ଭୁବନେଶ୍ୱର: ଦେଶର ପ୍ରମୁଖ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଯଥା ଆଇଏନଟିୟୁସି, ଏଆଇଟିୟୁସି, ଏଚ୍ଏମ୍ଏସ, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏଲପିଏଫ୍, ୟୁଟିୟୁସି, ସେବା ସମେତ ସ୍ୱାଧୀନ ଫେଡ଼େରେସନମାନଙ୍କ ସଂଯୁକ୍ତ ମୋର୍ଚ୍ଚା ତରଫରୁ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ସରକାର ତୃତୀୟ ପାଳିରେ କ୍ଷମତାକୁ ଆସିବା ପରେ ଦେଶର ଶ୍ରମିକ, କୃଷକ, ଛାତ୍ର, ଯୁବ, ମହିଳା, ସଂଖ୍ୟାଲଘୁ, ଦଳିତ, ଆଦିବାସୀ ଓ ବୁଦ୍ଧିଜୀବୀଙ୍କ ଉପରେ ଚରମ ଆକ୍ରମଣ କରିଚାଲିଥିବାରୁ ୧୨ ଫେବୃଆରୀ ଦେଶବ୍ୟାପୀ ସାଧାରଣ ଧର୍ମଘଟ ଓ ହରତାଳ ପାଇଁ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହାକୁ ଓଡ଼ିଶାରେ ସିପିଆଇ ସମେତ ସମସ୍ତ ବାମପନ୍ଥୀ ଦଳ, କଂଗ୍ରେସ ଏବଂ ବିଜୁ ଶ୍ରମିକ ସାମ୍ମୁଖ୍ୟ ପୂର୍ଣ୍ଣ ସମର୍ଥନ ଘୋଷଣା କରିବା ସହିତ ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି। ଶ୍ରମିକ ସ୍ୱାର୍ଥ ବିରୋଧୀ ୪ଟି ଶ୍ରମ କୋଡ୍ ରଦ୍ଦ କରିବା, ‘ଭିବି- ଜୀ ରାମ ଜୀ’ ଆଇନ-୨୦୨୫ ରଦ୍ଦ କରିବା, ଏମଜିଏନଆରଇଜିଏକୁ ପୁନର୍ବାହାଲ କରିବା, ସ୍କିମ୍ ୱାର୍କରଙ୍କୁ ୱାର୍କର ମାନ୍ୟତା ପ୍ରଦାନ କରିବା, ଶ୍ରମ ଶକ୍ତି ନୀତି-୨୦୨୫ ରଦ୍ଦ କରିବା, ରାଷ୍ଟ୍ରାୟତ୍ତ ଉଦ୍ୟୋଗରୁ ପୁଞ୍ଜି ପ୍ରତ୍ୟାହାର ଓ ଘରୋଇକରଣ ବନ୍ଦ କରିବା, ବିଦ୍ୟୁତ୍ ସଂଶୋଧନ ବିଲ୍-୨୦୨୫ ରଦ୍ଦ କରିବା, ଆଣବିକ ଶକ୍ତି (ଶାନ୍ତି) ବିଲ୍-୨୦୨୫ ରଦ୍ଦ କରିବା, ଇପିଏଫ ସମେତ ସର୍ବନିମ୍ନ ପେନସନ ମାସିକ ୯ ହଜାର ଟଙ୍କା ପ୍ରଦାନ କରିବା, କୃଷକ ବିରୋଧୀ କୃଷି ଉତ୍ପାଦନର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ପାଇଁ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବା ଓ ବିହନ ବିଲ୍-୨୦୨୫ ରଦ୍ଦ କରିବା, ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍-୨୦୨୫ ରଦ୍ଦ କରିବା, ଦରଦାମ୍ ବୃଦ୍ଧି, ସାମ୍ପ୍ରଦାୟିକ ବିଭାଜନ ବନ୍ଦ କରିବା ଦାବିରେ ସଂଗଠିତ ହୋଇଥିବା ଆଜିର ଏହି ଧର୍ମଘଟରେ ରାଜ୍ୟ ବ୍ୟାପୀ ଶ୍ରମିକ, କୃଷକ, ଛାତ୍ର, ଯୁବକ, ମହିଳା, କର୍ମଚାରୀ ବହୁ ସଂଖ୍ୟାରେ ଯୋଗଦେଇ ଏହି ବନ୍ଦକୁ ସଫଳ କରିଛନ୍ତି। ଏହି ପୃଷ୍ଠଭୂମିରେ ଆଜି ରାଜ୍ୟ ବ୍ୟାପୀ ଦୋକାନ ବଜାର, ଚକ, ଅଖ, ସ୍କୁଲ୍, କଲେଜ, ବ୍ୟାଙ୍କ, ବୀମା, ପରିବହନ, ରେଳ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅଫିସ୍, ରାଷ୍ଟ୍ରାୟତ୍ତ ଉଦ୍ୟୋଗ ପ୍ରମୁଖ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଅତ୍ୟାବଶ୍ୟକୀୟ ସେବାକୁ ବାଦ୍ ଦେଇ ଅନ୍ୟ ସମସ୍ତ କ୍ଷେତ୍ରରେ ବନ୍ଦ ପ୍ରାୟତଃ ଶାନ୍ତିପୂର୍ଣ୍ଣ ଭାବେ ସଫଳ ହୋଇଛି ଏବଂ ଜନଗଣଙ୍କର ଅକୁଣ୍ଠ ସ୍ୱତଃସ୍ଫୁର୍ତ୍ତ ସମର୍ଥନ ଓଡ଼ିଶାରେ ଏହି ବନ୍ଦକୁ ସଫଳ କରିବାରେ ସହାୟକ ହୋଇଛି। ଭୁବନେଶ୍ୱର ସମେତ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ମିଳିତ ଶ୍ରମିକ ସଙ୍ଗଠନର କର୍ମୀମାନଙ୍କ ସହିତ ସିପିଆଇର ସାଥୀମାନେ ତଥା ଅନ୍ୟ ବାମପନ୍ଥୀ ଦଳର ସାଥୀମାନେ ହଜାର ହଜାର ସଂଖ୍ୟାରେ ରାସ୍ତା ଉପରେ ସାଧାରଣ ଧର୍ମଘଟ ଓ ହରତାଳକୁ ସଫଳ କରିବା ପାଇଁ ବିକ୍ଷୋଭ ଓ ଶୋଭାଯାତ୍ରା ସଂଗଠିତ କରିଛନ୍ତି। ଭୁବନେଶ୍ୱରଠାରେ ସକାଳେ ରେଳ ଷ୍ଟେସନ, ବସ୍ଷ୍ଟାଣ୍ଡ, ମାଷ୍ଟରକ୍ୟାଣ୍ଟିନ ଛକ, ରାଜମହଲ, ଡମଣା, ଗାଡ଼କଣ ଓ ପଟିଆ ଛକଠାରେ ସିପିଆଇ, ଏଆଇଟିୟୁସି ଓ ବିକେଏମ୍ୟୁର କର୍ମୀମାନେ ସିପିଆଇ ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର, ବରିଷ୍ଠ ସିପିଆଇ ନେତା ସୁର ଜେନା, ଜୋନ ସମ୍ପାଦକ କୈଳାସ ପୁହାଣ, ନମିତା ସାହୁ, ବିଶ୍ୱଜିତ୍ ନାୟକ, ଶରତ ସ୍ୱାଇଁ, ଶଙ୍କର ବାରିକ, ସୁରେନ୍ଦ୍ର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ ଓ ରାସ୍ତାରୋକୋ କରାଯାଇଥିଲା। ଏହାପରେ ସମସ୍ତ କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନ ଓ ରାଜନୈତିକ ଦଳମାନଙ୍କର ଏକ ମିଳିତ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ମାଷ୍ଟରକ୍ୟାଣ୍ଟିନ ଛକ ଦେଇ ପିଏମ୍ଜି ଛକଠାରେ ପହଞ୍ôଚ ଏଆଇଟିୟୁସି ରାଜ୍ୟ ସମ୍ପାଦକ ବିଜୟ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ମହେନ୍ଦ୍ର ପରିଡ଼ା, ରାଧାକାନ୍ତ ସେଠୀ, ଜ୍ୟୋତିରଞ୍ଜନ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଦୀପ୍ତ ନାୟକଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କରିବାବେଳେ ପୋଲିସ ଶହ ଶହ କର୍ମୀଙ୍କୁ ଗିରଫ କରିଥିଲା।
ଏହା ବ୍ୟତୀତ ଖବର ମିଳିବା ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନ ଯଥା: କାକଟପୁରଠାରେ ବରିଷ୍ଠ ସିପିଆଇ ନେତା ଆଶିଷ କାନୁନ୍ଗୋ, ବାଲେଶ୍ୱରଠାରେ ରାଜ୍ୟ ସହସମ୍ପାଦକ ଜୟନ୍ତ ଦାସ, ସମ୍ବଲପୁରର ରେଙ୍ଗାଲିଠାରେ ରାଜ୍ୟ ସହମ୍ପାଦକ କ୍ଷୀରୋଦ ସିଂହଦେଓ, ରାଜ୍ୟ ସମ୍ପାଦକମଣ୍ଡଳୀ ସଭ୍ୟ ଭବାନୀପାଟଣାଠାରେ ସାଥୀ ଦାମୋଦର ବେହେରା, ସୁନ୍ଦରଗଡ଼ଠାରେ ସାଥୀ ଅଶୋକ ଦାଶ, ଛତ୍ରପୁରଠାରେ ପୂର୍ବତନ ବିଧାୟକ ସାଥୀ ଏନ. ନାରାୟଣ ରେଡି, ବ୍ରହ୍ମପୁରଠାରେ ସାଥୀ ପ୍ରକାଶ ପାତ୍ର, କେନ୍ଦ୍ରାପଡ଼ାଠାରେ ସାଥୀ ରମଣିରଞ୍ଜନ ରାଉତରାୟ ପ୍ରମୁଖଙ୍କ ନେତୃତ୍ୱରେ ତଥା ବ୍ରହ୍ମପୁର, ଖଲ୍ଲିକୋଟ, ଦିଗପହଣ୍ଡି, ଆସିକା, ସାନଖେମୁଣ୍ଡି, କୁଜଙ୍ଗ, ଏରସମା, ପାରାଦୀପ, କଟକ, ଜଗତପୁର, ସାଲେପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବନ୍ତ, ତିହିଡ଼ି, ବାସୁଦେବପୁର, ଚାନ୍ଦବାଲି, ବାଲେଶ୍ୱର, ସୋରୋ, ଜଳେଶ୍ୱର, ଖଇରା, ବାରିପଦା, ରାଇରଙ୍ଗପୁର, ଝାରପୋଖରିଆ, ସାରସକଣା, ରାଉରକେଲା, ହେମଗିରି, ଲେଫ୍ରିପଡ଼ା, ସମ୍ବଲପୁର, ଝାରସୁଗୁଡ଼ା, ମାଲକାନଗିରି, ମାଥିଲି, କୋରାପୁଟ, ଜୟପୁର, ପୁରୀ, ନିମାପଡ଼ା, କାକଟପୁର, ଅସ୍ତରଙ୍ଗ, ଭବାନୀପାଟଣା, ଜୁନାଗଡ଼, କେନ୍ଦୁଝର, ଚମ୍ପୁଆ ପ୍ରଭୃତି ସ୍ଥାନମାନଙ୍କ ସହିତ ଅନ୍ୟାନ୍ୟ ଶତାଧିକ ସ୍ଥାନରେ ସିପିଆଇ ଏବଂ ଏଆଇଟିୟୁସିର ଶହ ଶହ କର୍ମୀ ବିକ୍ଷୋଭ, ଶୋଭାଯାତ୍ରା ଆୟୋଜନ କରିବା ସହିତ ଗିରଫ ହୋଇଛନ୍ତି ଓ ଏହି ବନ୍ଦକୁ ଅଭୂତପୂର୍ବ ଭାବେ ସଫଳ କରିଛନ୍ତି। କେନ୍ଦ୍ର ସରକାରଙ୍କ ସମ୍ବିଧାନ ବିରୋଧୀ, ପୁଞ୍ଜିବାଦୀ ସପକ୍ଷବାଦୀ, ସାମ୍ପ୍ରଦାୟିକ ବିଦ୍ୱେଷ ସୃଷ୍ଟିକାରୀ ଓ ଶ୍ରମିକ, କୃଷକ, ଯୁବକ, ଛାତ୍ର, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁ ବିରୋଧୀ ଜନ ମାରଣ ନୀତି ବିରୋଧରେ ଏହି ଐତିହାସିକ ସାଧାରଣ ଧର୍ମଘଟ ଓ ହରତାଳକୁ ସଫଳ କରିଥିବାରୁ ରାଜ୍ୟବାସୀଙ୍କୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ) ରାଜ୍ୟ ସମ୍ପାଦକ ଡ. ପ୍ରଶାନ୍ତ କୁମାର ମିଶ୍ର ଅଭିନନ୍ଦନ ଜ୍ଞାପନ କରିଛନ୍ତି।










