ତେହରାନ୍: ଉଭୟ ଇରାନ୍ ଏବଂ ଇସ୍ରାଏଲ୍ ଭୌଗୋଳିକ ସ୍ଥିତାବସ୍ଥା ଦୃଷ୍ଟିକୋଣରୁ ଛୋଟ ଦେଶ ଭାବେ ବିବେଚିତ ହୁଅନ୍ତି। କିନ୍ତୁ ଏହି ଦୁଇ ଦେଶ ବେଶ୍ ପ୍ରଭାବଶାଳୀ। ସମୟ ଥିଲା ଯେତେବେଳେ ଇରାନ ଏବଂ ଇସ୍ରାଏଲ ପରସ୍ପରର ଅତ୍ୟନ୍ତ ଘନିଷ୍ଠ ରାଷ୍ଟ୍ର ଭାବେ ପରିଚିତ ହେଉଥିଲେ। କିନ୍ତୁ ଏବେ ଗତ କିଛି ବର୍ଷ ହେବ ଉଭୟ ରାଷ୍ଟ୍ର ପରସ୍ପରର କଟ୍ଟର ପ୍ରତିଦ୍ୱନ୍ଦ୍ୱୀ ସାଜିଛନ୍ତି। ଉଭୟ ଦେଶ ଏବେ ପ୍ରତିପକ୍ଷ ଦେଶଙ୍କୁ ନିଜର ଶତ୍ରୁ ଭାବେ ବିବେଚନା କରୁଛନ୍ତି। ୧୯୪୮ ପୂର୍ବରୁ ଇସ୍ରାଏଲ ନାମକ କୌଣସି ଦେଶ ନଥିଲା।
ଏହା ଥିଲା ସମଗ୍ର ପାଲେଷ୍ଟାଇନ, ଯାହା ଓଟୋମନ ସାମ୍ରାଜ୍ୟ ଦ୍ୱାରା ଶାସିତ ହେଉଥିଲା। ତେବେ ୧୯୪୭ରେ ପାଲେଷ୍ଟାଇନର ବିଭାଜନ ପାଇଁ ଜାତିସଂଘ ସର୍ବପ୍ରଥମେ ପ୍ରସ୍ତାବ ରଖିଥିଲା। କିନ୍ତୁ ସେତେବେଳେ ଆରବ ଦେଶଗୁଡ଼ିକ ଏହାକୁ ତୀବ୍ର ବିରୋଧ କରିଥିଲେ। ତେବେ ଘଟଣାକ୍ରମେ ୧୯୪୮, ମେ ୧୪ରେ ଇସ୍ରାଏଲ ଏକ ସ୍ୱତନ୍ତ୍ର ଦେଶ ଭାବେ ମାନ୍ୟତା ହାସଲ କରିଥିଲା। ସବୁଠୁ ବଡ଼କଥା ହେଉଛି ଇରାନ୍ ମଧ୍ୟ ସେତେବେଳେ ଇସ୍ରାଏଲକୁ ଏକ ଦେଶ ଭାବେ ସମର୍ଥନ ତଥା ସ୍ୱୀକୃତି ଦେଇଥିଲା। ଫଳରେ ଉଭୟ ଦେଶ ମଧ୍ୟରେ କୂଟନୈତିକ, ସାମରିକ ଏବଂ ତୈଳ ବାଣିଜ୍ୟ ସମ୍ପର୍କ ଗଢ଼ି ଉଠିଥିଲା। ବିଶେଷକରି ୧୯୫୩ରେ ଯେତେବେଳେ ମହମ୍ମଦ ରେଜା ଶାହ ପହଲଭି ଇରାନ୍ର କ୍ଷମତା ହାତେଇଥିଲେ ସେତେବେଳେ ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ରହିଥିବା ସମ୍ପର୍କ ଆହୁରି ନିବିଡ ହୋଇଥିଲା। ତତ୍କାଳୀନ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ଡେଭିଡ୍ ବେନ୍ ଗୁରିଅନ ଏବଂ ମହମ୍ମଦ ରେଜା ଶାହ ପହଲଭିଙ୍କ ଦ୍ୱିପାକ୍ଷିକ ବନ୍ଧୁତ୍ୱର ପ୍ରଭାବରେ ଇରାନ ଏବଂ ଇସ୍ରାଏଲ ଘନିଷ୍ଠ ହେବାସହ ଉଭୟ ଦେଶ ବହୁମୁଖୀ ମେଣ୍ଟ ଗଠନ କରିବା ଆରମ୍ଭ କରିଥିଲେ। ଶାହ ପହଲଭିଙ୍କ ଶାସନ ସମୟରେ ଇସ୍ରାଏଲକୁ ଏକ ସହଯୋଗୀ ଭାବରେ ଦେଖୁଥିଲା ଇରାନ। ପାରସ୍ପରିକ ଲାଭ ଦ୍ୱାରା ପରିଚାଳିତ ଏହି ବନ୍ଧୁତା ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଅର୍ଥନୈତିକ, ସାମରିକ ଏବଂ ଗୁପ୍ତଚର ସହଯୋଗକୁ ମଧ୍ୟ ପ୍ରୋତ୍ସାହିତ କରିଥିଲା।
ନବଗଠିତ ଇହୁଦି ଦେଶ ଇସ୍ରାଏଲ ଇରାନ୍ ଠାରୁ ସେତେବେଳେ ୪୦% ତେଲ ଆମଦାନୀ କରୁଥିଲା। କାରଣ ଇସ୍ରାଏଲକୁ ତେଲ ଦେବା ଉପରେ ଅନେକ ଆରବ ଦେଶଗୁଡ଼ିକ ସେତେବେଳେ ପ୍ରତିବନ୍ଧକ ଲଗାଇଥିଲେ। ଇସ୍ରାଏଲର ଶିଳ୍ପ ଏବଂ ସାମରିକ ଆବଶ୍ୟକତା ପାଇଁ ଇରାନରୁ ଆସୁଥିବା ତେଲ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା୍। ଏପରିକି ଇରାନ୍ ଲଢ଼ୁଥିବା ଇରାକ୍ ବିରୋଧୀ ଯୁଦ୍ଧ ପାଇଁ ମଧ୍ୟ ଇସ୍ରାଏଲ୍ ଇରାନ୍କୁ ଖୋଲାଖୋଲି ଭାବେ ସମର୍ଥନ କରିଥିଲା। ୧୯୮୦-୮୮ ମସିହାର ଇରାନ-ଇରାକ ଯୁଦ୍ଧ ସମୟରେ ଇସ୍ରାଏଲ, ଇରାନକୁ ବାର୍ଷିକ ୫୦୦ ନିୟୁତ ଡଲାର ମୂଲ୍ୟର ଅସ୍ତ୍ରଶସ୍ତ୍ର ବିକ୍ରି କରିଥିଲା। ଇସ୍ରାଏଲରୁ ହାଇ-ଟେକ୍ ମିସାଇଲ୍ ସିଷ୍ଟମ୍, ଏମ୍-୪୦ ଆଣ୍ଟିଟ୍ୟାଙ୍କ୍ ଗନ୍, ଉଜି ସବମସିନ୍ ଗନ୍ ଏବଂ ଏୟାରକ୍ରାଫ୍ଟ ଇଞ୍ଜିନ୍ ମଧ୍ୟ ଆମଦାନୀ କରୁଥିଲା ଇରାନ୍। ଏପରିକି ଉଭୟ ଦେଶର ମିଳିତ ସହଯୋଗରେ ଆରମ୍ଭ ହୋଇଥିଲା ପ୍ରୋଜେକ୍ଟ ଫ୍ଲାୱାର। ଏହି ପ୍ରକଳ୍ପ ଅଧୀନରେ ହାଇଟେକ୍ ମିସାଇଲ୍ ସିଷ୍ଟମ୍ ବିକଶିତ କରିବା ପାଇଁ ଇସ୍ରାଏଲ-ଇରାନ ଉଦ୍ୟମ କରିଥିଲେ। କେବଳ ଏତିକି ନୁହେଁ ୧୯୫୭ରେ ଇସ୍ରାଏଲର ସହାୟତାରେ ସୃଷ୍ଟି ହୋଇଥିଲା ଇରାନର ସିକ୍ରେଟ୍ ପୁଲିସ୍ ସଂସ୍ଥା ‘ସବକ୍’।
ତେବେ ୧୯୭୦ ଦଶକ ପର୍ଯ୍ୟନ୍ତ ଉଭୟ ଦେଶ ମଧ୍ୟରେ ସବୁକିଛି ଠିକ୍ ରହିଥିଲା। କିନ୍ତୁ ୧୯୭୯ରେ ଇରାନରେ ଆରମ୍ଭ ହୋଇଥିଲା ଇସ୍ଲାମିକ କ୍ରାନ୍ତି। ଆଉ ଏହି କ୍ରାନ୍ତି ଇରାନ-ଇସ୍ରାଏଲ ସମ୍ପର୍କରେ ଏକ ବଡ଼ ପରିବର୍ତ୍ତନ ଆଣିଥିଲା। ପହଲଭି ରାଜବଂଶର ପତନ ଏବଂ ଆୟାତୋଲ୍ଲା ଖାମେନେଇଙ୍କ ନେତୃତ୍ୱରେ ଇସଲାମିକ୍ ଗଣରାଜ୍ୟ ପ୍ରତିଷ୍ଠା ଇରାନର ବୈଦେଶିକ ନୀତି ଏବଂ ବିଶ୍ୱ ଦୃଷ୍ଟିକୋଣକୁ ସମ୍ପୂର୍ଣ୍ଣ ଓଲଟାପାଲଟ କରିଦେଇଥିଲା । ଆମେରିକା ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ଇରାକ୍, ଇରାନ୍କୁ ସମାନ ଦୃଷ୍ଟିକୋଣରେ ଦେଖିବା ଆରମ୍ଭ କରିଥିଲେ ଏବଂ ଉଭୟ ଦେଶର ଆଣବିକ କାର୍ଯ୍ୟକ୍ରମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଚେଷ୍ଟା କରିଥିଲେ।
ଏହି ସମୟରେ ଇସ୍ରାଏଲ୍କୁ ଆମେରିକା ଏବଂ ଅନ୍ୟ ପାଶ୍ଚାତ୍ୟ ଦେଶଗୁଡ଼ିକ ନିଜ ସମର୍ଥନରେ ନେଇସାରିଥିଲେ। ଆମେରିକା କଥାରେ ପଡ଼ି ଇସ୍ରାଏଲ୍ ଇରାନ୍ରେ ସରକାର ପରିବର୍ତ୍ତନ କରିବାକୁ ଅର୍ଥାତ୍ ଆୟାତୋଲ୍ଲା ରୁହେଲା ଖୋମେଇନିଙ୍କ ଗାଦିଚ୍ୟୁତ କରିବାକୁ ଚେଷ୍ଟା କରିଥିଲା। ନିଜର ଗୁଇନ୍ଦା ବିଭାଗ ମୁସାଦ୍କୁ ମଧ୍ୟ ଇରାନ୍ ବିରୋଧରେ ଗୁଇନ୍ଦାଗିରି କରିବାରେ ଇସ୍ରାଏଲ୍ ଲଗାଇଥିଲା। ତେବେ ଏସବୁ ଇରାନ୍କୁ ନିରାଶ କରିଥିଲା ଏବଂ ଇରାନ୍ର ତତ୍କାଳୀନ ସରକାର ଆମେରିକାକୁ ବଡ଼ ସୈତାନ ଏବଂ ଇସ୍ରାଏଲ୍କୁ ସାନ ସୈତାନ ଭାବେ ଅଭିହିତ କରିଥିଲେ। ସେବେଠାରୁ ଉଭୟ ଦେଶ ମିତ୍ରରୁ ଶତ୍ରୁ ପାଲଟି ଯାଇଥିଲେ। ପରେ ଇରାନ୍ ପାଲେଷ୍ଟାଇନ୍ରେ ହମାସ୍ ଉଗ୍ରବାଦୀ ସଂଗଠନ, ଲେବାନନ୍ରେ ହିଜବୁଲ୍ଲା ସଂଗଠନ ଏବଂ ୟେମେନ୍ରେ ହୁତୀ ସଂଗଠନଙ୍କୁ ଅର୍ଥ ତଥା ସାମରିକ ସହାୟତା ଯୋଗାଇଥିଲା। ଏସବୁ ସଂଗଠନଗୁଡ଼ିକ ଇସ୍ରାଏଲ୍ ଏବଂ ଆମେରିକା ବିରୋଧୀ ଭାବେ ବେଶ୍ ଜଣାଶୁଣା।