19.1 C
Bhubaneswar
Friday, February 13, 2026
Homeଓଡିଶାଧର୍ମଘଟ ଆଂଶିକ ସଫଳ : ଅଧା ଖୋଲା, ଅଧା ବନ୍ଦ

ଧର୍ମଘଟ ଆଂଶିକ ସଫଳ : ଅଧା ଖୋଲା, ଅଧା ବନ୍ଦ

ଭୁବନେଶ୍ୱର: ଘରୋଇ ବସ୍ କି ଟ୍ରକ୍ ଗଡ଼ିଲାନି। ଟ୍ରେନ୍ ସେବା ବି କିଛିକାଂଶରେ ବାଧାପ୍ରାପ୍ତ ହେଲା। ଅଧିକାଂଶ ରାଷ୍ଟ୍ରାୟାତ ବ୍ୟାଙ୍କ, ବୀମା, ଡାକ କାର୍ଯ୍ୟ ଅନେକାଂଶରେ ବାଧାପ୍ରାପ୍ତ ହୋଇଛି। ଖଣି, ପରିବହନ ଓ ନିର୍ମାଣ କର୍ମଚାରୀମାନେ ବି ଧାରଣାରେ ବସିଥିଲେ। ମୋଟାମୋଟିଭାବେ ୧୦ଟି ଶ୍ରମିକ ଓ ସ୍ୱାଧୀନ ଫେଡେରେସନ ପକ୍ଷରୁ ଗୁରୁବାର ଦିଆଯାଇଥିବା ୧୨ ଘଣ୍ଟିଆ ସର୍ବଭାରତୀୟ ଡାକରା ଆଂଶିକ ସଫଳ ହୋଇଛି। କଂଗ୍ରେସ ଓ ବିଜେଡି (ବିଜୁ ଶ୍ରମିକ ସାମ୍ମୁଖ୍ୟ )ଏହି ଧର୍ମଘଟକୁ ସମର୍ଥନ କରିଥିବାରୁ ବନ୍ଦର ପ୍ରଭାବ ସାମାନ୍ୟ ଅନୁଭୂତ ହୋଇଥିଲା। ଗୁରୁବାର ସକାଳୁ ଆରମ୍ଭ ହୋଇଥିବା ପିକେଟିଂ ସମୟ ଗଡ଼ିବା ସହ ପ୍ରଭାବହିନ ହେବାରେ ଲାଗିଥିଲା। ଶ୍ରମିକ ଓ ବାମପନ୍ଥୀ ଦଳର ନେତାମାନେ କାଁ ଭାାଁ ଆନ୍ଦୋଳନରେ ବସିଥିଲେ। ରାଜ୍ୟର ପ୍ରାୟ ସବୁ ସହରରେ ଦୋକାନ ବଜାର ଖୋଲାଥିଲା। ଦିନତମାମ ରାସ୍ତାରେ କିଛିକାଂଶରେ ଯାତାୟାତ ସ୍ୱାଭାବିକ ଥିଲା। ସନ୍ଧ୍ୟା ବେଳକୁ ବେପାର ଜମିଥିଲା।

ଶ୍ରମ ଆଇନରେ ସଂଶୋଧନ, ବିଦ୍ୟୁତ୍ ସଂଶୋଧନ ବିଲ୍ ୨୦୨୫କୁ ପ୍ରତ୍ୟାହାର, ଭିବି-ଜି ରାମଜି ଆଇନ ବଦଳରେ ମନରେଗା ଲାଗୁ, ଚାଷୀ ଓ କୃଷି ଶ୍ରମିକଙ୍କୁ ସୁରକ୍ଷା ସହ ବିହନ ବିଲ୍ ୨୦୨୫ ପ୍ରତ୍ୟାହାର, ସ୍ୱାମୀନାଥନ କମିସନ ଅନୁସାରେ ଏମ୍‌ଏସ୍‌ପି ଲାଗୁ, ସମାନ କାମକୁ ସମାନ ଦରମା, ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଶ୍ରମିକଙ୍କୁ ଆଇନଗତ ସୁରକ୍ଷା, ଆଦିବାସୀ ଓ ପାରମ୍ପରିକ ଜଙ୍ଗଲ ଅଧିବାସୀଙ୍କୁ ଜଙ୍ଗଲ ଜମିର ଅଧିକାର, ଦରଦାମ ଓ ବେକାରୀ ନିୟନ୍ତ୍ରଣ, ସାଂପ୍ରଦାୟିକ ବିଦ୍ୱେଷ, ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁଙ୍କୁ ସାମାଜିକ ନ୍ୟାୟ ପ୍ରଦାନ ଦାବିରେ ଏହି ଧର୍ମଘଟ କରାଯାଇଥିଲା। ଆଇଏନ୍‌ଟିୟୁସି, ଏଆଇଟିୟୁସି, ଏଚ୍‌ଏମ୍‌ଏସ୍‌, ସିଆଇଟିୟୁ, ଏଆଇୟୁଟିୟୁସି, ଏଆଇସିସିଟିୟୁ, ଟିୟୁସିସି, ଏସ୍‌ଇଡବ୍ଲ୍ୟୁଏ, ଏଲ୍‌ପିଏଫ୍‌, ସଂଯୁକ୍ତ କିଷାନ ମୋର୍ଚ୍ଚା, ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ, ସର୍ବଭାରତୀୟ ବ୍ୟାଙ୍କ ଅଫିସର୍ସ ସଂଘ, ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଏହି ଧର୍ମଘଟରେ ସାମିଲ ହୋଇଥିଲେ।

ସକାଳୁ ସକାଳୁ ଠପ୍ ହୋଇଯାଇଥିଲା ଅଖ-ଚକ। ପ୍ରଭାବିତ ହୋଇଥିଲା ଗମନାଗମନ। ପିକେଟିଂ କରି ରାଜରାସ୍ତାକୁ ଓହ୍ଲାଇଥିଲେ ଶ୍ରମିକ ସଂଗଠନ ନେତା ଓ କର୍ମୀ। କେଉଁଠି ଟ୍ରେନ୍‌କୁ ଅଟକାଇଥିଲେ ତ କେଉଁଠି ବସ୍‌। ଅବରୋଧ କରିଥିଲେ ଏନଏଚ୍‌। ଭୁବନେଶ୍ୱରରୁ ସମ୍ବଲପୁର, କଟକରୁ କଳାହାଣ୍ଡି, ପୁଣି ବାଲେଶ୍ୱରରୁ ବ୍ରହ୍ମପୁର। ସାରା ରାଜ୍ୟରେ ଭିନ୍ନ ଭିନ୍ନ ଢଙ୍ଗରେ ବନ୍ଦ ପାଳନ କରାଯାଇଛି। ବାଲେଶ୍ୱରରେ ବନ୍ଦ ଡାକରା ସତ୍ତ୍ୱେ ସପିଂ ମଲ୍ ଖୋଲିଥିବାରୁ ତାତିଥିଲେ ଆନ୍ଦୋଳନକାରୀ। ଭିତରେ ପଶି ପ୍ରବଳ ହଙ୍ଗାମା କରିଥିଲେ। ଏପଟେ ବନ୍ଦ ବେଳେ ଭୁବନେଶ୍ୱରରେ ଫସିଲା ବର। ବାଲେଶ୍ୱରର ସୋର ଅଞ୍ଚଳରୁ ଖୋର୍ଦ୍ଧା ଅଭିମୁଖେ ଯାଉଥିବା ବରଯାତ୍ରୀ ଗାଡ଼ିକୁ ଜୟଦେବ ବିହାର ଛକରେ ବିକ୍ଷୋଭକାରୀ ଅଟକାଇଥିଲେ। କିଛି ବିକ୍ଷୋଭକାରୀ ଭୀଷଣ ପାଟିତୁଣ୍ଡ କରୁଥିବା ଦେଖାଯାଇଥିଲା। ପରେ ପୁଲିସ୍ ଆସି ବରକୁ ଖୋର୍ଦ୍ଧା ପଠାଇବାର ବ୍ୟବସ୍ଥା କରିଥିଲେ।

ରାଜରାସ୍ତାରେ ପଥଚାରୀଙ୍କୁ ଅଟକାଇବା ସହ ବିଭିନ୍ନ ସ୍ଥାନରେ ବହୁ ଅନୁଷ୍ଠାନକୁ ବି ବନ୍ଦ କରିଥିଲେ ବିକ୍ଷୋଭକାରୀ। କୋରାପୁଟ ଲମତାପୁଟରେ ନୂତନ ପାଠ୍ୟ ପୁସ୍ତକ ସମ୍ପର୍କିତ ତାଲିମ ଶିବିରକୁ ଅଧାରୁ ବନ୍ଦ କରିଥିଲେ। ଅପ୍ରୀତିକର ପରିସ୍ଥିତି ପୂର୍ବରୁ ସେଣ୍ଟର ଛାଡ଼ି ପଳାଇଥିଲେ ଶିକ୍ଷକ ଶିକ୍ଷୟିତ୍ରୀ। ସେହିପରି ସ୍କୁଲ୍ ଓ ସରକାରୀ ଅଫିସ ବି ବନ୍ଦ କରିଥିଲେ ଆନ୍ଦୋଳନକାରୀ। ହନ୍ତସନ୍ତ ହୋଇଥିଲେ ପର୍ଯ୍ୟଟକ। ବାଲେଶ୍ୱର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସି ଫସିଥିଲେ ଶତାଧିକ ପର୍ଯ୍ୟଟକ। ରାଜପଥ ଅବରୋଧ କରିବାକୁ ମାଲ ପରିବହନ ଏକପ୍ରକାର ଠପ୍ ହୋଇଥିଲା। ବିଭିନ୍ନ ସ୍ଥାନରେ ଅଟକି ରହିଥିଲା ଶତାଧିକ ଟ୍ରକ। ଆନ୍ଦୋଳନକାରୀ ଟ୍ରେନ୍ ଅଟକାଇବାରୁ ଜୀବନଯାତ୍ରା ପ୍ରଭାବିତ ହୋଇଥିଲା। ଭୁବନେଶ୍ୱର ବରମୁଣ୍ଡା, କଟକ ନେତାଜୀ ବସ୍ ଟର୍ମିନାଲ୍ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଗଡ଼ିନଥିଲା ବସ୍‌। କିଏ ମେଡିକାଲ୍ ତ କେହି ଅନ୍ୟ କୌଣସି ଜରୁରୀ କାମରେ ଆସି ବସଷ୍ଟାଣ୍ଡରେ ଅନାଇ ଦିନ କାଟିଥିଲେ। ସେହିପରି ଲୋକସେବା ଭବନକୁ ଆଜି ସକାଳ ସାଢ଼େ ୯ଟା ସୁଦ୍ଧା ଆସିଥିଲେ ଅଧିକାରୀ ଓ କର୍ମଚାରୀ।

ରାଜଧାନୀ ଭୁବନେଶ୍ୱରରେ ବନ୍ଦର ପ୍ରଭାବ ମିଶ୍ରିତ ରହିଛି। ଭୁବନେଶ୍ୱର ରେଳଷ୍ଟେସନ୍ ସମେତ ସହରର ମୁଖ୍ୟ ଛକ ମାଷ୍ଟର କ୍ୟାଣ୍ଟିନ, ରାଜମହଲ, ଡମଣା ଛକ, ବରମୁଣ୍ଡା, ଆଦି ସ୍ଥାନରେ ବିକ୍ଷୋଭକାରୀମାନେ ରାସ୍ତାରୋକ କରିଥିଲେ। ଫଳରେ ଘରୋଇ ପରିବହନ, ମୋ-ବସ୍ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ଦୋକାନ ବଜାର, ବ୍ୟବସାୟ ପ୍ରତିଷ୍ଠାନ କେଉଁଠି ବନ୍ଦ ତ କେଉଁଠି ଖୋଲାଥିବାବେଳେ ସରକାରୀ କାର୍ଯ୍ୟାଳୟ ଓ ବ୍ୟାଙ୍କ ସମେତ ବିଭିନ୍ନ ଆର୍ଥିକ ଅନୁଷ୍ଠାନ ବନ୍ଦ ରହିଥିଲା। ତତ୍‌ସହିତ ମଧ୍ୟାହ୍ନରେ ଏକ ମିଳିତ ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ପିଏମ୍‌ଜି ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରି ପାଞ୍ଚଶହରୁ ଊର୍ଦ୍ଧ୍ୱ କର୍ମୀ ଗିରଫ ହୋଇଛନ୍ତି। ଏଥିରେ ଆଇଏନ୍‌ଟିୟୁସିର ସଭାପତି ରାମଚନ୍ଦ୍ର ଖୁଣ୍ଟିଆ, ଏଆଇଟିୟୁସିର ବିଜୟ ଜେନା, ସିଆଇଟିୟୁର ପ୍ରଦୀପ ନାୟକ, ଏଆଇସିସିଟିୟୁର ମହେନ୍ଦ୍ର ପରିଡ଼ା, ଏଆଇୟୁଟିୟୁସିର ଜୟସେନ ମେହେର, ଟିୟୁସିସିର ଜ୍ୟୋତିରଞ୍ଜନ ମହାପାତ୍ର, ଏଚ୍‌ଏମ୍‌ଏସ୍ ନେତା ବିଏନ୍ ମହାପାତ୍ର, ଏଲ୍‌ପିଏଫ୍‌ର ମଧୁସୂଦନ ପ୍ରଧାନ ପ୍ରମୁଖ ନେତୃତ୍ୱ ନେଇଥିଲେ। ଅନୁରୂପ ଭାବରେ ବିଦ୍ୟୁତ୍ କମର୍ଚାରୀ ଫେଡେରସନ୍ ତରଫରୁ ଗ୍ରୀଡ୍‌କୋ ମୁଖ୍ୟ ଦପ୍ତର ସମ୍ମୁଖରେ ସତ୍ୟବାଦୀ ବାଘ, ଭ୍ରମରବର ରାଉତ, ପରମାନନ୍ଦ ବେହେରାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦଶର୍ନ କରାଯାଇଥିଲା। ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ଓ ରାସ୍ତାରୋକ କରି ହଜାର ହଜାର ବିକ୍ଷୋଭକାରୀ ଗିରଫ ହୋଇଛନ୍ତି।ଟ୍ରେଡ୍ ୟୁନିୟନର ଡାକରାରେ ରାଜ୍ୟବ୍ୟାପୀ ଜନଜୀବନ କିଛି ମାତ୍ରାରେ ପ୍ରଭାବିତ ହୋଇଥିଲେ ବି କେଉଁଠି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking