18.1 C
Bhubaneswar
Wednesday, February 4, 2026
Homeଓଡିଶାରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ସରକାରଙ୍କ ନିଘା ନାହିଁ: ବିଜେଡି

ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ସରକାରଙ୍କ ନିଘା ନାହିଁ: ବିଜେଡି

ଭୁବନେଶ୍ୱର: କଟକ ବଡ଼ ମେଡିକାଲରେ ଡାଏଲେସିସ ବ୍ୟବସ୍ଥା ଗତ କିଛି ଦିନ ହେଲା ଅଚଳ ହୋଇ ପଡିଥିବାରୁ ରୋଗୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବେ ଏହା ପୁନଃ କାର୍ଯ୍ୟକ୍ଷମ ହେବ ତାର ମଧ୍ୟ କୌଣସି ସୂଚନା ମିଳୁ ନଥିବାରୁ ଡାଏଲେସିସ୍ ପାଇଁ ଅପେକ୍ଷାରତ ରୋଗୀମାନେ ହନ୍ତସନ୍ତ ହେଉଛନ୍ତି କିନ୍ତୁ କର୍ତ୍ତୃପକ୍ଷ କେବଳ ନୀରବଦ୍ରଷ୍ଟା ସାଜିଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି । ଏହାଛଡା, ନିରାମୟ ଯୋଜନା ମାଧ୍ୟମରେ ମିଳୁଥିବା ଅଧିକାଂଶ ମାଗଣା ଔଷଧ ମଧ୍ୟ ମିଳୁନାହିଁ, ଯାହାକୁ ନେଇ ଜନ ଅସନ୍ତୋଷ ଦେଖାଦେଇଛି ।

ବିଜୁ ଜନତା ଦଳ ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ, ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବା ପରଠାରୁ ଧୀରେ ଧୀରେ ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ଭୁଶୁଡିବାରେ ଲାଗିଛି । ସ୍ଥିତିକୁ ସୁଧାରିବା ପାଇଁ ସରକାର କୌଣସି ପଦକ୍ଷେପ ନେଉ ନଥିବା ବେଳେ କେବଳ ନିଜ ପିଠି ନିଜେ ଥାପୁଡ଼େଇବାରେ ବ୍ୟସ୍ତ ଅଛନ୍ତି । କଟକ ବଡ଼ ମେଡିକାଲରେ ପୂର୍ବ ସରକାରଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ଡାଏଲେସିସ ବ୍ୟବସ୍ଥା ଗତ କିଛି ଦିନ ହେଲା କାର୍ଯ୍ୟ କରୁନାହିଁ । କିଡ଼ନୀ ରୋଗରେ ପୀଡିତ ମାନଙ୍କ ଚିକିତ୍ସା ପାଇଁ ଡାଏଲେସିସ୍ ମେସିନ ଅତ୍ୟନ୍ତ ଗୁରୁତ୍ତ୍ୱପୂର୍ଣ୍ଣ ହୋଇଥିବା ବେଳେ, ଏହି ମେସିନରେ ହଜାର ହଜାର ରୋଗୀ ଚିକିତ୍ସିତ ହୋଇଥାନ୍ତି । ଏହି ମେସିନ ଅକାମି ହେବାରୁ ରୋଗୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କିଡ଼ନୀ ରୋଗୀମାନେ ନିୟମିତ ବ୍ୟବଧାନରେ ଡାଏଲେସିସ କରାଇବା ଅତ୍ୟନ୍ତ ଜରୁରୀ ହୋଇ ଥିବାରୁ, ଡାଏଲେସିସ ବିନା ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ବିଗିଡି ଯାଇଥାଏ । ଘରୋଇ ହସ୍ପିଟାଲରେ ଡାଏଲେସିସ ସକାସେ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାରୁ, ଅଧିକାଂଶ ଲୋକ ମାଗଣା ଡାଏଲେସିସ ପାଇଁ ସରକାରୀ ହସ୍ପିଟାଲ ଉପରେ ନିର୍ଭର କରିଥାନ୍ତି । କିଡ଼ନୀ ରୋଗୀ ମାନେ ଡାଏଲେସିସ ମେସିନକୁ ଶୀଘ୍ର ଠିକ କରାଇବା ପାଇଁ ଏସସିବି ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ ଆଗରେ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ ।

ଡ. ମହାନ୍ତି ଆହୁରି କହିଛନ୍ତି, ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିବା ନିରାମୟ ଯୋଜନା ମାଧ୍ୟମରେ ରୋଗୀ ମାନଙ୍କୁ ମାଗଣାରେ ମେଡ଼ିସିନ ମିଳୁଥିଲା, ଏବେ ବେଶ କିଛିଦିନ ହେଲା ତନ୍ମଧ୍ୟରୁ ପାଖାପାଖି ୧୭୦ ପ୍ରକାରରୁ ଉଦ୍ଧ୍ୱର୍ ମେଡିସିନ୍ ବନ୍ଦ ହୋଇ ଯାଇଛି । ଆର୍ଥିକ ସ୍ୱଚ୍ଛଳ ନଥିବା ବର୍ଗର ଲୋକଙ୍କ ପାଇଁ ଏହି ନିରାମୟ ଯୋଜନାରେ ମିଳୁଥିବା ମାଗଣା ଔଷଧ ବାସ୍ତବରେ ସଂଜୀବନୀ ସଦୃଶ୍ୟ ହୋଇଥିଲା । ଏହି ଔଷଧ ଉପରେ ନିର୍ଭର କରୁଥିବା ହଜାର ହଜାର ଲୋକମାନେ ଏବେ ଔଷଧ ନପାଇ ଅକଥନୀୟ ଦୁର୍ଦ୍ଦଶାର ଶିକାର ହୋଇଛନ୍ତି । ଦୁଃଖ ଓ ପରିତାପର ବିଷୟ, ରାଜ୍ୟ ସରକାରଙ୍କ ଏଥିପ୍ରତି ଦୃଷ୍ଟି ନାହିଁ । ଦଳୀୟ କନ୍ଦଳ ଭିତରେ ଛନ୍ଦି ହୋଇଥିବା ବିଜେପି ନେତା ମନ୍ତ୍ରୀ ମାନଙ୍କୁ ରାଜ୍ୟବାସୀଙ୍କ ଦୁଃଖ ଦୁର୍ଦଶା ବୁଝିବାକୁ ସମୟ ନାହିଁ । ସରକାରଙ୍କୁ ଆମେ ଚେତାବନୀ ଦେଉଛୁ, ବିପର୍ଯ୍ୟସ୍ତ ହୋଇ ପଡିଥିବା ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ତୁରନ୍ତ ସୁଧାର କରନ୍ତୁ, ଅନ୍ୟଥା ବିଜୁ ଜନତା ଦଳ ରାଜରାସ୍ତାକୁ ଓହ୍ଲାଇବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking