ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ସାମୁଦ୍ରିକ ଝଡ଼ ‘ଫେଙ୍ଗାଲ’ ସ୍ଥଳଭାଗ ଛୁଇଁଛି । ପୁଡୁଚେରୀର କରେଇକାଲ ଓ ତାମିଲନାଡୁର ମହାବଳିପୁରମ ମଧ୍ୟରେ ଲ୍ୟାଣ୍ଡଫଲ କରିଛି ବାତ୍ୟା । ଏହି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ପ୍ରାୟ ୪ ଘଣ୍ଟା ଧରି ଚାଲିଥିଲା । ଏହି ସମୟରେ ଘଣ୍ଟାପ୍ରତି ୯୦ କି.ମି ବେଗରେ ପବନ ବହିଥିଲା । ପ୍ରବଳ ବର୍ଷାରେ ଉବୁଟୁବୁ ହୋଇଛି ସ୍ଥାନୀୟ ଅଞ୍ଚଳ । ଚେନ୍ନାଇ ସମେତ ତାମିଲନାଡୁର ବିଭିନ୍ନ ସ୍ଥାନରେ ରାସ୍ତାଘାଟ ଜଳମଗ୍ନ ହୋଇପଡିଥିଲା । ଆସନ୍ତା ୩ ଦିନ ଯାଏଁ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲ୍ୟାଣ୍ଡଫଲ ବେଳେ ପବନ ବେଗ ଏତେ ଅଧିକ ଥିଲା ଯେ ବିଦ୍ୟୁତ ଖୁଣ୍ଟ, ମୋବାଇଲ ଟାୱାର ଓ ହୋର୍ଡିଂଗୁଡିକ କ୍ଷତିଗ୍ରସ୍ତ ହୋଇଛି । ବାତ୍ୟାର ପ୍ରଭାବ ପଡୋଶୀ ରାଜ୍ୟ କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ମଧ୍ୟ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଓ ପବନକୁ ଦୃଷ୍ଟିରେ ରଖି ଚେନ୍ନାଇ ବିମାନବନ୍ଦରକୁ ୧୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି । ଫଳରେ ୫୫ଟି ଫ୍ଲାଇଟ୍ ବାତିଲ୍ ହୋଇଛି । ସେହିପରି ୧୨ଟି ବିମାନର ଗତିପଥ ପରିବର୍ତ୍ତନ କରାଯାଇଛି । ବାତ୍ୟା ଯୋଗୁ ଟ୍ରେନ୍ ଚଳାଚଳ ମଧ୍ୟ ବାଧାପ୍ରାପ୍ତ ହୋଇଛି ।