ଭୁବନେଶ୍ୱର : ଆମ ରାଜ୍ୟରେ ୨୦୨୩-୨୪ ବର୍ଷ ପାଇଁ ହରଡ ଡାଲିର ଚାହିଦା ୧.୨୦ ଲକ୍ଷ ମେଟ୍ରିକ ଟନ୍ ରହିଛି ଯାହା ଅନ୍ୟ ଡାଲି ତୁଳନାରେ ସର୍ବାଧିକ । ସେହିଭଳି ମୁଗ ଡାଲିର ଚାହିଦା ୧.୦୨ ଲକ୍ଷ ମେଟ୍ରିକ ଟନ୍ ଥିବାବେଳେ ୦.୨୧ ଲକ୍ଷ ଟନ୍ ବୁଟ ଡାଲି, ୦.୨୯ଲକ୍ଷ ଟନ୍ ବିରି ଡାଲି ଓ ୦.୩୬ଲକ୍ଷ ଟନ୍ ମସୁର ଡାଲିର ଚାହିଦା ରହିଛି । ରାଜ୍ୟରେ ଡାଲି ଚାହିଦା ଓ ଆମଦାନୀ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ଖାଉଟିମାନଙ୍କ ଆବଶ୍ୟକତା ପୂରଣ ପାଇଁ ବ୍ୟବସାୟୀମାନେ ବାହାର ରାଜ୍ୟ ଯଥା ମହାରାଷ୍ଟ୍ର ଓ ଛତିଶଗଡରୁ ହରଡ ଡାଲି ଓ ବୁଟ ଡାଲି, ମଧ୍ୟ ପ୍ରଦେଶରୁ ମୁଗଡାଲି, ଆନ୍ଧ୍ରପ୍ରଦେଶରୁ ବିରି ଡାଲି ଓ ପଶ୍ଚିମବଙ୍ଗରୁ ମସୁର ଡାଲି ଆମଦାନୀ କରିଥାନ୍ତି । ରାଜ୍ୟରେ ୨୦୨୩-୨୪ ବର୍ଷର ଆକଳନ ଅନୁଯାୟୀ ପ୍ରାୟ ୧୩.୧୦ଲକ୍ଷ ମେଟ୍ରିକ ଟନ୍ ଡାଲି ଉତ୍ପାଦନ ହୋଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।