷକ। ବିଜୟଙ୍କ ଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ କୁହାଯାଇଛି ଯେ ସୀତରାଣୀ ପଟ୍ଟାୟତ ୪ ମାସ ତଳେ କେନ୍ଦୁଝରର ଅବକାରୀ ଅଧୀକ୍ଷକ ଭାବେ ଦାୟିତ୍ୱ ନେଇଥିଲେ। ତା’ପରଠାରୁ ସେ ଅଭିଯୋଗକାରୀ କରଞ୍ଜିଆର ଲାଇସେନ୍ସ ପ୍ରାପ୍ତ ମଦ ଭେଣ୍ଡର ବିଧୁଭୂଷଣ ପତିଙ୍କୁ ତାଙ୍କ ବ୍ୟବସାୟ ସୁରୁଖୁରୁରେ ଚଲାଇବା ପାଇଁ ଲାଞ୍ଚ ମାଗୁଥିଲେ। ଅନ୍ୟ କୌଣସି ଉପାୟ ନପାଇ ଶେଷରେ ଅଭିଯୋଗକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ବିଜୟ କୁମାର ମହାନ୍ତ ଲାଞ୍ଚ ଅର୍ଥ ଗ୍ରହଣ କରି ପ୍ରଥମେ ତାଙ୍କ ପ୍ୟାଣ୍ଟ ପକେଟରେ ରଖିଥିଲେ। ପରେ ସେହି ଟଙ୍କାକୁ ଅଫିସ ଆଲମାରୀରେ ରଖିଥିଲେ। ଭିଜିଲାନ୍ସ ଟିମ୍ ଆଲମାରୀରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରିଥିଲା। ଲାଞ୍ଚ ନେଇ ଧରାପଡ଼ିବା ପରେ ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତଙ୍କ ୩ଟି ଠିକଣା ଓ ଏଏସ୍‌ଆଇ ବିଜୟ କୁମାର ମହାନ୍ତଙ୍କ ୨ଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ଉ କରାଯାଇଛି। ସେମାନେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗରେ ଏହି ଚଢ଼ଉ କରାଯାଇଛି।

ବିଧୁଭୂଷଣ ପତି କହିଛନ୍ତି କେନ୍ଦୁଝର ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ମୋତେ ମାସିକ ୧୦ ହଜାର ଟଙ୍କା ଚାନ୍ଦା ଦେବାକୁ ବାରମ୍ବାର କହିଥିଲେ। ମୁଁ ତାଙ୍କୁ ମାସିକ ୩ ହଜାର ଟଙ୍କା ଦେଇଥିଲି। କିନ୍ତୁ ସେ ଫେରାଇ ଦେଇଥିଲେ। ତା’ ସହିତ ୪ ମାସ ହେଲାଣି ପଇସା ଦେଇନ କହି ୪୦ ହଜାର ଟଙ୍କା ନେଇ ଚମ୍ପୁଆ ଅଫିସରେ ଥିବା ଏଏସ୍‌ଆଇ ବିଜୟ କୁମାର ମହାନ୍ତଙ୍କୁ ଦେବାକୁ କହିଥିଲେ। ମୁଁ ଏତେ ଟଙ୍କା ଦେଇ ପାରିବି ନାହିଁ ବୋଲି ତାଙ୍କୁ କହିଥିଲି। କିନ୍ତୁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ ସେ ଶୁଣି ନଥିଲେ। ତେଣୁ ବାଧ୍ୟ ହୋଇ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲି। ସେ କହିଛନ୍ତି, ଆଜି ମୁଁ ଏଏସ୍‌ଆଇ ବିଜୟ କୁମାର ମହାନ୍ତଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟିଥିଲି। ସେଠାରୁ କେନ୍ଦୁଝର ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କୁ ଫୋନ୍ କରିଥିଲି। ଫୋନ୍‌କୁ ମୁଁ ସ୍ପୀକରରେ ରଖିଥିଲି। ବିଜୟ କୁମାର ମହାନ୍ତଙ୍କୁ ୪୦ ହଜାର ଟଙ୍କା ଦେବା ପାଇଁ ଅବକାରୀ ଅଧୀକ୍ଷକ ସୀତାରାଣୀ ପଟ୍ଟାୟତ ମୋତେ କହିଥିଲେ। ମୁଁ ବିଜୟ କୁମାର ମହାନ୍ତଙ୍କୁ ୪୦ ହଜାର ଟଙ୍କା ଦେବା ପରେ ପୂର୍ବରୁ ଛକି ରହିଥିବା ଭିଜିଲାନ୍ସ ଟିମ୍ ପହଞ୍ଚି ତାଙ୍କୁ ଧରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking